ନୂଆଦିଲ୍ଲୀ: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ବର୍ତ୍ତମାନ ଏମରଜେନ୍ସି ଡିପାର୍ଟମେଣ୍ଟରେ ତାଙ୍କ ଚିକିତ୍ସା ଜାରି ରହିଛି ।
୯୨ ବର୍ଷିୟ ମନମୋହନ ସିଂଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଏମ୍ସରେ ଭର୍ତ୍ତି କରିଛନ୍ତି । ଚଳିତ ସେପ୍ଟେମ୍ବର ୨୬ ରେ ମନମୋହନ ସିଂଙ୍କୁ ୯୨ ବର୍ଷ ହୋଇଥିଲା ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତା ଅଭିନନ୍ଦନ ଜଣାଇିଲେ ।
ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା । ମନମୋହନ ସିଂ ୧୯୩୨ ମସିହାରେ ପଞ୍ଜାବର ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଂଶ ଅଟେ । ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ । । ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦିଙ୍କ ପରେ ସେ ଦୀର୍ଘ ଦିନ ଧରି ପଦରେ ରହିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ ଅଟନ୍ତି । ଏହା ବ୍ୟତୀତ ସେ ହେଉଛନ୍ତି ଏକମାତ୍ର ଶିଖ ରାଜନେତା ଯିଏକି ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିଛନ୍ତି ।
ତେବେ ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିକ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ ।