Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ଗୁରୁବାର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମରଜେନ୍ସି ଡିପାର୍ଟମେଣ୍ଟରେ ତାଙ୍କ ଚିକିତ୍ସା ଚାଲିଥିବା ସମୟରେ ନିଧନ ହୋଇଛି । ଶ୍ରୀ ସିଂହଙ୍କ ଶେଷ ସମୟରେ  ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ ।

ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା ୧୯୩୨ ମସିହାରେ ପଞ୍ଜାବର ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଂଶ ଅଟେ । ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ ।

ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦିଙ୍କ ପରେ ସେ ଦୀର୍ଘ ଦିନ ଧରି ପଦରେ ରହିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ ଅଟନ୍ତି । ଏହା ବ୍ୟତୀତ ସେ ଏକମାତ୍ର ଶିଖ ରାଜନେତା ଯିଏକି ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ତେବେ ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିକ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ ।

ତାଙ୍କ ମୃତ୍ୟୁରେ ସମଗ୍ର ଦେଶ ସହ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

 

 

Leave A Reply

Your email address will not be published.