Latest Odisha News

BREAKING NEWS

ଡିଏମକେ ସୁପ୍ରିମୋ ତଥା ତାମିଲନାଡୁ ରାଜନୀତିର ଭିଷ୍ମ ପିତାମହ କରୁଣାନିଧିଙ୍କ ପରଲୋକ

ଚେନ୍ନାଇ : ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟକୁ ଶାସନ କରିଥିବା ବରିଷ୍ଠ ନେତା ଏମ. କରୁଣାନିଧିଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟାରେ ଦେହାନ୍ତ ଘଟିଛି । ଚେନ୍ନାଇର କାବେରୀ ହସ୍ପିଟାଲରେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା ।

ଗତକାଲି ବିଳମ୍ବିତ ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିବା ବେଳେ ଆଜି ସନ୍ଧ୍ୟା ୬ଟା ୧୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କରୁଣାନିଧି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ଏହି ଖବର ପ୍ରଚାର ହେବାପରେ ହସ୍ପିଟାଲ ଆଗରେ ତାଙ୍କ ସର୍ମଥକଙ୍କ ଭିଡ ଜମିବା ସହିତ ସମଗ୍ର ଅଞ୍ଚଳ ଲୋକଙ୍କ କାନ୍ଦରେ ଫାଟି ଉଠିଥିଲା ।


କେବଳ ତାମିଲନାଡୁ ନୁହେଁ ଦକ୍ଷିଣ ଭାରତ ରାଜନୀତିର ଭିଷ୍ମ ପିତାମହ ବୋଲି କରୁଣାନିଧିଙ୍କୁ କୁହାଯାଇଥାଏ । ସେ ପାଖପାଖି ୭୬ ବର୍ଷ ଯାଏଁ ତାମିଲନାଡୁ ରାଜନୀତିରେ ସକ୍ରୀୟ ଥିଲେ ।

ଡ଼ିଏମକେ ସୁପ୍ରିମୋ କରୁଣାନିଧିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଚେନ୍ନାଇ ସମେତ ତାମିଲନାଡୁର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ କୌଣସି ଅଘଟଣର ଆଶଙ୍କା କରି ସବୁ ଜିଲ୍ଲାର ଏସପି ଓ ପୋଲିସ କମିଶନର ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ରହିଥିବା ଏମ. କରୁଣାନିଧି ୩ ଜୁନ ୧୯୨୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ତାମିଲ ଚଳଚ୍ଚିତ୍ରରେ ଜଣେ ଉଚ୍ଚକୋଟୀର ସ୍କ୍ରିନ ରାଇଟର୍ ଭାବେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଅନେକ ବର୍ଷଧରି ତାମିଲ ଫିଲ୍ମ ସହିତ ଜଡ଼ିତ ହେବା ପରେ ସକ୍ରୀୟ ରାଜନୀତିରେ ଯୋଗ ଦେଇଥିଲେ ।

କରୁଣାନିଧି ତାମିଲନାଡୁରେ ଦ୍ରାବିଡ଼ ମୁନେତ୍ରା କାଜ୍ଜାଗାମ (ଡ଼ିଏମକେ)ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ । ଏହି ଦଳରୁ ପ୍ରତିଷ୍ଠାତା ସଭାପତି ରୂପେ କାର୍ଯ୍ୟଭାର ଗ୍ରହଣ କରି ଅଦ୍ୟାବଧି ୫ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶାସନଭାର ଗ୍ରହଣ କରିଛନ୍ତି । କେବଳ ତାମିଲନାଡୁ ନୁହେଁ ସମଗ୍ର ଦକ୍ଷିଣ ଭାରତରେ ମଧ୍ୟ ତାଙ୍କର ରାଜନୀତିରେ ନିୟନ୍ତ୍ରଣ ରହିଥିଲା ।

ତାଙ୍କର ତିନିଜଣ ପତ୍ନୀ ହେଲେ ପଦ୍ମାବତୀ ଅମାଲ, ଦୟାଲୁ ଅମାଲ ଏବଂ ରାଜଥି ଅମାଲ । ତାଙ୍କର କନିଷ୍ଠ ପୁତ୍ର ଏମ କେ ଷ୍ଟାଲିନ କରୁଣାନିଧିଙ୍କ ରାଜନୈତିକ ଉତ୍ତରାଧିକାରୀ ରୂପେ ଡ଼ିଏମକେ ଦଳକୁ ପରିଚାଳିତ କରୁଛନ୍ତି ।

Comments are closed.