Latest Odisha News

BREAKING NEWS

ସମାଧାନ ନୁହେଁ ଫୋର୍ଟିଫାଏଡ଼୍ ଚାଉଳ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ପୁଷ୍ଟି ସୁରକ୍ଷା ପାଇଁ ଖାଦ୍ୟ ବିବିଧତାର ବହୁତ ବଡ଼ ଭୂମିକା ରହିଛି । ଖାଦ୍ୟରେ ବିବିଧତାର ଅଭାବ ଯୋଗୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅପପୁଷ୍ଟି ଯଥା ବୟସ ଅନୁସାରେ ଓଜନ କମ୍‌, ବୟସ ଅନୁସାରେ ଉଚ୍ଚତା କମ୍‌, ଉଚ୍ଚତା ଅନୁସାରେ ଓଜନ କମ ଓ ମହିଳାଙ୍କ ମଧ୍ୟରେ ରକ୍ତହୀନତା ତଥା ଆନେମିଆ ପରି ସମସ୍ୟା ଦେଖାଦେଇଥାଏ । ଖାଦ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶର ପ୍ରତ୍ୟେକ ଦ୍ୱିତୀୟ ମହିଳା ରକ୍ତହୀନତାର ଶିକାର । ପ୍ରତ୍ୟେକ ତୃତୀୟ ଶିଶୁ ଅପପୁଷ୍ଟିର ଶିକାର । ଗ୍ଲୋବାଲ୍ ଫୁଡ଼୍‌ ସିକ୍ୟୁରିଟି ଇଣ୍ଡେକ୍ସ ଅନୁସାରେ ୧୧୩ ଦେଶ ମଧ୍ୟରୁ ଭାରତର ସ୍ଥାନ ୭୧ । ଅପପୁଷ୍ଟି, ଖାଦ୍ୟାଭାବ, ସୂକ୍ଷ୍ମ ପୋଷକ ତତ୍ୱର ଅଭାବ ଆଦି ବଡ଼ ବଡ଼ ଓ ମୌପରି ମୂଖ୍ୟ ସମସ୍ୟା ଗୁଡ଼ିକୁ ପଛରେ ପକେଇ ସମ୍ପ୍ରତି ଆମ ଦେଶରେ ରକ୍ତହୀନତା ବା ଆନେମିଆର ଚର୍ଚ୍ଚା ସର୍ବାଗ୍ରେ ରହିଛି । ନୀତି ଆୟୋଗର କର୍ମଶାଳା, ସରକାରୀ ଦସ୍ତାବିଜ, ଏପରିକି ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ମଧ୍ୟ ରକ୍ତହୀନତାରର ଚର୍ଚ୍ଚା ଶୁଣାଯାଉଛି । ରକ୍ତହୀନତାର ଚର୍ଚ୍ଚା ହେବା ବେଳେ ସ୍ୱଭାବିକ ଭାବେ ଆଇରନ୍‌ର ଅଭାବ କଥା ହିଁ ଆସୁଛି । ଆଇରନ୍‌ର ଅଭାବକୁ ଦୂର କରିବା ପାଇଁ ଲୋକକୈନ୍ଦ୍ରିକ ସମାଧାନ କୌଶଳ ନଆପଣେଇ କାରଖାନା ଓ ବଜାର କୈନ୍ଦ୍ରିକ ସମାଧାନକୁ ଗୁରୁତ୍ୱ ଦିଆଯାଉଛି । ରକ୍ତହୀନତାର ଚର୍ଚ୍ଚାକୁ ବ୍ୟାପକ କରେଇ ସମଗ୍ର ଦେଶରେ ପୋଷକ ତତ୍ୱଯୁକ୍ତ ଚାଉଳ ବା ଫୋର୍ଟିଫାଏଡ଼୍ ରାଇସ୍‌ ପ୍ରଚଳନକୁ ପ୍ରେତ୍ସାହିତ କରାଯାଉଛି । ଏହି ଫୋର୍ଟିଫାଏଡ଼୍ ଚାଉଳ ଦ୍ୱାରା ଆମ ଖାଦ୍ୟ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବକୁ ଏଡ଼ାଇ ଦେଇହେବ ନାହିଁ । କମ୍ପାନୀମାନେ ଫୋର୍ଟିଫାଏଡ଼୍ ଚାଉଳ କ୍ଷେତ୍ରରେ କୋଟି କୋଟି ଟଙ୍କାର ମୁନାଫା ଦେଖୁଥିବା ବେଳେ ସରକାର କମ୍ପାନକୁ ଖୁସି କରିବାର ଏଜେଣ୍ଡାକୁ ସାମ୍‌ନାରେ ରଖି ଖାଦ୍ୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ଅଧିକାରକୁ ସଙ୍କୁଚିତ କରୁଛନ୍ତି । ପୋଷକ ତତ୍ୱଯୁକ୍ତ ଚାଉଳ ଅର୍ଥିାତ୍ ଫୋର୍ଟିଫାଏଡ଼୍‌ ରାଇସ୍ କାନକୁ ଭଲ ଶୁଭୁଥିବା ବେଳେ ଦୀର୍ଘକାଳୀନ ଭିତିରେ ଏହା ସାଧାରଣ ଜନତା ଓ ଚାଷୀମାନଙ୍କ ପାଇଁ ବିପଦ ଭାବେ ଉଭା ହେବାକୁ ଯାଉଛି ।

ରକ୍ତହୀନତା ପରି ସମସ୍ୟାକୁ ସମାଧାନ କରିବା ପାଇଁ ହେଲେ ପରିବାର ସ୍ତରରେ ଖାଦ୍ୟର ଉପଲବ୍‌ଧତା, ଖାଦ୍ୟରେ ସୂକ୍ଷ୍ମ ପୋଷକ ତତ୍ୱର ଉପସ୍ଥିତି, ଗରିବୀ, ଖାଦ୍ୟରେ ବିବିଧତା, ଲୌହସାର ଯୁକ୍ତ ଫସଲ ଚାଷକୁ ପ୍ରୋତ୍ସାହନ, ଚାଷରେ ରାସାୟନିକ ଓ ବିଷର ପ୍ରୟୋଗକୁ କମ୍ କରିବା ସହିତ ଅନେକ ମୌଳିକ ସମସ୍ୟାକୁ ସମାଧାନ କରିବା ପାଇଁ ହେବ । କିନ୍ତୁ ସରକାର ଏସବୁ ମୌଳିକ ସମସ୍ୟାକୁ ସମାଧାନ କରିବାର ଦାୟିତ୍ୱ ନନେଇ ସିଧା କମ୍ପାନୀଙ୍କୁ ଆମନ୍ତ୍ରଣ କରି ଜ୍ଞାନକୌଶଳ ଦ୍ୱାରା ବିକଶିତ ହୋଇଥିବା ଓ କାରଖାନାରେ ତିଆରି ହେଉଥିବା ଫୋର୍ଟିଫାଏଡ଼୍ ଚାଉଳକୁ ଏକମାତ୍ର ସମାଧାନ ବୋଲି ସର୍ବସାଧାରଣରେ ଉପସ୍ଥାପିତ କରୁଛନ୍ତି । ଯଦି ମୌଳିକ ସମସ୍ୟାର କଥା ଆସିବ, ତେବେ ପ୍ରଶ୍ନ ଆସିବ, ଆମ ଦେଶରେ ଏତେ ପରିମାଣରେ ଅପପୁଷ୍ଟି କାହଁକି । ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ଏତେ ନିମ୍ନରେ କାହିଁକି? ଲୋକମାନେ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି କାହିଁକି?

ଏବେ ବି ଶୁଦ୍ଧ ପାନୀୟ ଜଳର ସମସ୍ୟା ଅଛି କାହିଁକି? ଏସବୁ ପ୍ରଶ୍ନ ନିଶ୍ଚିତ ଭାବେ ସରକାରଙ୍କୁ ଅଡ଼ୁଆରେ ପକାଇବ । ତେଣୁ ସରକାର ଏସବୁ ପ୍ରଶ୍ନକୁ ଏଡ଼ାଇବା ପାଇଁ ସହଜ ସମାଧାନ ଭାବେ ଫୋର୍ଟିଫାଏଡ଼୍ ଚାଉଳକୁ ସାମ୍‌ନାକୁ ଆଣୁଛନ୍ତି । ଫୋର୍ଟିଫାଏଡ଼୍ ଚାଉଳର ନିୟନ୍ତ୍ରଣ କାହା ହାତରେ ରହିବ? କେବେ ବି ଚାଷୀଙ୍କ ହାତରେ ରହିବ ନାହିଁ । କମ୍ପାନୀଙ୍କ ହାତରେ ରହିବ । ଏହା ଆମ ଖାଦ୍ୟ ବ୍ୟବସ୍ଥାକୁ ଭୟଙ୍କର ଭାବେ ପ୍ରଭାବିତ କରିବ । ଶରୀରରେ ସୂକ୍ଷ୍ମ ପୋଷକ ତତ୍ୱର ଅଭାବ ଦୂର କରିବା ପାଇଁ ଦୀର୍ଘ ଦିନ ହେବ ଖାଦ୍ୟସୁରକ୍ଷା କର୍ମୀମାନେ ପି.ଡ଼ି.ଏସ୍‌. ବ୍ୟବସ୍ଥାରେ ଭିନ୍ନ ଭିନ୍ନ ମିଲେଟ୍‌କୁ ଯୁକ୍ତ କରିବା ପାଇଁ ଦାବୀ କରିଆସୁଛନ୍ତି । କିନ୍ତୁ ସରକାର ଏଥିପ୍ରତି ନଜର ନଦେଇ ଫୋର୍ଟିଫାଏଡ଼୍ ଚାଉଳ ମାଧ୍ୟମରେ ଏକ ପରନିର୍ଭରଶୀଳ ଓ ଦୂରଦୃଷ୍ଟିବିହୀନ ପଦକ୍ଷେପ ନେଉଛନ୍ତି ।

୨୦୨୪ ସୁଦ୍ଧା ସମସ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଫୋର୍ଟିଫାଏଡ଼୍ ଚାଉଳକୁ ପ୍ରଚଳନ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ୨୦୨୧ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଛନ୍ତି । ୨୦୧୯ରେ ଫୋର୍ଟିଫାଏଡ଼୍ ଚାଉଳକୁ ପି.ଡ଼ି.ଏସ୍‌. ମାଧ୍ୟମରେ ବଣ୍ଟନ କରିବାର ପାଇଲଟ୍‌ ଆରମ୍ଭ କରାଯାଇଛି । ଆରମ୍ଭ କରାଯାଇଥିବା ପାଇଲଟ୍‌କୁ ଠିକ୍ ଭାବେ ବିଶ୍ଲେଷଣ କରାନଯାଇ, ସ୍ୱାସ୍ଥ୍ୟ ଉପରେ ଏହା ଦୀର୍ଘକାଳୀନ ପ୍ରଭାବକୁ ବିଚାରକୁ ନିଆ ନଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଟି ରାଜ୍ୟର ୨୫୭ଟି ଜିଲ୍ଲାରେ ପି.ଡ଼ି.ଏସ୍‌. ମାଧ୍ୟମରେ ଫୋର୍ଟିଫାଏଡ଼୍ ଚାଉଳର ବଣ୍ଟନ କରାଯାଉଛି । ପିଡ଼ିଏସ୍ ମାଧ୍ୟମରେ ଫୋର୍ଟିଫାଏଡ଼ ଚାଉଳର ବଣ୍ଟନ ସାଧାରଣ ଲୋକଙ୍କର ଖାଦ୍ୟ ରୁଚି ଓ ପସନ୍ଦର ସ୍ୱାଧୀନତାକୁ ବ୍ୟାହତ କରୁଛି । କ୍ଷୁଧା ଓ ଅପପୁଷ୍ଟି ପରି ସମସ୍ୟାକୁ ସମାଧାନ ନକରି ଫୋର୍ଟିଫାଏଡ଼୍ ଚାଉଳ ପରି ବଜାର କେନ୍ଦ୍ରିକ ଓ ପରନିର୍ଭରଶୀଳ ବ୍ୟବସ୍ଥାକୁ ଆପଣେଇ ସରକାର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ସାର୍ବଭୌମତ୍ୱକୁ ସଙ୍କଟ ଭିତରକୁ ଠେଲି ଦେଉଛନ୍ତି ।

ଫୋର୍ଟିଫାଏଡ଼୍ ଚାଉଳର କୁପ୍ରଭାବର ରିପୋର୍ଟ ଦେଶର ଭିନ୍ନ ଭିନ୍ନ କୋଣରୁ ଆସିବାକୁ ଆରମ୍ଭ କଲାଣି । ଏହାକୁ ଖାଇ ଲୋକମାନେ ଅସୁସ୍ଥ ହେଉଛନ୍ତି । ଏହି ଚାଉଳର ସ୍ୱାଦ, ବାସ୍‌ନା ଓ ରୋଷେଇ ସମୟରେ ସମସ୍ୟା ଆଦି ବିଷୟରେ ଲୋକମାନେ ଅଭିଯୋଗ କରୁଥିବାର ଦେଖିବାକୁ ମିଳୁଛି । ଫୋର୍ଟିଫାଏଡ଼୍ ଚାଉଳକୁ ରୋଷେଇ କରି ଅଧିକ ସମୟ ରଖିହେଉନାହଁ । ଏହା ଶୀଘ୍ର ଖରାପ ହୋଇଯାଉଛି । ଏଥିସହିତ ଫୋର୍ଟିଫାଏଡ଼୍ ଚାଉଳ ବଣ୍ଟନ କରାଯାଉଥିବାର ସୂଚନା ମଧ୍ୟ ହିତାଧିକାରୀଙ୍କୁ ଦିଆଯାଉନାହିଁ । ଖାଦ୍ୟ ଏକାନ୍ତ ବ୍ୟକ୍ତିଗତ ଓ ରୁଚିର ବିଷୟ । ଲୋକମାନଙ୍କୁ ଯାହା ଖାଇବାକୁ ଦିଆଯାଉଛି, ତାହା ଜାଣିବା ସେମାନଙ୍କର ଅଧିକାର । କିନ୍ତୁ ଫୋର୍ଟିଫାଏଡ଼୍ ଖାଉଥିବା ଅନେକ ଲୋକ ଜାଣନ୍ତି ନାହିଁ ଯେ, ସେମାନେ କଣ ଖାଉଛନ୍ତି ।

ଖାଦ୍ୟ ଅଧିକାର ଅଭିଯାନ ଓ ଆଶା-କିଷାନ ସ୍ୱରାଜ ଦ୍ୱାରା ଝାରଖଣ୍ଡରେ ଫୋର୍ଟିଫାଏଡ଼୍‌ର ଚାଉଳର ବଣ୍ଟନକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ସରକାରଙ୍କ ଏକାଧିକ ଦାୟିତ୍ୱହୀନତା ସାମ୍‌ନାକୁ ଆସିଛି । ଏପରି ଏକ ନୂଆ ପ୍ରକାରର କାରଖାନାରେ ତିଆରି କରାଯାଉଥିବା ଚାଉଳକୁ ବଣ୍ଟନ କରିବା ପୂର୍ବରୁ ଲୋକଙ୍କ ମତାମତ ନିଆଯାଇନାହିଁ । ବଣ୍ଟନ କରିବା ପୂର୍ବରୁ ଏ ବିଷୟରେ ଲୋକଙ୍କୁ ସଚେତନତା ମଧ୍ୟ କରାଯାଇନାହିଁ । ଦେଖିବାକୁ ମିଳିଥିଲା ଯେ, ଝାରଖଣ୍ଡର ଖୁଣ୍ଟି ଜିଲାରେ ଲୋକମାନେ ଫୋର୍ଟିଫାଏଡ଼୍ ଚାଉଳ ଖାଇ ଅସୁସ୍ଥ ହୋଇଯାଇଥିଲେ । ବ୍ୟାପକ ସ୍ତରରେ ବଣ୍ଟନ ସମୟରେ ଏଫ୍‌.ଏସ୍‌.ଏସ୍‌.ଏ.ଆଇ.ର ନିୟମକୁ ପାଳନ କରିବା କଷ୍ଟକର । ଏଫ୍‌.ଏସ୍‌.ଏସ୍‌.ଏ.ଆଇ.ର ନିୟମ ଅନୁସାରେ ସିକଲ୍ ସେଲ୍ ଆନେମିଆ ପୀଡ଼ିତ ଲୋକମାନେ ଫୋର୍ଟିଫାଏଡ଼୍ ଚାଉଳ ଖାଇବା ଉଚିତ୍ ନୁହେଁ ଓ ଥାଲାସେମିଆ ରୋଗୀମାନେ ଡାକ୍ତରଙ୍କ ନିରୀକ୍ଷଣରେ ରହି ଏହା ଖାଇବା ଉଚିତ୍ । ଏହା ଦେଖାଯାଇଛି ଯେ, ଖୁଂଟି ଜିଲ୍ଲାର ଗାଁମାନଙ୍କରେ ଫୋର୍ଟିଫାଏଡ଼୍ ଚାଉଳ ବଣ୍ଟନ ସମୟରେ ଏସବୁକୁ ଦୃଷ୍ଟିରେ ରଖାଯାଇନାହିଁ । ଏବେ ପ୍ରଶ୍ନ ଉଠୁଛି ଯେ, ଫୋର୍ଟିଫାଏଡ଼୍ ଚାଉଳ କ୍ଷେତ୍ରରେ ଗରିବ ଲୋକମାନଙ୍କୁ ପରୀକ୍ଷାଗାରର ମୁଷା ଭଳି ବ୍ୟବହାର କରାଯାଉନାହିଁ ତ? ରକ୍ତହୀନତା ଦୂର କରିବା ପାଇଁ ଫୋର୍ଟିଫାଏଡ଼୍ ଚାଉଳ ବଦଳରେ ଆଉ କୌଣସି ସର୍ବସାଧାରଣ ସ୍ୱିକୃତ ଉପାୟ ଅବଲମ୍ବନ କରିବା ଅଧିକ ଶ୍ରେୟସ୍କର ନୁହେଁ କି?

ଫୋର୍ଟିଫାଏଡ଼୍ ଚାଉଳ ବଣ୍ଟନର ପାଇଲଟ୍ ସ୍କିମ୍‌ର ମୂଲ୍ୟାଙ୍କନ ଏଯାଏ ବି ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟ ଅନୁସାରେ ୨୦୧୯-୨୦ରେ ୬ ମାସରୁ ୨୩ ମାସର ଶିଶୁମାନଙ୍କ ମଧ୍ୟରୁ ୮୯.୯% ଶିଶୁ ଉପଯୁକ୍ତ ଆହାର ପାଉନାହାନ୍ତି । ଖାଦ୍ୟ ଅଧିକାର ଅଭିଯାନ ଦ୍ୱାରା କରାଯାଇଥିବା ଦ୍ୱିତୀୟ କ୍ଷୁଧା ନିରୀକ୍ଷଣ ସର୍ଭେରେ ସମଗ୍ର ଦେଶରେ ଥିବା ଭୟଙ୍କର ଖାଦ୍ୟ ଅସୁରକ୍ଷା ସାମ୍‌ନାକୁ ଆସୁଛି । ପୁଷ୍ଟିକର ଖାଦ୍ୟ, ଅଣ୍ଡା, ମାଂସ ଜାତୀୟ ଖାଦ୍ୟ, ଫଳ, କ୍ଷୀର, ଶାଗ ଆଦିର ସେବନ ଲୋକମାନଙ୍କ କ୍ଷେତ୍ରରେ ବହୁତ କମ୍ ରହିଛି । ସରକାର ଯଦି ଏସବୁ ଉପରେ ଦୃଷ୍ଟି ଦିଅନ୍ତେ ତେବ ଅପପୁଷ୍ଟି ପରି ସମସ୍ୟା ଅଧିକ ଫଳପ୍ରଦ ଭାବେ ସମାଧାନ ହୋଇପାରନ୍ତା । ଫୋର୍ଟିଫାଏଡ଼୍ ଚାଉଳ ହୁଏତ ତୁରନ୍ତ ରକ୍ତହୀନତାକୁ କମେଇ ଦେଇପାରେ କିନ୍ତୁ ଦୀର୍ଘକାଳୀନ ଭିତିରେ ଏହା ଲୋକଙ୍କ ଖାଦ୍ୟରୁଚିର ଅଧିକାର, ପସନ୍ଦକୁ ବ୍ୟାହତ କରିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼େଇବ । ଅପପୁଷ୍ଟି ଦୂର କରିବା ପାଇଁ ବିଜ୍ଞାନସମ୍ମତ ଓ ସର୍ବସାଧାରଣଙ୍କୁ ସୁହାଇବା ଭଳି ରଣକୌଶଳ ନଆପଣେଇ ଫୋର୍ଟିଫାଏଡ଼୍ ଚାଉଳ ପ୍ରଚଳନ କଲେ ଭବିଷ୍ୟତରେ ପରିସ୍ଥିତି ଅଧିକ ଜଟିଳ ହେବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭

Leave A Reply

Your email address will not be published.