Latest Odisha News

BREAKING NEWS

ଜାତୀୟ ସ୍ତରରେ ଚମକିଲା ଓଡ଼ିଶାର ପୂର୍ତ୍ତ ବିଭାଗ; ୪ଟି କୋଠାକୁ ମିଳିଲା ବିଶ୍ୱକର୍ମା ପୁରସ୍କାର-୨୦୨୫

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଶୁକ୍ରବାର ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି । ନୂଆଦିଲ୍ଲୀର ଡ. ବି ଆର୍ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ । ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ, ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ ଏବଂ ଅଭିନବ ଢାଞ୍ଚା ଏବଂ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥାଏ । ପୁରସ୍କାର ହାସଲ କରିଥିବା ଏହି କୋଠାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଓୟୁଏଟିର କୃଷକ ବୈଷୟିକ ପ୍ରଦର୍ଶନ କେନ୍ଦ୍ର, ପୁରୀର ହବିଷ୍ୟାଳି ଭବନ, ବରଗଡ଼ର କର୍କଟ ହସ୍ପିଟାଲ, ପାଣିକୋଇଲି ସ୍ଥିତ ଟ୍ରମା କେୟାର ହସ୍ପିଟାଲ ଅନ୍ତର୍ଭୁକ୍ତ ।

ନୀତି ଆୟୋଗ ଅଧୀନରେ ଥିବା ନିର୍ମାଣ ଶିଳ୍ପ ଉନ୍ନୟନ ପରିଷଦ (ସିଆଇଡିସି) ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ନିର୍ମିତ ଅସାଧାରଣ ଡିଜାଇନ୍ ପାଇଁ ଉପରୋକ୍ତ କୋଠାଗୁଡ଼ିକୁ ଚୟନ କରିଛି । ପୂର୍ବରୁ ସିଆଇଡିସିର ଏକ ଟିମ୍ ଓଡ଼ିଶାର ବିଭିନ୍ନ କୋଠା ପରିଦର୍ଶନ କରି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ, ଉପଭୋକ୍ତାଙ୍କ ସହ ଆଲୋଚନା କରିବା ସହ ଶେଷରେ ଏହି ସମ୍ମାନଜନକ ପୁରସ୍କାର ପାଇଁ ଉପରୋକ୍ତ କୋଠାଗୁଡ଼ିକୁ ଚୟନ କରିଥିଲେ। ଏହି ପୁରସ୍କାର ଚୟନ ପାଇଁ ଡିଜାଇନ, ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ଆହ୍ୱାନ, ସାଇଟ୍ ପ୍ରତିବନ୍ଧକ, ଅଭିନବ ଜ୍ଞାନକୌଶଳ, ନିର୍ମାଣରେ ଦକ୍ଷ ମାନବର ଉପଯୋଗ ଏବଂ ଦକ୍ଷ କଣ୍ଟ୍ରାକ୍ଟ ସିଷ୍ଟମ ଆଦି ବିଭିନ୍ନ ବିଷୟ ବିଚାରକ ମଣ୍ଡଳୀଙ୍କ ପ୍ରମୁଖ ମାନଦଣ୍ଡ ଥିଲା ।

ଆନୁଷଙ୍ଗିକ ସୁବିଧା ଥିବା ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ୧୦୦୦ କ୍ଷମତା ବିଶିଷ୍ଟ ଓଡ଼ିଶାର ସର୍ବବୃହତ ବକ୍ତୃତା ଥିଏଟର । ସେହିପରି ପାଣିକୋଇଲିସ୍ଥିତ ଟ୍ରମା କେୟାର ହସ୍ପିଟାଲ ପୂର୍ବ ଭାରତର ସର୍ବବୃହତ ଟ୍ରମା କେୟାର କେନ୍ଦ୍ର, ଯେଉଁଠାରେ ଦୁର୍ଘଟଣା ଓ ପୋଡ଼ି ଯାଇଥିବା ଆଘାତର ବ୍ୟାପକ ଚିକିତ୍ସା ସୁବିଧା ପ୍ରଦାନ କରିଥାଏ । ସେହିଭଳି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ଆବାସ କେନ୍ଦ୍ର ହେଉଛି ପୁରୀ ସ୍ଥିତ ହାବିସ୍ୟାଳି ଭବନ, ଯେଉଁଥିରେ ପବିତ୍ର କାର୍ତ୍ତିକ ମାସରେ ପ୍ରାୟ ୧୭୦୦ ହବିଷ୍ୟାଳି ରହିବା ପାଇଁ ନିର୍ମାଣ କରାଯାଇଛି । ବରଗଡ଼ରେ ଥିବା କର୍କଟ ଚିକିତ୍ସାଳୟ ରେଡିଏସନ୍ ବଙ୍କର ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଭଳି ବ୍ୟାପକ କର୍କଟ ଚିକିତ୍ସା ସୁବିଧା ଥିବା ଏକ ଅଭିନବ କମ୍ପ୍ୟାକ୍ଟ୍ ନିର୍ମାଣ ଶୈଳୀ । ରାଜ୍ୟରେ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ବ୍ୟାପକ ତଥା ଉନ୍ନତ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସିଆଇଡିସି ଏବଂ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।

ଏଫଟିଡିସି, (କୃଷି ଶିକ୍ଷା ସଦନ) ଓୟୁଏଟି, ଭୁବନେଶ୍ୱର-

କୃଷି ଶିକ୍ଷା ସଦନ ନାମରେ ଓୟୁଏଟିର ଏଫଟିଡିସି (କୃଷକ ପ୍ରଯୁକ୍ତି ପ୍ରଦର୍ଶନ କେନ୍ଦ୍ର) କୃଷି ପ୍ରଶିକ୍ଷଣ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଏକ ସଂସ୍ଥାଗତ ଅଡିଟୋରିୟମ ଅଟେ । ଏଠାରେ ଓଡ଼ିଶାର ସର୍ବବୃହତ ୧୦୦୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ସହିତ ଡାଇନିଂ, ସେମିନାର୍ ସ୍ଥାନ ଏବଂ ସହାୟତା ସୁବିଧା ଥିବା ଏକ ବହୁମୁଖୀ ୟୁଟିଲିଟି ବ୍ଲକ୍ ରହିଛି। ଏକ ଆଧୁନିକ, ସାଂସ୍କୃତିକ ତଥା ସମ୍ମାନଜନକ ଆଭିମୁଖ୍ୟ ସହିତ ଡିଜାଇନ୍ କରାଯାଇଥିବା ଏହି ପ୍ରକଳ୍ପରେ ୧୧୯ଟି କାର୍ ଏବଂ ୩୬୨ଟି ଦୁଇ ଚକିଆ ଯାନ ପାଇଁ ବେସମେଣ୍ଟ ପାର୍କିଂ ଅନ୍ତର୍ଭୁକ୍ତ। ଏହି କୋଠାରେ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ସାମଗ୍ରିମାନ ରହିଛି । ଏହାର ପ୍ରକଳ୍ପ ଖର୍ଚ୍ଚ: ପ୍ରାୟ ୫୯ କୋଟି ଟଙ୍କା ।

କ୍ୟାନସର ହସ୍ପିଟାଲ, ବରଗଡ଼-

କ୍ୟାନସର ହସ୍ପିଟାଲ ବରଗଡ଼ର ଡିଏଚଏଚ୍ କ୍ୟାମ୍ପସ୍ ଭିତରେ ଥିବା ଏକ ଜି+୫ କୋଠା, ଯାହା ୧୨,୬୮୨ ବର୍ଗ ମିଟର ପରିମିତ ଅଞ୍ଚଳରେ ରହିଛି। ଏଥିରେ ତଳ ମହଲାରେ ୧୫ ଏମଭି ଲିନାକ୍, ଏଚଡିଆର୍ ବ୍ରାକିଥେରାପି ଓ ସିଟି ସିମୁଲେଟର ଭଳି ଉନ୍ନତ ଚିକିତ୍ସା ସୁବିଧା ରହିଛି । ଉପର ମହଲାରେ ୨୦ଟି ଡେକେୟାର ବେଡ୍, ୩୮ଟି ଜେନେରାଲ ୱାର୍ଡ ବେଡ୍, ୭ଟି ଏଚଡିୟୁ ବେଡ୍, ୬ଟି କେବିନ୍ ବେଡ୍, ୧୩ଟି ଆଇସିୟୁ ବେଡ୍, ୪ଟି ଆଇସୋଲେସନ ଆଇସିୟୁ ବେଡ଼୍, ଓଟି ସହିତ ଓପିଡି, ନ୍ୟୁକ୍ଲିୟର ମେଡିସିନ୍, ଆଡମିନ୍ ଅଫିସ୍, କ୍ୟାଫେଟେରିଆ ଓ କନଫରେନ୍ସ ରୁମ ରହିଛି । ହସ୍ପିଟାଲ ବ୍ଲକ୍ ମଧ୍ୟରେ ଅତ୍ୟନ୍ତ କମ୍ପେକ୍ଟ ସ୍ପେସ୍ ଭିତରେ ଡିଜାଇନ୍ କରାଯାଇଥିବା ରେଡିଏସନ୍ ୟୁନିଟଗୁଡ଼ିକୁ ଦକ୍ଷତାର ସହ ଯୋଜନା କରିବା ମୁଖ୍ୟ ଚ୍ୟାଲେଞ୍ଜ ଥିଲା । ଏହି ପ୍ରକଳ୍ପ ମୂଲ୍ୟ: ୯୦.୨୭ କୋଟି ଟଙ୍କା ଅଟେ ।

ଟ୍ରମା କେୟାର, ପାଣିକୋଇଲି

ଯାଜପୁର ପାଣିକୋଇଲିସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର ସେଣ୍ଟର ଏକ ଜି+୫ ହସ୍ପିଟାଲ। ତଳ ମହଲାରେ ପାର୍କିଂ, ରୋଷେଇ ଘର, କ୍ୟାଣ୍ଟିନ୍, ଲଣ୍ଡ୍ରି ଓ ସପୋର୍ଟ ସର୍ଭିସ୍ ରହିଛି । ଜରୁରୀକାଳୀନ କ୍ରିଟିକାଲ କେୟାର ସୁବିଧା, ଓଟି, ଆଇସିୟୁ, ବର୍ନ ୟୁନିଟ୍, ସମସ୍ତ ଡାଇଗ୍ନୋଷ୍ଟିକ୍ ସୁବିଧା, ଆଇସୋଲେସନ୍ କ୍ୟାବିନ୍, ପୁରୁଷ ଓ ମହିଳା ୱାର୍ଡ (୧୦୦ ଶଯ୍ୟା) ଏବଂ ସମ୍ପୂର୍ଣ୍ଣ ଟ୍ରମା କେୟାର ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବିଭାଗ ନିର୍ମାଣ କରାଯାଇଛି । ଏହା ଏକ ଅତ୍ୟାଧୁନିକ ସ୍ବତନ୍ତ୍ର ଟ୍ରମା କେୟାର ହସ୍ପିଟାଲ ଯାହା ସମସ୍ତ ନିରାପତ୍ତା ଏବଂ କ୍ଲିନିକାଲ ମାନଦଣ୍ଡପ୍ରଦର୍ଶନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାର ପ୍ରକଳ୍ପ ମୂଲ୍ୟ: ପ୍ରାୟ ୧୦୧ କୋଟି ଟଙ୍କା

ପୁରୀରେ ହାବିଷ୍ୟାଳିଙ୍କ ପାଇଁ ସ୍ୱଳ୍ପ ସମୟ ରହଣୀ ଘର-

ପୁରୀର ନରେନ୍ଦ୍ର ଟାଙ୍କି ନିକଟରେ ଅବସ୍ଥିତ ଏହି କୋଠାରେ କାର୍ତ୍ତିକ ଋତୁରେ ହାବିଷ୍ୟାଳିଙ୍କ (ଓଡ଼ିଶାର ବିଧବା ବୃଦ୍ଧଙ୍କ ନିମନ୍ତେ କାର୍ତ୍ତିକ ବ୍ରତ) ପାଇଁ ୧୭୧୭ ଶଯ୍ୟା ଏବଂ ଅନ୍ୟ ଋତୁରେ ଦେୟ ଯୁକ୍ତ ବ୍ୟବହାର ପାଇଁ ୧୨୨୪ ଶଯ୍ୟା ରହିଛି ।

ଏଥିରେ ପାର୍କିଂ ପାଇଁ ବେସମେଣ୍ଟ ରହିଛି ଏବଂ ନିୟମ ଅନୁଯାୟୀ ଜି+୭ ମହଲା ଭାବେ ନିର୍ମାଣ କରାଯାଇଛି । ଡାଇନିଂ ସହ ରୋଷେଇ ଘର, କେୟାରଟେକର ରୁମ୍, ହାଉସ୍କିପିଂ ସ୍ପେସ୍ ଏବଂ ଲିଫ୍ଟ, ସିଡି, ଇଲେକ୍ଟ୍ରିକାଲ୍ ରୁମ୍ ଏବଂ ରାମ୍ପ୍ ଆକସେସ୍ ଭଳି ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଉଛି। ହାବିଷ୍ୟାଳିଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ଏହା ହେଉଛି ସବୁଠାରୁ ବଡ଼ ଆବାସ ସୁବିଧା । ପ୍ରକଳ୍ପ ମୂଲ୍ୟ: ପ୍ରାୟ ୩୪ କୋଟି ଟଙ୍କା ।

Comments are closed.