Latest Odisha News

ବାହାବେଦୀରେ ହୋମ ନିଆଁ ଜଳିବା ଆଗରୁ ଉଠିଲା କୋକେଇ: ବାହାଘର ୪ଦିନ ପୂର୍ବରୁ କରୋନା ନେଲା ବର ଜୀବନ

ଭଦ୍ରକ: ବାହା ଲଗ୍ନ ଧାର୍ଯ୍ୟ ହୋଇଥିଲା । ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ବି ଦିଆ ସରିଥିଲା । ଘର କାନ୍ଥରେ ବର-କନିଆ ନାଁ ବି ଲେଖା ସରିଥିଲା । ଚନ୍ଦ୍ରମଣି ସହିତ ଶୁଭସ୍ମିତା । କିନ୍ତୁ ଚନ୍ଦ୍ରମଣିଙ୍କ ଭାଗ୍ୟରେ ସେ ସୁଖ ନଥିଲା । ବାହାଘରକୁ ନେଇ ଖୁସିରେ ଫାଟି ପଡୁଥିବା ପରିବାରରେ ହଠାତ୍ ମାଡ଼ି ଆସିଲା କରୋନା ରୂପୀ ରାକ୍ଷକ । ଦୁଃଖର କଳା ବାଦଲ ଘୋଟିଗଲା ।

ବରବେଶରେ ସଜେଇ ହୋଇ କନିଆ ଘରକୁ ଯିବା ବଦଳରେ ଘରୁ ଉଠିଲା କୋକଇ । ବାହା ବେଦୀରେ ହୋମ ନିଆଁ ଜଳିବା ଆଗରୁ ଶ୍ମଶାନରେ ଜୁଇ ଜଳିଲା । କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଲେ ବର । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କୋଥର ପଞ୍ଚାୟତରେ ।

ମୃତକ ହେଲେ ଅସୁରାଳୀ ଗାଁର ନାଥ ସାହିର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣି ନାଥ । ଗତ ୧୧ ତାରିଖରେ ତାଙ୍କର ବାହାଘର ପାଇଁ ଦିନ ଧାର୍ୟ୍ୟ ହୋଇଥିଲା । କିଛି ଦିନ ପୂର୍ବରୁ ତାଙ୍କୁ ଥଣ୍ଡା ହେବା ସହ ଜ୍ୱର ହୋଇଥିଲା । କୋଭିଡ୍ ଟେଷ୍ଟ କରାଇବାକୁ ଜୁନ୍ ୧୦ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭି ଆସିଥିଲା । ହୋମ୍ ଆଇସୋଲେସନରେ ଥିଲେ ଚନ୍ଦ୍ରମଣି ।

ଏହାପରେ ତାଙ୍କର ବାହାଘରକୁ ୧୮ ତାରିଖକୁ ଘୁଞ୍ଚାଇ ଦେଇଥିଲେ ପରିବାର ଲୋକ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ୧୩ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଧିରେ ଧିରେ ଅକ୍ସିଜେନ୍ ସ୍ତର ଖସିବାରେ ଲାଗିଲା । ହସ୍ପିଟାଲ ସ୍ଥାନାନ୍ତର କରିବା ବେଳେ ଚିରଦିନ ପାଇଁ ଆଖି ବୁଜିଥିଲେ ଚନ୍ଦ୍ରମଣି ।

ଏହି ଖବର ସମଗ୍ର ଅସୁରାଳୀ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପୁଅର ଅକାଳ ବିୟୋଗକୁ ଗ୍ରହଣ କରି ପାରୁ ନାହାନ୍ତି ପରିବାର ଲୋକ । ଦିନ କେଇଟା ପରେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ଚନ୍ଦ୍ରମଣି କଣ ଜାଣିଥିଲେ କରୋନା ତାଙ୍କ ଜୀବନ ନେଇଯିବ ବୋଲି । ଏବେ କେବଳ ଘର କାନ୍ଥରେ ସ୍ମୃତି ହୋଇ ରହିଗଲା ଚନ୍ଦ୍ରମଣି ସହିତ ଶୁଭସ୍ମିତା ।

Leave A Reply

Your email address will not be published.