Latest Odisha News

BREAKING NEWS

ରାଜ୍ୟରେ ଆଜିଠୁ ୪ ଦିନ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୋମବାର ଠାରୁ ୪ ଦିନ ଧରି ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ହିମାଳୟର ବଙ୍ଗୀୟ ପାର୍ବତ୍ୟାଞ୍ଚଳ ତଥା ପୂର୍ବ ବିହାରରେ ଘୂର୍ଣ୍ଣିବଳୟ ଅନୁଭୁତ ହେବା ଯୋଗୁଁ ଓଡ଼ିଶାକୁ ଏହା ପ୍ରଭାବିତ କରିଛି । ଏହା ଫଳରେ ସୋମବାର ଠାରୁ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାଫଳରେ ସୋମବାର ଦିନ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଜଗତସିଂହପୁର, କଟକ, କନ୍ଧମାଳ, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ୪ ଦିନ ଏହି ସବୁ ଜିଲ୍ଲାମାନଙ୍କରେ ତାପମାତ୍ରା ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇବାର ମଧ୍ୟ ସମ୍ଭାବନା ରହିଛି ।

ସେହିପରି ୨୬ ତାରିଖ ଦିନ ଘଡ଼ଘଡ଼ି ସହିତ ଯେଉଁସବୁ ଜିଲ୍ଲା ମାନଙ୍କରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଅନୁଗୁଳ, କନ୍ଧମାଳ , ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼ ପ୍ରଭୃତି ଜିଲ୍ଲା ।

ସେହିପରି ଫେବୃଆରୀ ୨୭ ତାରିଖ ଦିନ ଉତ୍ତର ଓଡ଼ିଶାର କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଯେଉଁ କେତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଯାଜପୁର ଜିଲ୍ଲା ।

ପାଣିପାଗ ସୂତ୍ରରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି ଯେ, ପେବୃଆରୀ ୨୮ ତାରିଖ ଦିନ ଉପକୂଳବର୍ତ୍ତୀ ଅଞ୍ଚଳର କେତୋଟି ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି ଯେ, ରାଜ୍ୟରେ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.