Latest Odisha News

BREAKING NEWS

ସମୁଦ୍ର ମଝିରେ ବୁଡିଗଲା ଜାହାଜ, ୪ ଭାରତୀୟଙ୍କ ଖୋଜଖବର ମିଳୁନି

ନୂଆଦିଲ୍ଲୀ: ରବିବାର ସକାଳେ ଗ୍ରୀସର ଲେସ୍ବୋସ୍ ଦ୍ୱୀପରେ ଏକ ମାଲବାହୀ ଜାହାଜ ବାତ୍ୟାରେ ବୁଡିଯାଇଛି। ଜାହାଜ ମଧ୍ୟରେ ୧୪ ଜଣ କ୍ରିଉ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ନାବିକ ଅଛନ୍ତି।

ରାପ୍ଟର୍ ନାମକ ଏହି ଜାହାଜଟି କୋମୋରୋସରେ ପଞ୍ଜୀକୃତ ହୋଇଥିଲା ଏବଂ ଇଜିପ୍ଟରୁ ଇସ୍ତାନବୁଲ୍ ଯାଉଥିବା ବେଳେ ଏହି ଜାହାଜରେ ୬ ହଜାର ଟନ୍ ଲୁଣ ଥିଲା। ଏଥିରେ ଆଠ ଜଣ ଇଜିପ୍ଟ ନାଗରିକ, ଚାରି ଜଣ ଭାରତୀୟ ଏବଂ ଦୁଇ ଜଣ ସିରିଆ ନାଗରିକଙ୍କ ସମେତ ୧୪ ଜଣ କର୍ମଚାରୀ ଥିଲେ। ଇଜିପ୍ଟର ଜଣେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପରେ ଖୁବ୍ ଶୀଘ୍ର ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ରବିବାର ସକାଳ ୭ଟାରେ ଜାହାଜରେ ଯାନ୍ତ୍ରିକ ସମସ୍ୟା ଦେଖାଦେବା ପରେ ଡିଷ୍ଟ୍ରେସ୍ ସିଗନାଲ ପଠାଇଥିଲା। ଏହାର କିଛି ସମୟ ପରେ ଏହା ଲେସ୍ବୋସର ଦକ୍ଷିଣ-ପଶ୍ଚିମରୁ ପ୍ରାୟ ୮ କିଲୋମିଟର ଦୂରରେ ଅଦୃଶ୍ୟ ହୋଇ ଯାଇଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତଟରକ୍ଷୀ ବାହିନୀର ଜଣେ ମୁଖପାତ୍ର କହିଛନ୍ତି ଯେ ଆଠଟି ବାଣିଜ୍ୟିକ ଜାହାଜ, ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ଗ୍ରୀକ୍ ନେଭି ଫ୍ରିଗେଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବାରୁ ତିନିଟି ତଟରକ୍ଷୀ ଜାହାଜ ଏହି ଅଞ୍ଚଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଗ୍ରୀସରେ ଲଗାତାର ବାତ୍ୟା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ କ୍ଷୟକ୍ଷତି ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଚଳିତ ମାସ ପ୍ରାରମ୍ଭରେ ଏକ ଐତିହାସିକ ଗ୍ରୀକ୍ ଯୁଦ୍ଧ ଜାହାଜ ବାରମ୍ବାର ଏକ ଡକକୁ ଧକ୍କା ଦେବା ପରେ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା।

Comments are closed.