Latest Odisha News

BREAKING NEWS

ମହାନଦୀରେ ୪ ଛାତ୍ରଙ୍କ ସଲିଳ ସମାଧି

କଟକ: କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । ବହୁ ଖୋଜାକୋଜି ପରେ ଆଜି ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ମୁନା ବେହେରା ଓ ଘର ପୋତାପୋଖରୀରେ ।

ଆଜି ସକାଳୁ ନିଖୋଜ ଅନ୍ୟ ୩ ଛାତ୍ରଙ୍କ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିବା ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ପ୍ରଥମେ ଦୁଇ ଜଣ ଓ ପରେ ଅନ୍ୟ ଜଣେ ନିଖୋଜ ଛାତ୍ରର ମୃତଦେହ ମହାନଦୀ ଗର୍ଭରୁ ଉଦ୍ଧାର କରାଯାଇଥିଲା । ମୃତକଙ୍କ ବୟସ ୧୨ରୁ ୧୪ ବର୍ଷ ଭିତରେ ହେବ । ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି । ନିଜ ପିଲାଙ୍କୁ ହରାଇଥିବା ପରିବାରରେ ଶୋକର ଛାୟା ।

ଗତକାଲି ଅପରାହ୍ଣରେ ୪ ଜଣ ଛାତ୍ର ଗାନ୍ଧିପଲ୍ଲୀ ବାଲିଗଡ଼ାରେ ଦୁଇଟି ସାଇକେଲ୍ ରଖି ପଠାକୁ କୋଳି ତୋଳିବାକୁ ଯାଇଥିଲେ । ଏତିକିବେଳେ ନଦୀର ସ୍ରୋତରେ ସେମାନେ ଭାସି ଯାଇଥିଲେ । ସେତେବେଳେ ଘଟଣାସ୍ଥଳରେ କେହି ନଥିବାରୁ କେହି ଦେଖିପାରି ନଥିଲେ କି ସେମାନଙ୍କୁ ଉଦ୍ଧାର କରି ପାରିନଥିଲେ ।

ରାତି ଯାଏ ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକ । କିଛି ସ୍ଥାନୀୟ ଯୁବକ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ସାଇକେଲ୍ ଦୁଇଟି ପଡ଼ିଥିବା ଦେଖିଥିଲେ । ଚାଉଳିଆଗଞ୍ଜ ଥାନାରେ ଅଭିଯୋଗରେ ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ ଟିମ୍ । ଘଟଣାସ୍ଥଳରେ ନିଜେ ପହଞ୍ଚି ଅନୁଧ୍ୟାନ କରିଥିଲେ କଟକ ଡିସିପି ପ୍ରତୀକ ସିଂ । ରାତି ହେବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ ହୋଇଥିଲା ।

Leave A Reply

Your email address will not be published.