Latest Odisha News

BREAKING NEWS

ଚତୁର୍ଥ ଥର ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି। ସକାଳ ୧୧ଟା ୫ ମିନିଟରେ କଡା ସୁରକ୍ଷା ମଧ୍ୟରେ ଆସି ଦିଲ୍ଲୀର ଏପିଜେ ଅବଦୁଲ କାଲାମ ରୋଡସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ। ଏବେ ଇଡି ଅଫିସ ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି। ବ୍ୟାପକ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି।

ଗତ ସପ୍ତାହରେ ଲଗାତର ତିନି ଦିନ ଇଡିରେ ହାଜର ହୋଇଥିଲେ। ପରେ ମା’ ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ଶୁକ୍ରବାର ପରିବର୍ତ୍ତେ ସୋମବାର ହାଜର ହେବାକୁ ଅନୁମତି ମାଗିଥିଲେ। ଏହାପରେ ଇଡି ରାହୁଲଙ୍କ ନିବେଦନକୁ ଗ୍ରହଣ କରି ସୋମବାର ହାଜର ହୋଇ ପକ୍ଷ ରଖିବାକୁ କହିଥିଲେ।

ଗତକାଲି ୫୧ ବର୍ଷରେ ପାଦଥାପିଥିବା କେରଳ ଓ୍ୱାଏନାଡର ସାଂସଦ ରାହୁଲ ଗାନ୍ଧୀ ଗତ ସପ୍ତାହରେ ତିନି ଦିନ ମଧ୍ୟରେ ଇଡି ଅଫିସରେ ମୋଟ୍ ୩୦ ଘଣ୍ଟା ବିତାଇଛନ୍ତି। ଏହି ସମୟରେ ଇଡି ଅଧିକାରୀ ତାଙ୍କୁ ନ୍ୟାସନାଲ ହେରାଲ୍ଜ ମାମଲାରେ ମନି ଲଣ୍ଡରିଂ ମାମଲାରେ ଜେରା କରିଛନ୍ତି।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାଲିକାନାରେ ଥିବା କଂଗ୍ରେସ ପ୍ରମୋସନ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରେ ଆର୍ଥିକ ଅନିୟମିତତା ନେଇ ଏହି ତଦନ୍ତ ଚାଲିଛି। ଏହି ମାମଲାରେ ଉଭୟ ସୋନିଆ ଏବଂ ରାହୁଲ ଜାମିନରେ ଅଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ କଂଗ୍ରେସ ନେତାଙ୍କର ପରଲୋକ ଘଟି ସାରିଛି।

ଇଡି ରାହୁଲ ଗାନ୍ଧୀଙ୍କୁ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରସଙ୍ଗରେ ଜେରା କରୁଛି। ନ୍ୟାସନାଲ ହେରାଲ୍ଡର ଅପରେସନ୍, ଖବରକାଗଜର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ (ଏଜେଏଲ୍)କୁ ପାର୍ଟି ଦେଇଥିବା ଋଣ, ଏବଂ ନ୍ୟୁଜ୍ ମିଡିଆ ପ୍ରତିଷ୍ଠାନ ମଧ୍ୟରେ ପାଣ୍ଠି ହସ୍ତାନ୍ତରକୁ ନେଇ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଛି।

ଅନ୍ୟପଟେ ଆସନ୍ତା ୨୩ ତାରିଖରେ ସୋନିଆଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାକୁ ଅପବ୍ୟବହାର କରି ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏପରି ଜେରା ରାଜନୈତିକ ପ୍ରତିଶୋଧ ବୋଲି କହିଛି।

Leave A Reply

Your email address will not be published.