ପ୍ୟାରିସ: ଗୁଳିକାଣ୍ଡରେ ନାବାଳକ ମୃତ୍ୟୁକୁ ନେଇ ସାରା ଫ୍ରାନ୍ସ ଜଳୁଛି । ୪ ଦିନ ହେଲାଣି ଦେଶରେ ହିଂସା କମୁନି । ସାରା ଦେଶରେ ବିରୋଧ ପ୍ରଦର୍ଶନ ସାଙ୍ଗକୁ ରାସ୍ତା ଅବରୋଧ । ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରୁଛି । ତଥାପି ହିଂସା ଥମୁନି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୬୫ ଜଣଙ୍କୁ ପୋଲିସ ଗିରଫ କରି ନେଲାଣି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୨୦୦ ପୋଲିସ କର୍ମଚାରୀ ଆହତ ହେଲେଣି ।
ଏପରି ପରିସ୍ଥିତିରେ ଫ୍ରାନ୍ସ ଭାରତର ସାହାଯ୍ୟ ଲୋଡିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫ୍ରାନ୍ସ ପଠାଇବା ପାଇଁ ଅନୁରୋଧ କରିଛି । ୟୁରୋପର ଜଣେ ଡାକ୍ତର ତଥା ପ୍ରଫେସର ଏମ.ଜନ କୈମ ଭାରତ ନିକଟରେ ନିଜର ଅନୁରୋଧ ରଖି କହିଛନ୍ତି, ଯଦି ଫ୍ରାନ୍ସର ଦଙ୍ଗା ସ୍ଥିତିକୁ ମୁକାବିଲା କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ପଠାଇବା ଉଚିତ । ସେ ୨୪ ଘଣ୍ଟା ଭିତରେ ସବୁ କିଛି ଠିକ କରିଦେବେ ।
ରାଷ୍ଟ୍ରପତି ଇମୈନୁଏଲ ମୈକ୍ରନ ଶୁକ୍ରବାର ପିତାମାତାଙ୍କୁ କିଶୋର ପିଲାମାନଙ୍କୁ ଘରେ ରଖିବା ପାଇଁ ନିବେଦନ କରିବା ସହ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବ ରଖିଛନ୍ତି ।
ମନ୍ତ୍ରୀମଣ୍ଡଳ ସହ ବୈଠକ ପରେ କହିଛନ୍ତି, ସ୍ନାପଚାଟ ଏବଂ ଟିକଟକ ପରି ସୋସିଆଲ ମିଡିଆ ଚଳିତ ସପ୍ତାହରେ ହିଂସା ଗତିବିଧି ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ୟୁନିଟ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କୁ ସାରା ଦେଶରେ ମୁତୟନ କରାଯାଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରାନ ୟୁରୋପୀୟ ସଂଘର ଶିଖର ସମ୍ମିଳନୀରୁ ଫେରି ଏକ ଜୁରୁରୀ ବୈଠକ ଡାକିଛନ୍ତି । ବୈଠକରେ ରାଷ୍ଟ୍ରପତି ଏହି ଘଟଣାର କଡା ନିନ୍ଦା କରିଛନ୍ତି ।
ଏଠି କହିରଖିବୁ, ଜୁନ ୨୭ ତାରିଖ ସକାଳ ୯ଟାରେ ଟ୍ରାଫିକ ଯାଞ୍ଚ ସମୟରେ ଫ୍ରାନ୍ସ ପୋଲିସ କାରରେ ଯାଉଥିବା ୧୭ ବର୍ଷର ନାହେଲ ଏମ ନାମକ ଏକ ବାଳକକୁ ଗୁଳି ମାରିଥିଲା । ଏହି ଘଟଣା ଘଟିଥିଲା ପ୍ୟାରିସର ନାନଟେରେ ଇଲାକାରେ । ପୋଲିସର କହିବା ଅନୁଯାୟୀ, କାରର ଟାୟରକୁ ଗୁଳି କରୁଥିବାବେଳେ ଏହା ଭୁଲରେ ବାଳକ ଦେହରେ ବାଜିଥିଲା । ପରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା, ପୋଲିସ କାରର ଡୋରଗୁ ଖୋଲି ଗୁଳି କରିଥିଲା । ଏହି ଘଟଣା ପରେ ପ୍ରଥମେ ପ୍ୟାରିସରେ ହିଂସା ଦେଖିବାକୁ ମିଳିଥିଲା । ପରେ ଏହା ପୂରା ଫ୍ରାନ୍ସକୁ ବ୍ୟାପି ଯାଇଥିଲା ।
Comments are closed.