Latest Odisha News

BREAKING NEWS

୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ ବର୍ତ୍ତମାନ ଫ୍ରାନ୍ସ ମଧ୍ୟ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମର୍ଥନରେ ଜାତୀୟ ଆସେମ୍ବଲି ନିକଟରେ ଏହି ବିଲକୁ ବହୁ ସଂଖ୍ୟାରେ ପାସ୍ କରିଛି।

ଶିଶୁ ଏବଂ କିଶୋରମାନଙ୍କୁ ସୁରକ୍ଷା ଦେବା ପାଇଁ ପିଲାମାନଙ୍କୁ ଅନଲାଇନ୍ ଧମକ, ଅତ୍ୟଧିକ ସ୍କ୍ରିନ୍ ସମୟ, ମାନସିକ ସ୍ୱାସ୍ଥ୍ୟ ବିପଦ ଏବଂ କ୍ଷତିକାରକ ବିଷୟବସ୍ତୁରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ମାକ୍ରନ କହିଛନ୍ତି। ଆମ ଦେଶର ପିଲାମାନଙ୍କ ମସ୍ତିଷ୍କ ବିକ୍ରୟ ପାଇଁ ନୁହେଁ ଓ ଏହା ଆମେରିକୀୟ ପ୍ଲାଟଫର୍ମ କିମ୍ବା ଚୀନ୍ ନେଟୱାର୍କ ପାଇଁ ଉପଲବ୍ଧ ନୁହେଁ ବୋଲି ମାକ୍ରନ୍ କହିଛନ୍ତି। ବର୍ତ୍ତମାନ ଏହି ବିଲ୍ ସେନେଟକୁ ଯିବ ଓ ଯଦି ଏହା ପାରିତ ହୁଏ ତେବେ ଏହା ସେପ୍ଟେମ୍ବର ୨୦୨୬ରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

ଏହି ଫରାସୀ ବିଲ୍‌ ୟୁରୋପୀୟ ୟୁନିଅନର ଡିଜିଟାଲ୍ ସେବା ଆଇନ ଅନୁସାରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ଅନଲାଇନ୍‌ ସୁରକ୍ଷା ପାଇଁ କଠୋର ବ୍ୟବସ୍ଥା ଅଛି। ଗତ ନଭେମ୍ବରରେ ୟୁରୋପୀୟ ଆଇନ ପ୍ରଣେତାମାନେ ଅନଲାଇନ୍‌ରେ ନାବାଳକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଇୟୁ ବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରିଥିଲେ। ଯେଉଁଥିରେ ସର୍ବନିମ୍ନ ବୟସ ସୀମା ୧୬ ବର୍ଷ ଧାର୍ଯ୍ୟ କରାଯାଇଥିଲା।

ତେବେ ପ୍ରତି ଦୁଇ ଜଣ କିଶୋର ପ୍ରତିଦିନ ସ୍ମାର୍ଟଫୋନରେ ୨ରୁ ୫ ଘଣ୍ଟା ସମୟ ବିତାଉଥିବା ନେଇ ଫ୍ରାନ୍ସର ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ଦ୍ୱାରା ପ୍ରକାଶ କରାଯାଇଛି। ଡିସେମ୍ବରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୧୨ରୁ ୧୭ ବର୍ଷ ବୟସର ପ୍ରାୟ ୯୦% ପିଲା ଇଣ୍ଟରନେଟ୍ ବ୍ୟବହାର ପାଇଁ ପ୍ରତିଦିନ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ୫୮% ସାମାଜିକ ନେଟୱାର୍କ ପାଇଁ ସେମାନଙ୍କର ଡିଭାଇସ୍‌ ବ୍ୟବହାର କରୁଛନ୍ତି। ଏହାଦ୍ଵାରା ଅନେକ କ୍ଷତି ମଧ୍ୟ ଘଟୁଛି ଯାହାଦ୍ଵାରା ଆତ୍ମସମ୍ମାନ ହ୍ରାସ, ଆତ୍ମ-କ୍ଷତି ଏବଂ ଆତ୍ମହତ୍ୟା ଭଳି ମାମଲା ବୃଦ୍ଧି ହେଉଛି। ଗତ କିଛି ବର୍ଷ ମଧ୍ୟରେ ଫ୍ରାନ୍ସର ଅନେକ ପରିବାର କିଶୋର ଆତ୍ମହତ୍ୟା ପାଇଁ ଟିକଟକ ଉପରେ ମାମଲା ରୁଜୁ କରିଛନ୍ତି କାରଣ ଏହା କ୍ଷତିକାରକ ବିଷୟବସ୍ତୁ ସହିତ ଜଡିତ ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।

କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସ୍କଙ୍କ ଉପରେ ସୋସିଆଲ ମିଡିଆ ପ୍ରତିବନ୍ଧକ ଲାଗୁ ହେବା ପରେ କମ୍ପାନୀଗୁଡ଼ିକ ପ୍ରାୟ ୪.୭ ନିୟୁତ ଆକାଉଣ୍ଟ ବ୍ଲକ କରିଥିବା ନେଇ ଜଣାପଡ଼ିଛି। ଯାହାପରେ ଅଷ୍ଟ୍ରେଲିଆରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର, ଗୋପନୀୟତା, ଶିଶୁ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ତୀବ୍ର ବିତର୍କ ଆରମ୍ଭ ହୋଇଯାଇଛି। ସେହିପରି ଅନ୍ୟଦେଶ ଗୁଡ଼ିକ ଏଥିରୁ ପ୍ରେରଣା ହାସଲ କରି ନିଜ ଦେଶରେ ମଧ୍ୟ ଏହି ନିୟମ ଲାଗୁ କରିବା ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି କୁହାଯାଉଛି।

Comments are closed.