Latest Odisha News

BREAKING NEWS

ମେ ୫ରେ ୟୁପିଏସ୍‌ସି କୋଚିଂ ପ୍ରବେଶିକା, ପରୀକ୍ଷା ଦେବେ ୩ ହଜାର ୭୩୧ ଶିକ୍ଷାର୍ଥୀ

ଭୁବନେଶ୍ୱର: ୟୁପିଏସ୍‌ସି ସିଭିଲ୍ ସର୍ଭିସ ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ମେ ୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୩ ହଜାର ୭୩୧ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। କେବଳ ଭୁବନେଶ୍ୱର ଜୋନରେ ପରୀକ୍ଷା ଦେବା ପାଇଁ ୨୧୦୦ ରୁ ଅଧିକ ପିଲା ଆବେଦନ କରିଛନ୍ତି।

ଭୁବନେଶ୍ୱର ପରୀକ୍ଷା ପାଇଁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି। ଷ୍ଟାଫ୍ ସିଲେକ୍ସନ ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ୟୁପିଏସ୍‌ସି ସିଭିଲ୍ ସର୍ଭିସ ଆବାସିକ କୋଚିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଗତ ୨ ତାରିଖରେ ଆବେଦନ ସରିଥିବା ବେଳେ ଏସ୍ଏସ୍‌ବି ୱେବସାଇଟରେ ଆଡମିଟ୍ କାର୍ଡ଼ ଉପଲବ୍ଧ ରହିଛି।

ଆବେଦନକାରୀ ନିଜ ରୋଲ ନମ୍ବର ଏବଂ ମୋବାଇଲ ନମ୍ବର ଦେଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ପ୍ରବେଶିକା ପରେ ଏସ‌୍ଏସ‌‌୍‌ବି ମୂଲ୍ୟାୟନ ଆଧାରରେ ଶ୍ରେଷ୍ଠ ୨୦୦ ପିଲାଙ୍କ ତାଲିକା କରାଯିବ। ସେମାନଙ୍କୁ ମାଗଣାରେ କୋଚିଂ ଦିଆଯିବ। ସବୁ ବର୍ଗରେ ୩୦ ପ୍ରତିଶତ ଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ। ଜୁନ୍‌ରୁ କୋଚିଂ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଯୋଜନା ରଖିଛି। ସୂଚନାଯୋଗ୍ୟ, ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ସରକାର ୧୧ ମାସର ମାଗଣା ରେସିଡେନ୍ସିଆଲ କୋଚିଂ ପ୍ରଦାନ କରୁଛନ୍ତି। ସରକାର ଖାଇବା ଓ ରହଣି ପାଇଁ ମଧ୍ୟ ଟଙ୍କା ଦେଇଥାନ୍ତି। ପ୍ରତି ମାସରେ ଛାତ୍ରୀଛାତ୍ରଙ୍କ ୯୦ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିଛି।

 

Leave A Reply

Your email address will not be published.