ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି।
ଲକ୍ଷ୍ନୌ କୋର୍ଟ ଦ୍ୱାରା ରାହୁଲଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ମାନହାନି ମାମଲା ଏବଂ ସମନକୁ ରଦ୍ଦ କରିବା ପାଇଁ ଆବେଦନ କରାଯାଇଥିଲା। ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୧୯(୧)(କ) ଅନୁଯାୟୀ ମଣିଷକୁ ନିଜର ରାୟ ରଖିବାର ସ୍ଵାଧୀନତା ରହିଛି କିନ୍ତୁ ଭାରତୀୟ ସେନା ପ୍ରତି ମାନହାନିଜନକ ବକ୍ତବ୍ୟ ଦେବାର ସ୍ୱାଧୀନତା ନାହିଁ।
ତେବେ ରାଜସ୍ଥାନ ଗସ୍ତ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତୀୟ ଗଣମାଧ୍ୟମ ଭାରତ ଯୋଡୋ ଯାତ୍ରା ବିଷୟରେ ପଚାରିବେ ଓ ଅଶୋକ ଗେହଲଟ୍ କିମ୍ବା ସଚିନ୍ ପାଇଲଟ୍ ଏବଂ ଅନ୍ୟାନ୍ୟ ସବୁ କିଛି ବିଷୟରେ ପଚାରିବେ କିନ୍ତୁ ଚୀନ୍ ଦ୍ୱାରା ଯେଉଁ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିନେବା ଓ ୨୦ ଜଣ ଭାରତୀୟ ସୈନିକଙ୍କୁ ହତ୍ୟା କରିବା ଏବଂ ଅରୁଣାଚଳ ପ୍ରଦେଶରେ ଭାରତୀୟ ସୈନିକଙ୍କୁ ମାଡ଼ ମାରିବା ବିଷୟରେ କୌଣସି ପ୍ରଶ୍ନ ପଚାରିବେ ନାହିଁ।
ଚୀନ ସୈନିକମାନେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଯବାନଙ୍କୁ ମାଡ଼ ମାରିଥିବା ମନ୍ତବ୍ୟକୁ ନେଇ ସୀମା ସଡ଼କ ସଂଗଠନ (BRO)ର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଉତ୍ତର ପ୍ରଦେଶରେ ଏକ ମାନହାନି ଅଭିଯୋଗ ଦାଖଲ କରିଥିଲେ। ସେ କହିଥିଲେ ଯେ ଏହି ମନ୍ତବ୍ୟଗୁଡ଼ିକ ମାନହାନିଜନକ ଓ ଭାରତୀୟ ସଶସ୍ତ୍ର ବାହିନୀକୁ ଅସମ୍ମାନିତ କରିଥିଲା।
Comments are closed.