ଚେନ୍ନାଇ: ଜାତୀୟ ରାଜନୀତିରେ ଏକଦା ପରସ୍ପରକୁ ‘ଭାଇ’ ବୋଲି ସମ୍ବୋଧନ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କ ମଧ୍ୟରେ ଥିବା ତିକ୍ତତା ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ଅନୁଷ୍ଠିତ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ ପୁସ୍ତକ ଉନ୍ମୋଚନ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ରାହୁଲ ଗାନ୍ଧୀ ଫୋନ୍ କରିବାକୁ ଚାହିଁଥିଲେ ମଧ୍ୟ ଷ୍ଟାଲିନ୍ ତାଙ୍କ ସହ କଥା ହେବାକୁ ମନା କରିଦେଇଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଷ୍ଟାଲିନଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲା। ରାହୁଲ ନିଜେ ଫୋନରେ କଥା ହୋଇ ନିମନ୍ତ୍ରଣ ଦେବାକୁ ଚାହୁଁଥିଲେ। କିନ୍ତୁ ଷ୍ଟାଲିନ୍ ଏହି କଲ୍କୁ ଏଡ଼ାଇ ଯାଇଥିଲେ ଏବଂ କେବଳ ସୌଜନ୍ୟତା ଦୃଷ୍ଟିରୁ ସୋନିଆ ଗାନ୍ଧୀଙ୍କ ନୂତନ ପୁସ୍ତକର ସଫଳତା ପାଇଁ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।
କାହିଁକି ବଢ଼ିଲା ଦୂରତା?
ଗତ ତାମିଲନାଡୁ ବିଧାନସଭା ନିର୍ବାଚନ ସମୟରୁ ହିଁ ଉଭୟ ନେତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି* ହୋଇଥିଲା। ଆସନ ବୁଝାମଣା ସମୟରେ ଷ୍ଟାଲିନ୍ ପ୍ରାୟ ୫ ଥର ରାହୁଲ ଗାନ୍ଧୀଙ୍କୁ ଫୋନ୍ କରିଥିଲେ ହେଁ ରାହୁଲଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । ନିର୍ବାଚନ ପ୍ରଚାରରେ ମଧ୍ୟ ଦୁଇ ନେତା ଗୋଟିଏ ମଞ୍ଚରେ ନଜର ଆସିନଥିଲେ।
ନିର୍ବାଚନ ପରେ କଂଗ୍ରେସ ଡିଏମ୍କେର ହାତ ଛାଡ଼ି ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କଝଗମ୍’ (ଟିଭିକେ) ସରକାରରେ ସାମିଲ ହେବା ଷ୍ଟାଲିନଙ୍କୁ ଗଭୀର ଆଘାତ ଦେଇଥିଲା। ବିଶେଷ କଥା ହେଉଛି, ସୋନିଆ ଗାନ୍ଧୀଙ୍କ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଯୋଗଦେଇ ରାହୁଲ ଓ ସୋନିଆଙ୍କ ସହ ମଞ୍ଚ ସେୟାର କରିଥିବା ବେଳେ ଷ୍ଟାଲିନ୍ ରାହୁଲଙ୍କ କଲ୍ ଗ୍ରହଣ ନକରିବା ଡିଏମ୍କେ-କଂଗ୍ରେସ ସମ୍ପର୍କର ତିକ୍ତତାକୁ ସ୍ପଷ୍ଟ କରିଛି।
