Latest Odisha News

BREAKING NEWS

ଭାଙ୍ଗିଲା ବିଜେଡି ଗଡ

ଭୁବନେଶ୍ବର: ଓଡିଶାରେ ସରକାର ପରିବର୍ତ୍ତନ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁଠି ଉଡୁଥିଲା ସବୁଜ ବାନା, ସେଠି ଫୁଟିଲା ପଦ୍ମ । ଏଥର ନିର୍ବାଚନରେ ବର୍ଷ ବର୍ଷ ଧରି ରହିଥିବା ବିଜେଡି ଗଡ ଭାଙ୍ଗିଛି ବିଜେପି । ଦକ୍ଷିଣ ହେଉ କି ଉପକୂଳ, ଯେଉଁଠି ବିଜେଡି ଦୁର୍ଗ ବନାଇଥିଲା, ସେଠାରେ ପଦ୍ମ ଫୁଟାଇଛି ବିଜେପି । ପରାଜୟର ମୁହଁ ଦେଖିଛନ୍ତି ବିଜେଡିର ଟାଣୁଆ ନେତା ଓ ମନ୍ତ୍ରୀ ।

ଗଞ୍ଜାମ ଦୁର୍ଗ ଭାଙ୍ଗିଲା
ଗତଥର ଗଞ୍ଜାମ ଜିଲ୍ଲାରେ ମୋଟ ୧୩ଟି ଆସନରୁ ୧୨ଟି ଜିତିଥିଲା ବିଜେଡି । କେବଳ ସାନଖେମୁଣ୍ଡି ଆସନ ଯାଇଥିଲା କଂଗ୍ରେସ ଖାତାକୁ । ଏଥର ଗଞ୍ଜାମରେ କେବଳ ହିଞ୍ଜିଳି ସିଟ ହିଁ ରକ୍ଷା କରିପାରିଲା ବିଜେଡି । ହିଞ୍ଜିଳିରେ ବି ସିଟ୍ ବଞ୍ଚାଇବାକୁ ଜୋରଦାର କସରତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଂଗ୍ରେସ ସାନଖେମୁଣ୍ଡି ନିଜ ଦଖଲରେ ରଖିିଥିବା ବେଳେ ବାକି ୧୧ଟି ସିଟରେ ପଦ୍ମ ଫୁଟିଛି । ରାଜ୍ୟ ଶାସନ ବିରୋଧୀ ହାୱା, ଓଡିଶା ଅସ୍ମିତା ହେଉ କି ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟି ଚାଳନା, ଗଞ୍ଜାମ ସହ ବିଜେଡିର ଦକ୍ଷିଣ ଦୁର୍ଗ ପତନ ହୋଇଛି ।

କୋରାପୁଟ, ମୟୂରଭଞ୍ଜରେ ମୂଳପୋଛ
କୋରାପୁଟ ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ କୌଣସି ବିଧାନସଭା ସିଟ୍ ଜିତିପାରିନି ବିଜେଡି । କୋରାପୁଟରେ ସବୁଠୁ ଭଲ ପ୍ରଦର୍ଶନ କରିଛି କଂଗ୍ରେସ । ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଓ ପଟ୍ଟାଙ୍ଗୀ ସିଟରେ ହାତକୁ ମିଳିଛି ଜନତାଙ୍କ ସାଥ୍ । କୋରାପୁଟ ବିଧାନସଭା ଆସନ ବିଜେପି ଜିତିଥିବା ବେଳେ ବିଜେଡି ଖାତା ଖୋଲି ପାରିନି । ମୟୂରଭଞ୍ଜ ଲୋକସଭା ଆସନ ଅଧୀନ ଥିବା ବିଧାନସଭା ସିଟରେ କ୍ଲିନ୍ ସୁଇପ୍ କରିଛି ବିଜେପି । ସମସ୍ତ ସିଟରେ ପଦ୍ମ ଫୁଟିଛି । ମୟୂରଭଞ୍ଜରେ ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବିଜେଡି ଗୋଟିଏ ବି ଆସନ ଜିତିପାରିନି ।

ଉପକୂଳରେ ପଶିଲା ବିଜେପି
ରାଜ୍ୟର ଉପକୂଳ ଓଡିଶା ବିଜେଡିର ଗଡ ରହିଥିଲା । ହେଲେ ଏଥର ଉପକୂଳରେ ବି ଭଲ ପ୍ରଦର୍ଶନ କରିଛି ବିଜେପି । ଜଗତସିଂହପୁର ଜିଲ୍ଲାର ୪ଟି ଯାକ ଆସନ ଗତଥର ବିଜେଡି ପାଖରେ ଥିବା ବେଳେ ଏଥର ପାରାଦୀପ ଓ ଜଗତସିଂହପୁର ବିଧାନସଭା ବିଜେପିକୁ ଯାଇଛି । କେନ୍ଦ୍ରାପଡାରେ ବି ପଶିଛି ବିଜେପି । ଗତଥର ୫ଟି ଆସନ ବିଜେଡି ପାଖରେ ଥିବା ବେଳେ ଏଥର ମହାକାଳପଡାରେ ଦଳର ହେଭିୱେଟ୍ ନେତା ଅତନୁ ସବ୍ୟସାଚୀ ନାୟକ ହାରିଛନ୍ତି । ଗତଥର ଯାଜପୁରର ୭ଟି ଯାକ ବିଧାନସଭା ବିଜେଡି ପାଖରେ ଥିଲା । ହେଲେ ଏଥର ବଡଚଣା, ସୁକିନ୍ଦା, କୋରେଇ ବିଜେପି ଦଖଲ କରିଥିବା ବେଳେ ଧର୍ମଶାଳାରେ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ସାହୁ । ଦଳର ସାଂଗଠନିକ ସଂପାଦକଙ୍କ ଦବଦବା ଥିବା ଯାଜପୁରରେ ବିଜେଡିର ଗଡ ଭାଙ୍ଗିଛି ବିଜେପି । କଟକର ଦୁଇଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବଡମ୍ବାରେ ଦେବୀ ମିଶ୍ର ତ ମାହାଙ୍ଗାରେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପରାଜିତ ହୋଇଛନ୍ତି । କଟକ ସଦରରେ ବିଜେପି ଓ କଟକ-ବାରବାଟୀରେ କଂଗ୍ରେସ ଜିତିଛି ।

ପୁରୀ ଖୋର୍ଦ୍ଧାରେ ବି ଗେରୁଆ
ପୁରୀ ଜିଲ୍ଲାର ନିମାପଡା, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ଆସନରେ ଉଡିଛି ଗେରୁଆ ବାନା । ବ୍ରହ୍ମଗିରିକୁ ଛାଡିଦେଲେ ବାକି ସବୁ ଆସନ ଗତଥର ଜିତିଥିଲା ବିଜେଡି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ବି ବିଜେଡିର ପାରମ୍ପରିକ ଗଡ ଭାଙ୍ଗିଛି ବିଜେପି । ଚିଲିକାରେ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ୱର ଏକାମ୍ରରେ ବାବୁ ସିଂ ବିଜୟୀ ହୋଇଛନ୍ତି । ଗତଥର ଏସବୁ ଆସନରେ ଶଙ୍ଖନାଦ ହୋଇଥିଲା ।

ବିଜେଡିର ଅନେକ ହେଭିୱେଟ୍ ନେତା ଓ ମନ୍ତ୍ରୀ ମଧ୍ୟ ହାରିଛନ୍ତି । ବିକ୍ରମ କେଶରୀ ଆରୁଖ ହୁଅନ୍ତୁ କି ଟୁକୁନି ସାହୁ, ପ୍ରଦୀପ ଅମାତ୍ ହୁଅନ୍ତୁ କି ପ୍ରୀତିରଞ୍ଜନ ଘଡେଇ । ଦଳର ଅନେକ ଟାଣୁଆ ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିବା ସହ ନୂଆ ଚେହେରାଙ୍କୁ ବାଛିଛନ୍ତି ଜନତା ।

Leave A Reply

Your email address will not be published.