Latest Odisha News

BREAKING NEWS

ରାଇରଙ୍ଗପୁରରୁ ରାଇସିନା ରେସ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ଏବେ ସବୁ ଆଡେ଼ ଗୋଟିଏ ଚର୍ଚ୍ଚା ଜଣେ ସଶକ୍ତ, ଦୃଢ଼ମନା ଆଦିବାସୀ ମହିଳାଙ୍କୁ ନେଇ । ମହିଳା ଜଣଙ୍କ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଝିଅ ପୂର୍ବତନ ମନ୍ତ୍ରୀ , ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଅଧୁନା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ସେ । ଗଣମାଧମ, ସାମାଜିକ ଗଣ ମାଧ୍ୟମ ଖୋଲିଦେଲେ ସେ ଏତେ ଏବେ ଲୋକପ୍ରିୟ ହୋଇଯାଇଛନ୍ତି ଯେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଆମ ଓଡ଼ିଶାର ଝିଅ ପାଇଁ ଆମେ ଗର୍ବ ଅନୁଭବ କରୁଛୁ l ସତେ ଯେମିତି ଲାଗୁଛି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦଳମତ ନିର୍ବିଶେଷରେ ସେ ହିଁ ଭାରତ ର ଆଗାମୀ ରାଷ୍ଟ୍ରପତି । ଖାଲି ବୁଦ୍ଧିଜୀବି ମହଲରେ ଏଇ ଆଲୋଚନା ଆଉ ସୀମିତ ନାହିଁ । ଚା’ ଖଟିରୁ ଆରମ୍ଭ କରି ଅଫିସ ସବୁ ଜାଗାରେ ମାଡ଼ାମଙ୍କୁ ନେଇ ଅନେକ ଉତ୍କଣ୍ଠା ରହିଛି । ରହିବ ବା ନାହିଁ କେମିତି। ଦେଶ ଦେଖିବ ପ୍ରଥମ ଆଦିବାସୀ ଓଡ଼ିଆ ମହିଳା ଓଡ଼ିଶାର ମହିଳାଙ୍କୁ ଦେଶର ପ୍ରଥମ ନାଗରିକ ଭାବରେ । ଅନେକଙ୍କ ପାଇଁ ସେ ହେଉଛନ୍ତି ଅସୀମ ଧୈର୍ଯ୍ୟର ବଳିଷ୍ଠ ଉଦାହରଣ । ପିଲା ବେଳରୁ କଠିନ ପରିଶ୍ରମ ଆଉ ନିଜେ ନିଜ ଗୋଡ଼ରେ ଠିଆ ହେବାର ପ୍ରୟାସ ତାଙ୍କୁ ଯେ ଆଜି ଏତେ ସଫଳତା ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆତ୍ମବିଶ୍ଵାସ ଓ ମନୋବଳ ଥିଲେ ସବୁ କିଛି ସମ୍ଭବ ବୋଲି ସେ ଆଜି ପ୍ରମାଣିତ କରିଛନ୍ତି । ଭୁବେନେଶ୍ୱରରେ ପାଠ ପଢ଼ା ପରେ ପରେ କିଛି ଦିନର ଚାକିରି ଜୀବନ ଏବଂ ତାପରେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦାନ କାଉନସିଲରରୁ ବିଧାନସଭା ତାଙ୍କ ଯାତ୍ରା ବେଶ ସଂଘର୍ଷମୟ ଥିଲା  ନବେ ଦଶକ ରାଜନୀତି ରେ ଏଇ ଆଦିବାସୀ ମହିଳା ଜଣଙ୍କ ଅନେକ ମହିଳାଙ୍କ ପାଇଁ ବଡ଼ ଉଦାହରଣ ସାଜିଥିଲେ ।

ସାଧାରଣ ମହିଳା ନୁହେଁ ତ ସେ ଅସାଧାରଣ ମହିଳା ଭାବରେ ସେ ନିଜକୁ ପ୍ରତି କ୍ଷେତ୍ରରେ ପ୍ରମାଣିତ କରିଛନ୍ତି। ୨୦୦୦ ମସିହାରେ ଯେତେବେଳେ ମିଳିତ ସରକାର ବା ମେଣ୍ଟ ସରକାର ହେଲା ସେତେବେଳେ ସେ ଭାରତୀୟ ଜନତା ପାର୍ଟିର (ଓଡ଼ିଶା) ପ୍ରଥମ ମହିଳା ମନ୍ତ୍ରୀ ଭାବରେ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ (ବାଣିଜ୍ୟ ଓ ଟ୍ରାନ୍ସପୋର୍ଟ ) ର ଦାୟିତ୍ୱ ନେଇଥିଲେ । ଦୁଇ ଦୁଇଟି ବଡ଼ ଦୁର୍ଘଟଣା ତାଙ୍କ ଜୀବନର ମୋଡ଼ ପରିବର୍ତ୍ତନ କରିଥିଲା । କିନ୍ତୁ ସେ ଭାଙ୍ଗିପଡ଼ି ନଥିଲେ । ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଜିଥିଲେ । ସେ ସମୟ ରେ ତାଙ୍କ ଦଳ ମଧ୍ୟ ତାଙ୍କ ହାତ ଛାଡ଼ିନଥିଲା । କିଛି ଦିନର ବିଶ୍ରାମ ପରେ ସେ ହେଲେ ୨୦୧୫ ରୁ ୨୦୨୧ ଝାରଖଣ୍ଡର ରାଜ୍ୟପାଳ । ଅନେକ ସାମାଜିକ ସଙ୍ଗଠନ ଓ ଆଧ୍ୟାତ୍ମିକ ସଙ୍ଗଠନ ଦ୍ୱାରା ସେ ଅନେକ ଜନହିତକର କାର୍ଯ୍ୟ କରିଥିଲେ  ଯାହାର ଫଳ ସ୍ୱରୂପ ଆଜି ସେ ସାଢ଼େ ଚାରିକୋଟି ଓଡ଼ିଆଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛନ୍ତି । ଦେଶ, ବିଦେଶ ସବୁ ଜାଗାରେ ଆମ ଓଡ଼ିଆ ମହିଳା ଜଣେ ଆଗାମୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ବୋଲି ଖୁସିର ଲହର ଓଡ଼ିଆଙ୍କ ଭିତରେ ଖେଳିଯାଇଛି । ମହିଳାମାନେ ଦେଶର ସର୍ବୋଚ୍ଚ ସ୍ଥାନରେ ବସିଲେ ଦେଶର ପ୍ରଗତି ଆଉ ଦ୍ରୁତ ଗତିରେ ବଢ଼ିବ ଏଥିରେ ସନ୍ଦେହ ନାହିଁ । ଆଉ ତା’ ପୁଣି ଯେତେବେଳେ ଜଣେ ଓଡ଼ିଆ ମହିଳା ସେ ସ୍ଥାନରେ ବସିବେ । ସବୁ ଓଡ଼ିଆ ଆଉ ଓଡ଼ିଶା ମାଟି ଆମର ଗର୍ବରେ ମହିଳା ସଶକ୍ତିକରଣର ଗାଥା ଗାଇବ। ସୁଗୃହିଣୀ ସେ…. ଆଜି ଯେତେବେଳେ ବେଳେ ତାଙ୍କ ଝିଅଙ୍କୁ ପଚରା ଯାଇଥିଲା ମା ଦିଲ୍ଲୀ ଗଲା ବେଳେ କଣ କହି କି ଗଲେ ଆପଣଙ୍କୁ ?  ଝିଅଙ୍କର ଉତ୍ତର ଥିଲା ଘର ଦେଖୁଥିବୁ ଆଉ ଛୁଆଙ୍କୁ ସମ୍ଭାଳିବୁ । ସେ ଦୁଇ ପଦ କଥା ହିଁ ମହିଳା କେମିତି ଘର,ପରିବାର ଆଉ ଦେଶ ସମ୍ଭାଳିପlରିବାର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରିପାରେ ତା’ର ଜ୍ୱଳନ୍ତ ଉଦାହରଣ ହେଲେ ଦ୍ରୌପଦୀ ମୁର୍ମୁ । ଆଜି ରାଇସିନା ହିଲର ରେସରେ ସେ ଅଛନ୍ତି । ଆଗାମୀ ଦିନରେ ହେବେ ଦେଶର ସର୍ବୋଚ୍ଚ କର୍ତ୍ତୀ । ମହିଳା ସଶକ୍ତିକରଣର ବଡ଼ ବାର୍ତ୍ତା ସେ।  ସଂଘର୍ଷମୟ ଜୀବନରେ ରାଇରଙ୍ଗପୁରରୁ ରାଇସିନା ହିଲର ଯାତ୍ରା ତାଙ୍କର ସଫଳ ଆଉ ଆଲୋକବର୍ତ୍ତିକା ହେଉ ।

Leave A Reply

Your email address will not be published.