କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ ଏବେ ସଙ୍କଟ ଦେଇ ଗତି କରୁଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ଦଳ ଭିତରେ ବଢୁଥିବା ତୀବ୍ର ବିଦ୍ରୋହ ମମତା ବାନାର୍ଜୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଆଉ ଏକ ନୂଆ ଘଟଣାକ୍ରମ ଟିଏମସିର ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଗୋଟିଏ ପଟେ କାଳୀଘାଟରେ ଦଳୀୟ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ସିଆଇଡି ତଦନ୍ତ ଦଳ ପାଇଁ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି।
ବିପର୍ଯ୍ୟସ୍ତ ସ୍ଥିତିକୁ ସୁଧାରିବା ପାଇଁ ମମତା ବାନାର୍ଜୀ ନିଜ କାଳୀଘାଟ ବାସଭବନରେ ଏକ ଉଚ୍ଚସ୍ତରୀୟ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଦ୍ରୋହୀ ବିଧାୟକଙ୍କୁ ମନାଇବା ସଂଗଠନକୁ ପୁନର୍ଗଠନ କରିବା ଏବଂ ନେତାଙ୍କୁ ନୂଆ ଦାୟିତ୍ୱ ବଣ୍ଟନ କରିବା ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ତେବେ ଏହି ସମୟରେ ସିଆଇଡିର କାର୍ଯ୍ୟାନୁଷ୍ଠାନ ଟିଏମସି ନେତାଙ୍କ ଚିନ୍ତା ବଢ଼ାଇଦେଇଛି। ବିଧାୟକଙ୍କ ଜାଲ୍ ଦସ୍ତଖତ ଏବଂ ନିଯୁକ୍ତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିଆଇଡିର ଏକ ସ୍ୱତନ୍ତ୍ର ଟିମ୍ ଅଭିଷେକ ବାନାର୍ଜୀଙ୍କ କାଳୀଘାଟ ସ୍ଥିତ ବାସଭବନରେ ପହଞ୍ଚି ନୋଟିସ୍ ଜାରି କରିଛି। ଏହି ଘଟଣା ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ହଟଚମଟ ସୃଷ୍ଟି କରିଛି।
ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଦଳର ଏକାଧିକ ବିଧାୟକ ବିଦ୍ରୋହ କରିଥିବା ବେଳେ ଏବେ ସିଆଇଡିର ପ୍ରବେଶ ମମତାଙ୍କ ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି। ଆଭ୍ୟନ୍ତରୀଣ କନ୍ଦଳ ଏବଂ କେନ୍ଦ୍ରୀୟ ଏଜେନ୍ସିର ଜୋରଦାର ତଦନ୍ତ ଭିତରେ ତୃଣମୂଳ କଂଗ୍ରେସ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଲଗାତାର ସଂଘର୍ଷ କରୁଛି। ରାଜ୍ୟ ରାଜନୀତି ଏବେ କେଉଁ ଦିଗକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।