Latest Odisha News

BREAKING NEWS

ମମତାଙ୍କ ପାଇଁ ଯୁସୁଫ ପଠାନଙ୍କୁ ଆସନ ଛାଡ଼ିବାକୁ କହିଥିଲେ କି ସୌରଭ ଗାଙ୍ଗୁଲି? ପ୍ରକୃତ ସତ୍ୟ ସାମ୍ନାକୁ ଆଣିଲେ ‘ଦାଦା’

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚା ଜୋର ଧରିଛି। ବହରାମପୁର ଲୋକସଭା ଆସନରୁ ଟିଏମସି ସାଂସଦ ଥିବା ପୂର୍ବତନ କ୍ରିକେଟର ଯୁସୁଫ ପଠାନଙ୍କୁ ଇସ୍ତଫା ଦେବା ପାଇଁ ମମତା ବାନାର୍ଜୀ କହିଥିବା ନେଇ ଗୁଜବ ଉଠିଥିଲା। ଖବର ମଧ୍ୟ ପ୍ରକାଶ ପାଇଲା ଯେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମମତାଙ୍କ ଦୂତ ସାଜି ଯୁସୁଫ ପଠାନଙ୍କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଆସନ ଛାଡ଼ିବାକୁ କହିଥିଲେ। ତେବେ ଏବେ ସୌରଭ ଗାଙ୍ଗୁଲି ନିଜେ ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।

ଶନିବାର ଦିନ ଏକ ସ୍ପଷ୍ଟୀକରଣ ଦେଇ ସୌରଭ କହିଛନ୍ତି ଯେ ଏହି ସମସ୍ତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ପ୍ରେସ ରିଲିଜ ଜାରି କରି କହିଛନ୍ତି, ମମତା ବାନାର୍ଜୀ ତାଙ୍କୁ ଏଭଳି କୌଣସି ବାର୍ତ୍ତା ଦେଇନାହାନ୍ତି କିମ୍ବା ସେ ଯୁସୁଫ ପଠାନଙ୍କ ସହ ଏହି ପ୍ରସଙ୍ଗରେ କୌଣସି କଥାବାର୍ତ୍ତା କରିନାହାନ୍ତି। ଯେତେବେଳେ ସେ କୌଣସି ବାର୍ତ୍ତା ନେଇ ଯାଇନାହାନ୍ତି ତେଣୁ ଯୁସୁଫ ପଠାନ ତାହାକୁ ପ୍ରତ୍ୟାଖ୍ୟାନ କରିବାର ପ୍ରଶ୍ନ ହିଁ ଉଠୁନାହିଁ। ନିଜକୁ ରାଜନୀତିଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଥିବା ନେଇ ଗାଙ୍ଗୁଲି ଏହି ଅବସରରେ ଦୋହରାଇଛନ୍ତି।

ବିନା ତଥ୍ୟରେ ଏଭଳି ମିଥ୍ୟା ଖବର ପ୍ରକାଶ କରିଥିବାରୁ ସୌରଭ ଗାଙ୍ଗୁଲି ଗଣମାଧ୍ୟମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖବର ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଏଭଳି ଗୁଜବ ପ୍ରସାରିତ ହେବା ଦ୍ୱାରା ତାଙ୍କ ଭାବମୂର୍ତ୍ତି ଖରାପ ହେଉଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀ ନିକଟରେ ନିଜ ବିଧାନସଭା ଆସନରୁ ପରାସ୍ତ ହୋଇ କ୍ଷମତାଚ୍ୟୁତ ହେବା ପରେ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସେ ବହରାମପୁର ଭଳି ସୁରକ୍ଷିତ ଲୋକସଭା ଆସନ ଖୋଜୁଛନ୍ତି ଯେଉଁଠାରୁ ଯୁସୁଫ ପଠାନ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀଙ୍କୁ ହରାଇ ସାଂସଦ ହୋଇଛନ୍ତି। ତେଣୁ ଯୁସୁଫ ପଠାନଙ୍କୁ ଇସ୍ତଫା ଦେବାକୁ ଚାପ ପକାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସୌରଭ ଗାଙ୍ଗୁଲିଙ୍କ ସ୍ପଷ୍ଟୀକରଣ ପରେ ଏବେ ଏହି ସମସ୍ତ ରାଜନୈତିକ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Leave A Reply

Your email address will not be published.