Latest Odisha News

BREAKING NEWS

ସ୍ଥିତି ଏମିତି ରହିଲେ ପେଟ୍ରୋଲ ୧୭, ଡିଜେଲରେ ୭୭ ଟଙ୍କା ବୃଦ୍ଧି ଆଶଙ୍କା କଲେ ସଞ୍ଜୟ ଲାଠ

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲ ସଙ୍କଟ ଭିତରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ତାଙ୍କ କହିବା ଅନୁସାରେ, ଯଦି ତେଲ ଆମଦାନୀ ସ୍ୱାଭାବିକ ନହୁଏ, ତେବେ ତୈଳ କମ୍ପାନୀମାନେ କ୍ଷତି ପୂରଣ ପାଇଁ ଆଗକୁ ଦର ବୃଦ୍ଧି କରିପାରନ୍ତି।

ସଞ୍ଜୟ ଲାଠଙ୍କ ଦାବି ଅନୁଯାୟୀ, ଏଭଳି ସ୍ଥିତି ଜାରି ରହିଲେ ପେଟ୍ରୋଲ ଦରରେ ପ୍ରାୟ ୧୭ ଟଙ୍କା ଓ ଡିଜେଲ ଦରରେ ପ୍ରାୟ ୭୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିର ଆଶଙ୍କା ରହିଛି। ଏହି ମନ୍ତବ୍ୟ ପରେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ଆହୁରି ବଢ଼ିଛି।

ତେବେ ରାଜ୍ୟରେ ହଠାତ୍ କାହିଁକି ତୈଳ ସଙ୍କଟ ଦେଖାଦେଲା, ସେନେଇ ମଧ୍ୟ ସଞ୍ଜୟ ଲାଠ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ତେଲ କମ୍ ବ୍ୟବହାର କରିବାକୁ ଆହ୍ୱାନ କରିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଲା। ଆବଶ୍ୟକତାଠାରୁ ଅଧିକ ତେଲ କିଣିବାକୁ ଲୋକେ ପେଟ୍ରୋଲ ପମ୍ପକୁ ଭିଡ଼ ଲଗାଇଲେ। ଫଳରେ ଚାହିଦା ହଠାତ୍ ବହୁଗୁଣା ବଢ଼ିଗଲା।

ପୂର୍ବରୁ ଯେତେ ପରିମାଣରେ ଦୈନିକ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିଲା, ଏବେ ତାହା ପ୍ରାୟ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବା ସେ କହିଛନ୍ତି। ଏହି ଅତ୍ୟଧିକ ଚାହିଦା ଯୋଗୁଁ ପମ୍ପଗୁଡ଼ିକରେ ତେଲ ଷ୍ଟକ ଶେଷ ହୋଇଗଲା। ଏପଟେ ଡିପୋରେ ପର୍ଯ୍ୟାପ୍ତ ପରିମାଣରେ ତେଲ ଥିଲେ ମଧ୍ୟ ଡିଲରଙ୍କ ପାଖକୁ ତେଲ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଲା।

ସଞ୍ଜୟ ଲାଠ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଡିପୋରୁ ଗାଡ଼ି ଠିକ୍ ଭାବରେ ବାହାରୁଛି। ଯୋଗାଣ ବ୍ୟବସ୍ଥା ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେଣୁ ଭୁବନେଶ୍ୱରରେ ଆଜି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ସେହିପରି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆସନ୍ତାକାଲି ସୁଦ୍ଧା ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି।

ଏପଟେ ତୈଳ ସଙ୍କଟ ଯୋଗୁଁ ଲୋକେ ଏଯାବତ୍ ଚିନ୍ତାରେ ଅଛନ୍ତି। ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଡ଼ ଓ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ତଥାପି ଡିଲର ଆସୋସିଏସନର କହିବା ଅନୁସାରେ, ଆତଙ୍କିତ ହୋଇ ଅଧିକ ତେଲ କିଣିବା ଦରକାର ନାହିଁ। ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେଲେ ଏହି ସଙ୍କଟ ଶୀଘ୍ର ଦୂର ହେବ।

ଉଲ୍ଲେଖଯୋଗ୍ୟ, ଲୋହିତ ସାଗର (Red Sea) ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଗୁଡିକ ଉପରେ ଆକ୍ରମଣର ଭୟ ଥିବାରୁ, ଅନେକ ତୈଳ ବାହୀ ଜାହାଜକୁ ଲମ୍ବା ଏବଂ ବିକଳ୍ପ ରାସ୍ତା ଦେଇ ଯାତାୟାତ କରିବାକୁ ପଡୁଛି। ଫଳରେ ପରିବହନ ଖର୍ଚ୍ଚ ଏବଂ ସମୟ, ଉଭୟ ବଢ଼ିଯାଉଛି।

ଏହି ଅସ୍ଥିରତା କାରଣରୁ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ (Brent Crude) ମୂଲ୍ୟ ବ୍ୟାରେଲ ପିଛା ହଠାତ୍ ଆକାଶଛୁଆଁ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇ ଏହା ଏବେ ୯୭.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇ ୯୦.୬୭ ଟଙ୍କାରେ ପହଞ୍ଚିଛି। ୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି।

Leave A Reply

Your email address will not be published.