Latest Odisha News

BREAKING NEWS

ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’

ଫୁଲ ରସିଆରେ…
ଗୋଟିଏ ନୁହେଁ ଦୁଇଟି ଯା’

ସୂର୍ଯ୍ୟ ଦେଓ

ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ ସିନେମାର ଅସ୍ତିତ୍ୱକୁ ଚିହ୍ନିହୁଏ ନାହିଁ । ମୋକ୍ଷ ଓ ଅମୋକ୍ଷ, ପ୍ରାପ୍ତି ଓ ଅପ୍ରାପ୍ତ, ଅସ୍ତିତ୍ୱ ଓ ବିଲୟ ଭାବରେ ନିର୍ମୂଳି ଲତା ପରି ଓଡ଼ିଆ ପର୍ଦ୍ଧାରେ ଖେଳିଯାଇଛି ଗୀତ। ଗୀତରେ ଦ୍ରୋହ ଯେତିକି, କାରୁଣ୍ୟ ସେତିକି, ପ୍ରେମ ଯେତିକି, ବିରହ ବି ସେତିକି ।

ଜନଜୀବନର ଲୌକିକ ଓ ଅଲୌକିକ ସମୀକରଣକୁ ଛନ୍ଦିଛି ଓଡ଼ିଆ ସିନେମାର ଗୀତ । ବିଭାବ, ଅନୁଭାବ ଓ ସଂଚାରୀ ଭାବ ପର୍ଦ୍ଧାରେ ଖେଳିଛି, ଦର୍ଶକ ମନରେ ବି ଖେଳିଛି । ଚିକ୍ମିକ୍ କରିଛି ହସର ରେଖା, ଝିଲ୍ମିଲ୍ କରିଛି ଲୁହର ଢେଉ! କିନ୍ତୁ ଓଡ଼ିଆ ସିନେଛାୟାର ଅନ୍ତରାଳେ ଥିବା ହସ ଓ ଲୁହର ଗୀତିଗଳ୍ପକୁ ନା ସଙ୍କଳିତ କରାଯାଇଛ ନା ପ୍ରସାରଣ । ଅଥଚ ଗୀତର ପୃଷ୍ଠଭୂମି ନିଜେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଇତିହାସ । ଏହି ଇତିହାସକୁ ଗୀତଠାରୁ ଅଲଗା କରି ହେବନାହିଁ । ପ୍ରତି ଗୀତିଗଳ୍ପ ଓଡ଼ିଆ ଗୀତିମୟତାର ଏକ ଏକ ଉଦାହରଣ ।

ଏହି ସ୍ତମ୍ଭରେ ସ୍ଥାନିତ ହେଉଛି ଓଡ଼ିଆ ସିନେଗୀତ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଅନୁଭବ ଓ ଅନୁଭୂତିର ମାଳା, ଯାହା ଏକଦା ସେମାନେ ନିଜେ କହିଥଲେ । ପ୍ରଥମ ମାଳା ପଢ଼ିବା ପୂର୍ବର ଗୀତକୁ ଜାଣନ୍ତୁ:

ଗୀତ: ଫୁଲ ରସିଆରେ ମନ ମୋର ଛୁଇଁ ଛୁଇଁ ଯା’ ଯା’
ସିନେମା: ଶ୍ରୀଲୋକନାଥ ୧୯୬୦
ଗାୟିକା: ସଂଧ୍ୟା ମୁଖାର୍ଜୀ
ଗୀତିକାର: ନରସିଂହ ମହାପାତ୍ର
ସଂଗୀତକାର: ବାଳକୃଷ୍ଣ ଦାଶ

‘ଫୁଲ ରସିଆରେ’ ଗୀତଦୃଶ୍ୟରେ ଉର୍ବଶୀ ତ୍ରିପାଠୀ

ବାଳକୃଷ୍ଣ ଦାଶ ଯାହା କହିଥିଲେ:

ନରସିଂହ ମହାପାତ୍ର ‘ଫୁଲ ରସିଆ’ର ଗୀତିକାର ଥିଲେ । ଲେଖିଥିଲେ ‘ଫୁଲରସିଆରେ ମନ ମୋର ଛୁଇଁ ଛୁଇଁ ଯା’ । ତେବେ ତାଳ ଭିତରେ ତାହାକୁ ଆବଦ୍ଧ କରିବାକୁ ଆଉ କାନକୁ ଭଲ ଲାଗିବ ବୋଲି ମୁଁ ସେଥିରେ ଦୁଇଟି “ଯା’ କଲି । ସେଇଟାକୁ ମୁଁ ଓଡ଼ିଶୀ “ନିଃଶା’ କରିଥିଲି । ଓଡ଼ିଶୀ ଧମକୁ ବଜାୟ ରଖି ସେ ଗୀତ କରିଥିଲି । କଲିକତା ଟେକ୍ନିସିଆନ୍ ଷ୍ଟୁଡିଓରେ ରେକର୍ଡିଂ ହେଉଥାଏ । କଲିକତାର ‘ସୁରଶ୍ରୀ ଅର୍କେଷ୍ଟ୍ରା’କୁ ଗୀତରେ ବାଜା ବଜାଇବା ପାଇଁ ନିଆଯାଇଥିଲା । ‘ସୁରଶ୍ରୀ’ର ତବଲା ବାଦକ ଥିଲେ ପ୍ରଖ୍ୟାତ ତବଲା ବାଦକ ରାଧାକାନ୍ତ ନନ୍ଦୀ, କିନ୍ତୁ ସେ ଆଠତାଳି ବଜାଇ ପାରିଲେ ନାହିଁ ।

କ୍ୟାପିଟାଲ ସିନେମାରେ ‘ଶ୍ରୀଲୋକନାଥ’ର ଶହେଦିନ ପୂର୍ତ୍ତି ଅବସରରେପ୍ରଥମ ଧାଡ଼ି (ବାମରୁ ଡାହାଣ): ବିମଳ ଘୋଷ, ଇନ୍ଦ୍ରଜିତ, ଅବଦୁଲ୍ ହମିଦ୍ ଖାନ୍ (ପ୍ରଯୋଜକ), ସମୁଏଲ ସାହୁ (ବାବି), କୃଷ୍ଣ କୁମାର ବୋଷ, ହରେକୃଷ୍ଣ ମହାତାବ (ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ), ଉର୍ବଶୀ ତ୍ରିପାଠୀ, ବାଳକୃଷ୍ଣ ଦାଶ, ଜଗମୋହନ ନନ୍ଦୀ (ପ୍ରଯୋଜକ), ବିଭୁଧେନ୍ଦ୍ର ମିଶ (ତତ୍କାଳୀନ ଶିଳ୍ପ ମନ୍ତ୍ରୀ)ଦ୍ୱିତୀୟ ଧାଡ଼ି (ବାମରୁ ଡାହାଣ): ଯଦୁନାଥ ରାଉତରାୟ (ପ୍ରଯୋଜକ), କ୍ଷେତ୍ରପାଳ ମିଶ୍ର, ପ୍ରଣବ ପଟ୍ଟନାୟକ, କାଳିପଦ ଦାସ, ଅକ୍ଷୟ ମହାନ୍ତି, ପୀତବାସ, ମଧୁ ଦତ୍ତ, ଅକ୍ଷୟ ମହାନ୍ତି (କାଶ୍ୟପ), ଗୋକୁଳ ଚନ୍ଦ୍ର କାନୁନଗୋ (ପରିଚାଳନା ନିଦେ୍ର୍ଧଶକ, ରୂପରାଗ ପ୍ରା. ଲିମିଟେଡ୍), ବିପିନ ବିହାରୀ ମହାନ୍ତି, କ୍ଷୀରୋଦ ମହାନ୍ତି, ସୌମେନ୍ଦ୍ର ମିଶ୍ର, ଗୋପାଳ ଚନ୍ଦ୍ର ଘୋଷ (ପ୍ରଯୋଜକ)ତୃତୀୟ ଧାଡ଼ି (ବାମରୁ ଡାହାଣ): ରାଖାଲ ମହାନ୍ତି, କଳାକାର, କୃଷ୍ଣଚନ୍ଦ୍ର ପାଣ୍ଡେ, ବେଣୁଧର, ଶିବକୁମାର ସରକାର, ଅନାମ, ଦୀନବନ୍ଧୁ ଦାସ (ଟିମା)

କଟକର କୃଷ୍ଣ କୁମାର ବୋଷ ରେକର୍ଡିଂକୁ ଦେଖଣାହାରୀ ଭାବେ ଆସିଥାନ୍ତି । ସେ ପ୍ରଡକ୍ସନ୍ କମ୍ପାନିକୁ ସାହାଯ୍ୟ କରୁଥିଲେ । ସେ ମଧ୍ୟ ଜଣେ ତବଲା ବାଦକ । କଟକର ବିଖ୍ୟାତ ତବଲା ବାଦକ ରାଧାଗୋବିନ୍ଦ ଘୋଷଙ୍କ ବଡ଼ଭାଇ କହ୍ନାଇଲାଲ ଘୋଷଙ୍କ ଛାତ୍ର । ମୁଁ ତାଙ୍କୁ କହିଲି ‘ଆପଣ ବଜାନ୍ତୁ’ । ସେଠୁ ସେ ତବଲା ସଙ୍ଗତ କଲେ । ରେକର୍ଡିଂ ବେଳେ ସଂଧ୍ୟା ମୁଖାର୍ଜୀ ଏହି ଗୀତକୁ ଭଲରେ ଗାଇ ପାରିଲେ ନାହିଁ । ମୁଁ ତାଙ୍କ ସାମ୍ନାରେ ଛିଡ଼ା ହୋଇ ସମାନ ପାଟି ପାକୁପାକୁ କଲି, ସେ ଗାଇଲେ । ବଙ୍ଗଳାର ପ୍ରଖ୍ୟାତ ଅଭିନେତା ଉତ୍ତମ କୁମାର ଇଣ୍ଡିଆ ଫିଲ୍ମ ଲାବୋରୋଟାରି ଷ୍ଟୁଡିଓରେ ‘ଫୁଲରସିଆ’ ଗୀତ ଶୁଣି ମୋତେ କହିଥିଲେ ‘ତୁମି ଏକଦିନ୍ ବଡେ଼ା ମ୍ୟୁଜିକ ଡାଇରେକ୍ଟର ହବେ’ ।
…………………
ସୂର୍ଯ୍ୟ ଦେଓ ଓଡ଼ିଆ ସିନେମା ଓ ସଂଗୀତର ଜଣେ ଯଶସ୍ୱୀ ଗବେଷକ ଓ ଲେଖକ

Comments are closed.