କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା

ପ୍ରଦୀପ କୁମାର ପଣ୍ଡା ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସିଦ୍ଧ ଓ ସଶ୍ରଦ୍ଧ ଉଚ୍ଚାରଣ । ସୌଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା । ପ୍ରଥମ ବହି ପ୍ରକାଶ ପାଏ ୨୦୦୪ରେ ‘କାକପଦ’ ଶୀର୍ଷକରେ । ପରେପରେ ‘ଯଦି ଯିବାକୁ ଚାହଁ ନିହାରିକା’, ‘ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା’, ‘ଅନନ୍ତିମ ଆରଦୃଶ୍ୟ’, ‘ଅନ୍ଧାରରେ’ (ଗଜାନନ ମାଧବ ମୁକ୍ତିବୋଧଙ୍କ କବିତାର ଅନୁବାଦ) ଆଦି ପ୍ରକାଶ ପାଏ ଓ ତାଙ୍କୁ ଯାଚେ କବିତ୍ୱର ପ୍ରସିଦ୍ଧି । କବିତା ବ୍ୟତୀତ ଗବେଷଣା ଓ ଗଦ୍ୟରଚନାରେ ମଧ୍ୟ ଦକ୍ଷତା ରଖନ୍ତି ସେ । ଫକୀରମୋହନଙ୍କ କଥାସାହିତ୍ୟକୁ ନେଇ ତାଙ୍କର ସଂଦର୍ଭ ଏ ଦୃଷ୍ଟିରୁ ଉଲ୍ଲେଖନୀୟ । କିଛି ଆଞ୍ଚଳିକ ପତ୍ରିକା ଓ ସଙ୍କଳନ ମଧ୍ୟ ସେ ସମ୍ପାଦନା କରିଛନ୍ତି । ତାଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:

କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା

କେବେ ଆପଣଙ୍କର ହେତୁ ଆସିଥିଲା ଯେ ଆପଣ କବିତାର ପାଲରେ ପଡ଼ିସାରିଛନ୍ତି?
କେଉଁ ଦିନ ମନେହେଲା ଯେ ମୁଁ ଯାହା ଜିଇଛି ବା ଜିଉଛି, ତାହା ଜୀବନର ଏରୁଣ୍ଡି ବି ନୁହେଁ, ମୋର ସୋର୍ ନାହିଁ । ସୋର୍ କିନ୍ତୁ ଅଛି ଅଠର ବର୍ଷ ବୟସର ସେ ନଈପହଁରାକୁ । ହାତଗୋଡ଼ ଛାଟି ନଈରେ ଉବୁଟୁବୁ ହେଲାବେଳକୁ କୂଳରେ ଠିଆହୋଇ ଯେଉଁ ସିଦ୍ଧପୁରୁଷ ଜଣକ ମତେ ଟିହାଉଥିଲେ, ସେ ଥିଲେ କବି ସୌଭାଗ୍ୟ କୁମାର ମିଶ୍ର । ଅପୂର୍ବ ଉନ୍ମାଦନା ଥିଲା, ଥିଲା ବି ଶଂକା ସେ ନଈପହଁରାରେ । ଶବ୍ଦ ଶବ୍ଦ ଶବ୍ଦ ଶବ୍ଦସ୍ରୋତା ନଈ । ହାତେ ବଢିଲେ ଦଶ ହାତ ଟାଣିନିଏ ସୁଅକୁ । ‘ନଈ ପହଁରା’ ସୌଭାଗ୍ୟ କୁମାରଙ୍କ ତୃତୀୟ କବିତା ସଂକଳନ । ହାତଖର୍ଚ୍ଚରୁ ବଂଚାଇ କବିତା ବହି କିଣିବା ଓ ପଢିବା ମୋର ସେଇ ପ୍ରଥମ । ଗୋଟିଏ କାବ୍ୟବସ୍ତୁ ହାତକୁ ଆସେ, ଆର ଗୋଟାକ ଗୋଟେଇଲା ବେଳେ ପ୍ରଥମଟି ଉଭାନ୍ । ରାତିରାତି ଧରି ଚେତନାମାନଙ୍କର ଏ ଆସିବା ହଜିବା ଖେଳରେ ମୋର ସୁକୁମାର କବିତା-ଖଡିଛୁଆଁ କିଛିକିଛି ରୂପ ନେଉଥିବାର ଯେଉଁ ଦିନ ଅନୁଭବ କଲି, ସେଦିନ ଜାଣିଲି ଯେ ମୁଁ କବିତାର ପାଲରେ ପଡ଼ିଯାଇଛି ।

କବିିତା କଣ ସ୍ୱୟଂକ୍ରିୟ ଏକ କଳା, ଯାହା କବି ହାତରେ ଧରାଦିଏ? ନା ଏହା କବିର ନିର୍ମାଣାଧୀନ?
କବିତା ସ୍ୱୟଂକ୍ରିୟ, କିନ୍ତୁ ରୂପ ନପାଇବା ଯାଏଁ ସେ କଳା ନୁହେଁ । ସ୍ୱୟଂକ୍ରିୟ, ଅରୂପ, ନିରାକାର ଚେତନାମାନ କାହାରି ବି ହାତରେ କିଛି ବି ରୂପ ନେଇ ପାରନ୍ତି; ଚିତ୍ର, ସ୍ଥପତି, ସଂଗୀତ ବା କବିତା, ଗଳ୍ପ, ଉପନ୍ୟାସ, କିଛି ବି । ରୂପ ଦେବା, ଆକାର ଦେବା ବା ନିର୍ମାଣ କରିବା ହେଉଛି କଳା । କିନ୍ତୁ କେବଳ ନିର୍ମାଣ କୌଶଳ କଣ କବିର ପରିଚୟ? ରୂପରେଖହୀନ ଶୂନ୍ୟଦେହୀ ଚେତନାକୁ ଆଦରିବା, ସଂଖୋଳିବା ଓ ଲାଳନ କରିବାର ନିଶା ନଥିଲେ କବିତା ହୋଇଯିବ ନିଷ୍ପ୍ରାଣ ।

କବିତା ଆପଣଙ୍କ ପାଇଁ କଣ? କେତେ ଗୁରୁତ୍ୱ ରଖେ ଏହା ଆପଣଙ୍କ ଜୀବନରେ?
କବିତା ମୋ ପାଇଁ ଏକ ବେଦନାକ୍ତ ଚିତ୍ର, ପରମପ୍ରେମର ଏକ ପ୍ରାର୍ଥନା, ଅନ୍ତରୀଣ ମଂତ୍ର, ଏକ ଆନଂଦମୟ ମୃତ୍ୟୁ, ଏକ ସଂସ୍କାର, ଏକ ମହାର୍ଘ ମୁକ୍ତି। କବିତା ମୋର ଆତ୍ମାର ମନୋରମ ଆଲୋକ, ମୋର ପଞ୍ଜରାର ଅଂକାବଂକା ହାଡକାଠିକୁ ପିଟିପିଟି ସଳଖ କରୁଥିବା ବାଙ୍‍ମୟ ହାତୁଡି, ସୂର୍ଯ୍ୟର ରଂଗକୁ ବଦଳାଇ ଦେବାର ଦଂଭରେ ଜଳୁଥିବା ମୋର ଆଖିର ନିର୍ବୋଧ ଔଦ୍ଧତ୍ୟ । କବିତା ମୋର ଅସ୍ତିତ୍ୱର ପ୍ରତ୍ୟୟ ।

କେମିତି ଓ କେତେବେଳେ ଲେଖନ୍ତି କବିତା?
ପ୍ରାୟତଃ ବିଳଂବିତ ରାତିରେ । କବିତା ଲେଖିବା ପାଇଁ ପ୍ରଥମେ ବରଣ କରିବାକୁ ହୁଏ ଇଚ୍ଛାକୃତ ସନ୍ନ୍ୟାସ । ନିଜ ପାର୍ଥୀବ ଉଚ୍ଚତାଠାରୁ ଢେର ଉଚ୍ଚରେ ମୁଁ ତିଆରି କରେ ଏକ ଅପାର୍ଥୀବ ଏକଲା ପୃଥିବୀ । ସେଠି ଛିଡାହୋଇ ଦେଖେ ମୋର ଚିରାଚରିତ ପୃଥିବୀକୁ, ମଣିଷକୁ, ପ୍ରକୃତିକୁ, ବ୍ରହ୍ମାଂଡ଼ର ସତେଜ ମୁହଁରୁ ବିକୀର୍ଣ୍ଣିତ ପ୍ରେମଦ ଆଭାକୁ ଓ ସର୍ବୋପରି ମୋ ନିଜକୁ । ସେମାନଂକ ସହ ମୋର ଗୋପନ ପ୍ରେମାଳାପ ହିଁ ମୋର କବିତା । କିଂତୁ ବେଳେବେଳେ ସ୍ପଷ୍ଟ ଦିବାଲୋକର କୋଳାହଳରେ ବି ମୋର ମନଗଢା ସେ ଅପାର୍ଥିବ ପୃଥିବୀକୁ ମୁଁ ଚଢେ । ମୋର ‘ସମୁଦ୍ର ଫମୁଦ୍ର ସବୁ କିଂବଦଂତୀର କଥା’ ସଂକଳନର ଅଧିକାଂଶ କବିତା ଟ୍ରେନର ସ୍ଲିପର୍ ବଗିରେ ଦୂରଯାତ୍ରା କାଳର ଲେଖା ।

କବିତାର ନିଜସ୍ୱ କିଛି ବେଶ ଅଛି କି? ନା ଏହା ଛଦ୍ମବେଶୀ; ଯେକୌଣସି ଫର୍ମରେ, ଫ୍ରେମରେ ଆସିପାରେ?
‘ପ୍ରଶ୍ନ ଇ କଂସେଇ, ଉତ୍ତର ନିରୀହ ସଜମଲା ମେଷଛୁଆ’ (ରାଜେଂଦ୍ର କିଶୋର) । ମୋର ଉତ୍ତରକୁ ତୁମେ ପ୍ରଶ୍ନରେ କହି ଦେଇଛ ସରୋଜ ଭାଇ । ଫର୍ମ, ଫ୍ରେମ୍ କିଛି ହିଁ ନ ଥାଏ କବିତାର । ନା, ଛଦ୍ମ କି ପ୍ରକାଶ୍ୟ କିଛି ହିଁ ବେଶ ନାହିଁ କବିତାର । କବିତା ‘ରୂପରେଖ ନାହିଁ ହେ ଶୂନ୍ୟଦେହୀ, ଅଛି ଉଦେ ହୋଇ’ । କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ ।

ସାଂପ୍ରତିକ ଓଡ଼ିଆ ତରୁଣ କବିଙ୍କ କବିତାରେ ଆପଣ କେତେଦୂର ସନ୍ତୁଷ୍ଟ? ମନ୍ଦ ଦିଗଟି କଣ?
ସ୍ୱଳ୍ପ ହେଲେହେଁ ଆଶ୍ଚର୍ଯ୍ୟଜନକ ଭାବେ ଚମକାଇ ଦେଲା ଭଳି ଥୋକେ ତରୁଣ/ତରୁଣୀ କବିଙ୍କ ସହ ଭେଟ ହୁଏ । ସ୍ୱଚ୍ଛନ୍ଦତା ଓ ଭରପୂର ପାଗଳପଣର କିଛି କବିଙ୍କୁ ପଢି ମୁଁ ବିଭୋର ହୁଏ । କିଂତୁ ସଂଖ୍ୟାରେ ନଗଣ୍ୟ । କବିତା ତ ଲେଖା ହେଉଛି ଅଜସ୍ର, କିନ୍ତୁ ସତ୍‍ କବିତା ହାତଗଣତି । ମଂଦ ଦିଗଟି ହେଲା ବର୍ତ୍ତମାନ ପିଲାମାନଂକର ପଠନ ନିସ୍ପୃହତା । ଆମର ପ୍ରାଚୀନ, ମଧ୍ୟଯୁଗ ଓ ସାଂପ୍ରତିକ କାଳର ସାହିତ୍ୟକୁ ନପଢିଲେ ଆମ କାବ୍ୟଭାଷା ଓ ଧ୍ୱନିବୈଚିତ୍ର୍ୟ ନିଜ ସର୍ଜନାରେ ଆସିବ କେମିତି! ଖାଲି ଅନୁଭବ, ପ୍ରେମ ଓ ବିଦ୍ରୋହ ଆମକୁ ପ୍ରେରିତ କରିପାରେ, କିଂତୁ କଳାତ୍ମକତାରେ ସ୍ୱସାଂସ୍କୃତିକ ବୈଭବ ନ ରହିଲେ ଆମର ପରିଚୟ ହଜିଯିବନି ତ!

ଭୋକର କବିତା କଣ ଖାଦ୍ୟ ଦେଇପାରିବ? ଦୁଃଖର କବିତା କଣ ସୁଖ ଦେଇପାରିବ?
ପୃଥିବୀର ମଣିଷ ରୂପୀ ପ୍ରାଣୀଟି ବଡ଼ ଜଘନ୍ୟ ଭାବେ ଉଚ୍ଚାକାଂକ୍ଷୀ । ନିଜ ସୁଖଭୋଗ ପାଇଁ ଆବହମାନ କାଳରୁ ସେ ଅନ୍ୟ ପ୍ରାଣୀ ଓ ପ୍ରକୃତିକୁ ଠିଆ ଠିଆ ଗିଳିବାରେ ମାତିଛି । ଏବେ ପୁଣି ନିଜ ଭିତରେ ତିଆରି କରି ଚାଲିଛି ଭିନ୍ନଭିନ୍ନ ପ୍ରାଣୀ । ଦଳେ ବଜାରଖୋର ଆଉ ଦଳଦଳ ଭୋକିଲାମାନଂକୁ ଗିଳିବାରେ ମାତିଲେଣି । ସୃଜନଶୀଳ କଳା ସବୁ କାଳରେ ଶୋଷିତମାନଂକର ସ୍ୱର ହୋଇ ରହି ଆସିଛି । ସେ ସ୍ୱରଟି ଅଛି ବୋଲି ଯଥାକଥା କିଛି ହେଲେ ମାନବିକତା, କିଛି ହେଲେ ମୂଲ୍ୟବୋଧ ତଥାବି ବଂଚିଛି ପୃଥିବୀରେ; ନ ହେଲେ ତ ହାହାକାର ।

ଜୀବନଧାରା ଯେଭଳି ଦିନକୁଦିନ ଯଂତ୍ରସର୍ବସ୍ୱ ଓ ଆବେଗରହିତ ହୋଇ ଚାଲିଛି, ଆଗାମୀ ପଚାଶ ବର୍ଷ ପରେ କବିତା ଥିବ? କେମିତି ଥିବ ତାର ସ୍ୱରୂପ?
ନିତସେ କହିଥିଲେ, ‘ଈଶ୍ୱର ମରିଗଲେଣି’, ଫୁକୁୟାମା କହିଲେ, ‘ଇତିହାସ ମରଣ ଦ୍ୱାରରେ’, ଏରିକ୍ ଫ୍ରୋମ୍ କହିଲେ, ‘ମନୁଷ୍ୟ ମରିଗଲାଣି’ । ଶଂକା ହେବା ସ୍ୱାଭାବିକ । ସାହିତ୍ୟ ରହିବ କେଉଁଠି? ଭୋଗବାଦୀ ଯାଂତ୍ରିକତାସର୍ବସ୍ୱ ପୃଥିବୀରେ ଆମେ ଏକ ଶୁଖା ଅପଂତରା ଜୀବନ ପରିଧି ଭିତରକୁ ଠେଲାପେଲା ହୋଇ ପଶି ଯିବାକୁ ବ୍ୟାକୁଳ । ତଥାପି ଲାଗେ ଆଧୁନିକତମ ଆଦିମତାର ଗୁହାରେ କେଉଁଠି ବଳକା ରହିଯାଇଛି କଣାଏ ଲୁହ ମଣିଷର ଆଖିରେ, ଆମର ଲୁଚାଛପା ସ୍ୱପ୍ନରେ କେଉଁଠି ଛାଇ ଛାଇ ଦିଶୁଛି ଅଳପ ଅଳପ ନିଆଁ, ଅଳପ ଅଳପ ରକ୍ତ, ଛ’ଆଂଗୁଳି ମାଟି ଓ ତହିଁରେ ଛଟପଟ ଜୀବନ । ଏମାନେ ଥିବା ଯାଏଁ ସାହିତ୍ୟ ଅଛି, ଥିବ । ହଁ, ପ୍ରତି ଦଶବର୍ଷରେ ବଦଳି ଯାଏ ସ୍ୱରୂପ । ହୋଇପାରେ କାବ୍ୟଭାଷା ହୋଇଯିବ ଆହୁରି ସୂକ୍ଷ୍ମ, ଆହୁରି କୌଣିକ । ବିଂଦୁରେ ଦିଶିଯିବ ସମୁଦ୍ର । କାଣିଚାଏ ସତ୍ୟାନ୍ୱେଷା ଖାଲି ଥାଉ ।

ଦୀର୍ଘକାଳ ଧରି କବିତାରେ ଅଛନ୍ତି, ସନ୍ତୁଷ୍ଟ କି? କବିତାରେ ସନ୍ତୁଷ୍ଟ ହେବା ସଂଭବ କି ଜଣେ କବି ପାଇଁ?
ହଁ, ମୁଁ ସନ୍ତୁଷ୍ଟ । ସନ୍ତୁଷ୍ଟ ଏଇଥି ପାଇଁ ଯେ କବିତା ଦେଇ ଜୀବନ ଉପରେ, ପୃଥିବୀ ଉପରେ ଥିବା ଆମର ସଂଶୟର ଏକ ମୀମାଂସା ମୁଁ ପାଇ ଯାଇଛି। ମୀମାଂସା ହେଲା ଯେ ଏହାର ମୀମାଂସା ନାହିଁ ।
………….