Latest Odisha News

ଜି-୨୦ ଭୋଜିରେ ବିରୋଧୀ ଦଳର ପ୍ରମୁଖ ନେତା, ଅଧୀର କହିଲେ ଏହା ଦିଦିଙ୍କ ଆଭିମୁଖ୍ୟକୁ ଦୁର୍ବଳ କରିବ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଂଟର ତୃତୀୟ ବୈଠକର କେଇ ଦିନ ପରେ ଆୟୋଜିତ ହୋଇଥିବା ଜି-୨୦ ବୈଠକରେ ବିରୋଧୀ ଦଳର ନେତାଙ୍କ ଆଭିମୁଖ୍ୟ ପୁଣିଥରେ ଏକ ଭିନ୍ନ ବାର୍ତ୍ତା ଦେଇଛି। କିଛି ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଆଉ କିଛି ଦିଳର ମୁଖ୍ୟମନ୍ତ୍ରୀ ବୟକଟ କରିଥିଲେ । ଆଉ ବିରୋଧୀ ଇଣ୍ଡିଆ ମେଣ୍ଟର ଯେଉଁ ନେତା ଯୋଗ ଦେଇଥିଲେ ସେଥିମଧ୍ୟରୁ ପ୍ରମୁଖ ନେତା ଥିଲେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଯେକି ବୈଠକ ବହୁତ ଭଲ ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ବୈଠକରେ ଯୋଗ ଦେବା ଦ୍ୱାରା ବିରୋଧୀ ମେଂଟର ଏକତା ନାହିଁ ବୋଲି ବାର୍ତ୍ତା ଯାଇଛି କହି କଂଗ୍ରେସର ପ୍ରମୁଖ ନେତା ଅଧୀର ରଞ୍ଜନ ଚୌଧୁରୀ ମମତାଙ୍କୁ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନଷ୍ଟାଗ୍ରାମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଝାଡଖଣ୍ଡର ହେମନ୍ତ ସୋରେନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଉଥିବାର ଦେଖାଯାଉଛି। ଶନିବାର ରାତିରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଏହି ନୈଶ୍ୟ ଭୋଜିର ଫଟୋ ଏବେ ସାମ୍ନାକୁ ଆସିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

ଗତ ବର୍ଷ ଅଗଷ୍ଟରେ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀଙ୍କ ସହ ମହାଗଠବନ୍ଧନ ସହ ମେଣ୍ଟ କରି ସରକାର ଗଢିବା ପରେ ବିଜେପି ସହିତ ନୀତୀଶଙ୍କ ସଂପର୍କ ଦୂରେଇଛି। ଆଉ ଏହାପରେ ମୋଦୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକୁ ତାପୁଣି ଏକ ଭୋଜିରେ ଦେଖା ହୋଇଛି ନୀତୀଶଙ୍କର।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଇଣ୍ଡିଆ ବ୍ଲକ ଗଠନ ପାଇଁ ବିଜେପି ଏବଂ ଅଧିକାଂଶ ଅଣ-ଏନଡିଏ ଦଳକୁ ସମାନ ମଂଚକୁ ଆଣିବା ପରେ ବିହାର ମୁଖ୍ୟମନ୍ତ୍ରୀ ମୋଦୀ ସରକାରଙ୍କ କଟୁ ସମାଲୋଚନା କରୁଛନ୍ତି। ଗତବର୍ଷ ଜୁଲାଇ ୨୨ରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ବିଦାୟୀ ଭୋଜି ଏବଂ ଜୁଲାଇ ୨୫ରେ ତତ୍କାଳୀନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ନୀତୀଶ ବାଦ୍ ଦେଇଥିଲେ। ଆଉ ଶନିବାରର ନୈଶ୍ୟ ଭୋଜି ଭଲ ଥିଲା ବୋଲି ରବିବାର ପାଟନାରେ ପହଂଚି ନୀତୀଶ କୁମାର ପ୍ରତିକ୍ରିୟା ରଖିଛନ୍ତି।

ସେହିପରି ଏହି ରାତ୍ରିଭୋଜନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବା ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରବିବାର ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମବଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ଥିବା ଚୌଧୁରୀ ଏହି କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତିକୁ ବିରୋଧ କରି କହିଛନ୍ତି ଯେ ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ମମତାଙ୍କ ଆଭିମୁଖ୍ୟକୁ ଦୁର୍ବଳ କରିବ।

ସେ ଡିନରରେ ଯୋଗ ନଦେଲେ କିଛି ହୋଇ ନଥାନ୍ତା। ମହାଭାରତ ଅଶୁଦ୍ଧ ହୋଇ ନଥାନ୍ତା। କୁରାନ ଅଶୁଦ୍ଧ ହୋଇ ନ ଥାଆନ୍ତା ବୋଲି ଅଧୀର ଚୌଧୁରୀ କହିଛନ୍ତି। ତୃଣମୂଳ କଂଗ୍ରେସ ସୁପ୍ରିମୋ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପଛରେ ଅନ୍ୟ କୌଣସି କାରଣ ଅଛି କି ବୋଲି ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି।

ଏହି ଡିନର ଟେବୁଲରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀ ଯାଇଥିବା ବେଳେ ପରଦିନ ଡିନର ପାର୍ଟି ହୋଇଥିଲା। ଶନିବାର ତାଙ୍କ ବିମାନ ଉଡ଼ାଣର ସମୟ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଦିଲ୍ଲୀ ଏବଂ ଏହାର ଆଖପାଖରେ ବିମାନ ଚଳାଚଳର ନିୟମାବଳୀ ହେତୁ ଏହାକୁ ଶୁକ୍ରବାର ଅପରାହ୍ନରେ ଘୁଞ୍ଚାଇ ଦିଆଯାଇଥିଲା।

ଅଧୀର ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଅଣ-ବିଜେପି ମୁଖ୍ୟମନ୍ତ୍ରୀ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ମମତା ବାନାର୍ଜୀ ତରବରିଆ ଭାବେ ଦିଲ୍ଲୀରେ ପହଞ୍ଚିଥିଲେ।

ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏହି ଭୋଜି ନିମନ୍ତ୍ରଣକୁ ବର୍ଜନ କରିଛନ୍ତି। ସଂସଦରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କରାଯାଇ ନାହିଁ। ଏପରି ସ୍ଥିତିରେ ମମତା ଦିଲ୍ଲୀରେ  ତରବରିଆ ଭାବେ ପହଞ୍ଚିଥିଲେ ବୋଲି ସେ କହିଛନ୍ତି।

ଟିଏମସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ ଅଧୀରଙ୍କ ମନ୍ତବ୍ୟକୁ ଜବାବ ଦେବାକୁ ଯାଇ କହିଛନ୍ତି, ପ୍ରଶାସନିକ ଦୃଷ୍ଟିକୋଣରୁ କେତେକ ନିୟମାବଳୀ ପାଳନ କରିବା ସମ୍ପର୍କରେ ଚୌଧୁରୀ ତାଙ୍କୁ ଭାଷଣ ଦେବା ଉଚିତ ନୁହେଁ। ପ୍ରୋଟୋକଲର ଅଂଶବିଶେଷ ସ୍ୱରୂପ ଜି-୨୦ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବେ ରାତ୍ରିଭୋଜନରେ ଯୋଗଦେବାକୁ ଯିବେ ତାହା ଚୌଧୁରୀ ସ୍ଥିର କରିବେ ନାହିଁ ବୋଲି ସେନ୍ କହିଛନ୍ତି।

ସେନ୍ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତେ ଜାଣିଛନ୍ତି ଯେ ମମତା ବାନାର୍ଜୀ ବିରୋଧୀ ଦଳର ଇଣ୍ଡିଆ ବ୍ଲକର ଅନ୍ୟତମ ପ୍ରତିଷ୍ଠାତା ଏବଂ କେହି ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ।

ଏହି ରାତ୍ରୀଭୋଜନରେ ବିହାରର ନୀତୀଶ କୁମାର, ଝାଡ଼ଖଣ୍ଡର ହେମନ୍ତ ସୋରେନ୍, ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସମେତ ଆଇ କିଛି ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ପ୍ରମୁଖ ଯୋଗ ଦେଇନଥିଲେ।

Comments are closed.