ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଦେଖିବାକୁ ଅନେକ ଭାରତୀୟ ଝଲକ । ଭବ୍ୟ ନୈଶ୍ୟଭୋଜିରେ ପାରମ୍ପରିକ ଭାରତୀୟ ଖାଦ୍ୟର ଆନନ୍ଦ ନେଇଛନ୍ତି ବିଶ୍ୱନେତା ଓ ଆମନ୍ତ୍ରିତ ଅତିଥି । ଭାରତୀୟ ପରମ୍ପରା, ରୀତିନୀତିକୁ ରାଷ୍ଟ୍ରପତିଙ୍କ ଏହି ଭବ୍ୟ ନୈଶ୍ୟ ଭୋଜିରେ ବିଶେଷ ଗୁରୁତ୍ୱ ଦିଆ ଯାଇଥିଲା । ଏହାଛଡା ଆୟୋଜିତ ରାତ୍ରୀ ଭୋଜନରେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀ ଓ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ ଶାଢି ପରିଧାନକରିଥିବା ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଏହି ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଅନେକ ଦେଶର ନେତା ତାଙ୍କ ପତ୍ନୀଙ୍କ ସହ ଭାରତ ଆସିଛନ୍ତି । ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସହ ପତ୍ନୀ ୟୁକୋ କିଶିଦା, ମରିଶସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ସହ ପତ୍ନୀ କବିତା ରାମଦାନୀ, ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ଓ ତାଙ୍କ ପତ୍ନୀ ରିତୁ ବଙ୍ଗା, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଆଦି ଭାରତ ଆସିଛନ୍ତି । ସବୁଠାରୁ ବଡ କଥା ହେଲା ଯେ ଭାରତ ଆସି ସମ୍ପୁର୍ଣ୍ଣ ଭାରତୀୟ ଢାଞ୍ଚାରେ ନିଜକୁ ସଜେଇଛନ୍ତି ଏହି ବିଶ୍ଵ ନେତାଙ୍କ ପତ୍ନୀ ମାନେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଭବ୍ୟ ରାତ୍ରୀ ଭୋଜନରେ ୟୁକୋ କିଶିଦା, କବିତା ରାମଦାନୀ, ରିତୁ ବଙ୍ଗା, ଆଇଏମଏଫର ପ୍ରଥମ ମହିଳା ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଜୀତା ଗୋପୀନାଥଙ୍କୁ ଶାଢୀରେ ଦେଖିବାକୁ ମିଳିଥିଲା । ସେହିପରି ଆଇଏମଏଫ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର କ୍ରିଷ୍ଟିନାଙ୍କୁ ସାଲୱାର ସୁଟରେ ଦେଖିବାକୁ ମିଳିଥିଲା ।
ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ଏହି ବିଶ୍ଵନେତାଙ୍କ ପତ୍ନୀ ମାନଙ୍କର ଶାଢି ପରିଧାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶାଢି ହେଉଛି ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ । ଏହି ଦୃଶ୍ୟ ଦେଖିବା ପରେ ଭାରତୀୟ ପରମ୍ପରା ଯେ ବିଦେଶୀ ରାଷ୍ଟ୍ରନେତାଙ୍କୁ କେତେ ପ୍ରଭାବିତ କରୁଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।
Comments are closed.