ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନାରୂଢ଼ ଶ୍ରୀଜିଉମାନେ ମନୋଜ୍ଞ ଗଜ ଉଦ୍ଧାରଣ ବେଶରେ ଶୋଭାୟମାନ ହୁଅନ୍ତି । ମନେପଡେ ଭକ୍ତ ସାଲବେଗଙ୍କ ସେହି ପ୍ରସିଦ୍ଧ ଭଜନରୁ –
”ହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ
ମୋ ଆରତ-ନଳିନୀ ବନକୁ କର ଦଳନ ।।
ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ
ଚକ୍ରପେଶି ନକ୍ରନାଶି ଉଦ୍ଧାରିଲ ଆପଣ ।। ”

ଆଜି ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଜଗତର ନାଥ ଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ । ସେ ଦେବାଧିଦେବ ଓ ରାଜାରାଜ । ତାଙ୍କର ପାରମ୍ପରିକ, ଦୈନନ୍ଦିନ ଯାତ୍ରା ବା ପର୍ବପର୍ବାଣିର ରୀତିନୀତି ଓ ସେବାପୂଜାରେ ରାଜକୀୟ ଠାଣି ପରିଲକ୍ଷିତ ହୁଏ ।

ମହାପ୍ରଭୁଙ୍କ ଗଜଉଦ୍ଧାରଣ ଚରିତ :-
ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ, ଏକଦା ଗଜେନ୍ଦ୍ର ତ୍ରିକୂଟ ପର୍ବତରେ ରହୁଥିଲା । ଦିନେ ସେ ଗ୍ରୀଷ୍ମରେ ଛଟପଟ ହୋଇ ଅନ୍ୟ ହାତୀମାନଙ୍କ ସହିତ ମିଶି ବରୁଣ ଦେବଙ୍କର ଋତୁମାନ୍ ନାମକ ଉଦ୍ୟାନରେ ଥିବା ଗୋଟିଏ ବିସ୍ତୃତ ସରୋବର ନିକଟରେ ପହଞ୍ଚିଲା । ସରୋବରରେ ପଶି ସେ ଅମୃତତୁଲ୍ୟ ଜଳପାନ କଳା ଏବଂ ହାତୁଣୀ ଓ ଛୁଆ ହାତୀଙ୍କ ସହ ଖେଳିବାକୁ ଲାଗିଲା । ସେହି ସରୋବରରେ ଗୋଟିଏ ବିରାଟକାୟ କୁମ୍ଭୀର ରହୁଥିଲା । ଗଜେନ୍ଦ୍ର ପାଣି ପିଉଥିବା ସମୟରେ ସେହି କୁମ୍ଭୀର ଗଜେନ୍ଦ୍ରର ପାଦକୁ କାମୁଡି ଧରିଲା । ଗଜେନ୍ଦ୍ର ନିଜର ସବୁ ବଳ ଖଟାଇ କୁମ୍ଭୀର କବଳରୁ ମୁକୁଳିବାକୁ ଚେଷ୍ଟା କଲା; କିନ୍ତୁ ମୁକୁଳି ପାରିଲା ନାହିଁ । କୁମ୍ଭୀର ତାକୁ ଗଭୀର ପାଣିକୁ ଟାଣିବାକୁ ଲାଗିଲା । ସାଥିରେ ଥିବା ଅନ୍ୟ ହାତୀ ମାନେ ଶୁଣ୍ଢକୁ ଶୁଣ୍ଢ ଯୋଡ଼ି ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ବାହାରକୁ ଟାଣିଲେ; କିନ୍ତୁ ପାରିଲେ ନାହିଁ । ଗଜେନ୍ଦ୍ର ଓ କୁମ୍ଭୀର ମଧ୍ୟରେ ବହୁ ସମୟ ଯାଏଁ ଲଢେଇ ଚାଲିଲା । କିନ୍ତୁ ଗଜେନ୍ଦ୍ର ଜାଣି ଗଲା ଆଉ ଏ କୁମ୍ଭୀର କବଳରୁ ବଞ୍ଚିବା ଅସମ୍ଭବ ଏହି ସମୟରେ ଜଳରେ ଥାଇ ଆକୁଳ ନିବେଦନ କରି ମହାପ୍ରଭୁଙ୍କ ଶରଣ ଲୋଡ଼ିଲା :-

ଯଃ କଶ୍ଚ ନେଶୋ ବଳିନୋଽନ୍ତକୋରଗାତ୍
ପ୍ରଚଣ୍ଡ ବେଗାଦଭିଧାବତୋ ଭୃଶମ୍
ଭୀତଂ ପ୍ରପନ୍ନଂ ପରିପାତି ଯଦ୍ ଭୟାନ୍ ମୃତ୍ୟୁଃ ପ୍ରଧାବତ୍ୟରଣଂ ତମୀମହି
(ସଂସ୍କୃତ ଭାଗବତ ୮/୨/୩୩)

ଅର୍ଥାତ୍, ଯେ ଅତ୍ୟନ୍ତ ପ୍ରଚଣ୍ଡ ବେଗରେ ଧାବମାନ କାଳରୂପକ ସର୍ପର ଭୟରେ ଭୀତସ୍ତତ ହୋଇଥିବା ଶରଣାଗତ ପ୍ରାଣୀଙ୍କୁ ରକ୍ଷା କରନ୍ତି, ତଥା ଯାହାଙ୍କ ଭୟରେ ମୃତ୍ୟୁ ମଧ୍ୟ ଇତସ୍ତତଃ ଧାଇଁଥାଏ, ମୁଁ ସେହି ଈଶ୍ୱରଙ୍କ ଶରଣ ନେଉଛି ।।

ମହାପ୍ରଭୁ ଏହି ସମୟରେ ରୁକ୍ମିଣୀଙ୍କ ସହିତ ପଶା ଖେଳୁଥିଲେ ମାତ୍ର ଗଜେନ୍ଦ୍ରର ଡାକ ଶୁଣିଲେ ଏବଂ ଶୁଣିବା କ୍ଷଣି ଭକ୍ତ ଗଜକୁ ରକ୍ଷା କରିବା ପାଇଁ ଅଧିର ହୋଇ ପଡ଼ିଲେ । ପାର୍ଷଦମାନଙ୍କୁ ଭୂକ୍ଷଖେେପ ନକରି, କୌସ୍ତୁଭମଣି ଭୁଲିଯାଇ, ରୁକ୍ମଣୀଙ୍କ ଆଡେ ନଚାହିଁ ଏବଂ ଗରୁଡ ପିଠିରେ କିଛି ଆସନ ନପାକାଇ, ଗଜଉଦ୍ଧାରଣ ପାଇଁ ବାହାରି ପଡିଲେ । ଗଜେନ୍ଦ୍ର ଗରୁଡ ପିଠିରେ ବସିଥିବା ଭଗବାନଙ୍କୁ ଆକାଶରେ ଦର୍ଶନ କଲା ଏବଂ ଶୁଣ୍ଢରେ ଗୋଟିଏ ପଦ୍ମ ଫୁଲ ଧରି ଉପରକୁ ଟେକି ବଡ଼ କଷ୍ଟ ରେ ଆର୍ତ୍ତ ସ୍ଵର ରେ କହିଲା, ” ହେ ନାରାୟଣ, ହେ ସର୍ବ ଲୋକର ଗୁରୁ, ଆପଣଙ୍କୁ ନମସ୍କାର\”
ମହାପ୍ରଭୁ ଭକ୍ତର ପ୍ରେମ ପୂର୍ବକ ଅର୍ପିତ ପଦ୍ମଫୁଲଟି ଗ୍ରହଣ କଲେ ଓ ନିଜର ସୁଦର୍ଶନ ଚକ୍ରରେ କୁମ୍ଭୀରର ମସ୍ତକ ଛେଦନ କରି ଗଜେନ୍ଦ୍ରକୁ ମହାସଙ୍କଟ ରୁ ଉଦ୍ଧାର କଲେ ।

ଧନ୍ୟ ମହାପ୍ରଭୁ ଧନ୍ୟ ତୁମର ର ଭକ୍ତ ପ୍ରୀତି !!!
ଆମ ଭଳି ପତିତ ମାନଙ୍କୁ ଦୟା କର ମଣିମା !!!

ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି । ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ । ତତ୍ପରେ, କିଛି ବର୍ଷ ପାଇଁ ଏହା ବନ୍ଦ ହୋଇଯାଇଥିଲା । ୧୫୭୫ ମସିହାରେ ରାମଚନ୍ଦ୍ର ଦେବ ମହାପ୍ରଭୁମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃପ୍ରଚଳନ କରାଇଥିଲେ ।

ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ନୀତି

ଦ୍ୱିପ୍ରହର ଧୂପ ବଢିବା ପରେ ମହାପ୍ରଭୁଙ୍କୁ ପତନି ଲାଗି କରାଯାଏ । ଏହାପରେ ଘଟୁଆରୀଙ୍କ ଦ୍ବାରା ଘୋରା ହୋଇଥିବା ଚନ୍ଦନକୁ ରୂପା ପିଙ୍ଗଣରେ ପାଳିଆ ପୁଷ୍ପାଳକ ଆଣିଥାନ୍ତି । ତଳୁଚ୍ଛ, ଭିତରଚ୍ଛ ତଥା ପାଳିଆ ପୁଷ୍ପାଳକଙ୍କ ଦ୍ବାରା ଯଥାକ୍ରମେ ବଡ଼ବାଡ଼, ମଝିବାଡ଼ ତଥା ମହାପ୍ରଭୁଙ୍କ ବାଡ଼ରେ ସର୍ବାଙ୍ଗ ନୀତି ବା ଚନ୍ଦନ ଲାଗି କରାଯାଇଥାଏ । ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ଦକ୍ଷିଣୀ ଘରେ ଏକ ଖଟ ଉପରେ ବିଜେ କରାନ୍ତି । ଏଥୁଅନ୍ତେ ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କୁ ମନୋହର ଗଜ ଉଦ୍ଧାରଣ ବେଶରେ ଭୂଷିତ କରିଥାନ୍ତି । ବେଶ ସମ୍ପନ୍ନ ହେବାପରେ ମହାଜନମାନେ ଶ୍ରୀଦେବୀଙ୍କୁ ରତ୍ନ ସିଂହାସନକୁ ଆଣିଥାନ୍ତି । ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ବାମ କୋଳ ମଣ୍ଡନ କରନ୍ତି । ଏହାପରେ କର୍ପୂର ଲାଗି ହୋଇ ସଂଧ୍ୟା ଆଳତୀ ବଢିଥାଏ । ଏହି ବେଶରେ ସଂଧ୍ୟାଧୂପରେ ଶ୍ରୀଜିଉଙ୍କ ନିକଟରେ ଖିରୀ ଅମାଲୁ ଭୋଗ ଲାଗି କରାଯାଏ ।

ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଚତୁର୍ଭୁଜ ଓ ସୁଭଦ୍ରା ଦ୍ୱିଭୁଜା ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ । ଉଡ୍ଡୟନ ଭଙ୍ଗୀରେ ଥିବା ଦୋଳାୟିତ ପକ୍ଷ ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥାନ୍ତି । ପକ୍ଷ ପ୍ରସାରି ଉଡୁଥିବା ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଡ଼ ଠାକୁର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ବାମ) ଓ ମୂଷଳ (ଦକ୍ଷିଣ) ଧାରଣ କରିଥାନ୍ତି ।

 

ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାଚରଣରେ ଛିଡ଼ା ହୋଇଥାନ୍ତି । ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ପଦ୍ମ କଳିକାଟିଏ ଧରିଥାନ୍ତି । ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ । ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ । ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଗଜଟି ପ୍ରାଣ ରକ୍ଷା ପାଇଁ ଶ୍ରୀଜିଉଙ୍କୁ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ପ୍ରଦର୍ଶିତ ହୁଏ । ହସ୍ତୀଟିର ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ । ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା। ଏହି ବେଶରେ କୀରିଟ, କର୍ଣ୍ଣକୁଣ୍ଡଳ, ଆଡ଼କାନି, ଅଳକା, ତିନିଟି ଉଦର, ତିନି ଯୋଡ଼ା ଶ୍ରୀପୟର, ଶ୍ରୀଭୁଜ, ନାକୁଆଶୀ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଗୁଣା, ଝୁମ୍ପା ଆଦି ଅଳଙ୍କାରମାନ ବ୍ୟବହୃତ ହୁଏ । ରାତ୍ରରେ ବେଶ ଓଲାଗି ହୋଇ ବଡ଼ସିଂହାର ନୀତି ସମ୍ପନ୍ନ ବଢ଼ିବା ପରେ ପହୁଡ଼ ହୋଇଥାଏ ।

ଜଗତର ନାଥ ଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ । ସେ ଦେବାଧିଦେବ ଓ ରାଜାରାଜ । ତାଙ୍କର ପାରମ୍ପରିକ, ଦୈନନ୍ଦିନ ଯାତ୍ରା ବା ପର୍ବପର୍ବାଣିର ରୀତିନୀତି ଓ ସେବାପୂଜାରେ ରାଜକୀୟ ଠାଣି ପରିଲକ୍ଷିତ ହୁଏ ।