Latest Odisha News

BREAKING NEWS

୭ ରାଜ୍ୟରେ ପହଞ୍ଚିଲା ମୌସୁମୀ: ୨୧ ରାଜ୍ୟକୁ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ଭିତରେ ଆଶ୍ୱସ୍ତିର ଖବର । ୩ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ଏବେ ସୁପର ସ୍ପିଡ୍‌ରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ । ମାତ୍ର ୪ ଦିନ ମଧ୍ୟରେ ମୌସୁମୀ ଦେଶର ୭ଟି ପ୍ରମୁଖ ରାଜ୍ୟକୁ ଛୁଇଁସାରିଲାଣି । ମହାରାଷ୍ଟ୍ରର ଉପକୂଳ ଜିଲ୍ଲାରେ ମୌସୁମୀ ପ୍ରବେଶ କରିସାରିଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସମଗ୍ର ମହାରାଷ୍ଟ୍ରକୁ ଛୁଇଁବ । ଏଥିସହ ପୂର୍ବୋତ୍ତର ଭାରତର ମିଜୋରାମ ଏବଂ ମଣିପୁରରେ ମଧ୍ୟ ମୌସୁମୀ ପହଞ୍ଚିଛି ।

ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ବାକି ଅଂଶ ସହ ତେଲେଙ୍ଗାନା ଏବଂ ପୂର୍ବୋତ୍ତରର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଛୁଇଁବ କରିବ । ବର୍ତ୍ତମାନ କେରଳ, କର୍ଣ୍ଣାଟକ, ଗୋଆ ଏବଂ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।

ଗୁଜରାଟକୁ ଛାଡ଼ି ଦେଶର ବାକି ପ୍ରାୟ ସମସ୍ତ ରାଜ୍ୟରେ ଏବେ ପ୍ରି-ମୌସୁମୀ ବର୍ଷା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଶନିବାର ଜୋରଦାର ବର୍ଷା ରେକର୍ଡ କରାଯାଇଛି।

ମଧ୍ୟପ୍ରଦେଶର ଭୋପାଳ ସମେତ ୪ଟି ଜିଲ୍ଲାରେ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ପ୍ରବଳ ଝଡ଼-ତୋଫାନ୍ ଦେଖିବାକୁ ମିଳିଥିଲା। ରାଜସ୍ଥାନର ବିକାନେରରେ ବର୍ଷା ସହିତ ପ୍ରବଳ କୁଆପଥର ମାଡ଼ ହୋଇଥିବା ବେଳେ ୟୁପିର କିଛି ଅଞ୍ଚଳରେ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି।

ଆଗାମୀ ୩ ଦିନ ମଧ୍ୟରେ ମୌସୁମୀ ପୂର୍ବୋତ୍ତରର ସମସ୍ତ ରାଜ୍ୟ ଏବଂ ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିବ ବୋଲି IMD ପୂର୍ବାନୁମାନ କରିଛି । ଏବେ ଆସନ୍ତୁ ଜାଣିବା ଆମ ଓଡ଼ିଶା ପାଇଁ କଣ ରହିଛି ଖବର। ଆସନ୍ତା ୧୦ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା, ବିହାର ଏବଂ ଝାଡ଼ଖଣ୍ଡରେ ପହଞ୍ଚିବାର ସମ୍ଭାବନା ରହିଛି।

ତେବେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ମୌସୁମୀର ଗତି କିଛିଟା ଧିମା ରହିପାରେ। କାରଣ ଏହି ବାୟୁକୁ ଆଗକୁ ବଢ଼ାଇବା ପାଇଁ ବର୍ତ୍ତମାନ ବଙ୍ଗୋପସାଗରରେ କୌଣସି ଶକ୍ତିଶାଳୀ ପାଣିପାଗ ନିୟାମକ ବା ସିଷ୍ଟମ୍ ସକ୍ରିୟ ନାହିଁ। ତଥାପି ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାରେ ପ୍ରି-ମୌସୁମୀ ବର୍ଷାର ପରିମାଣ ବଢ଼ିବ, ଯାହା ଗ୍ରୀଷ୍ମରୁ ତ୍ରାହି ଦେବ।

Comments are closed.