Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ, ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସହ ଜଡ଼ିତ ୯ଟି ସ୍ଥାନରେ ଏକାସାଙ୍ଗେ ତଲାସି କରି ଭିଜିଲାନ୍ସ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।

 

ଭୁବନେଶ୍ୱର, ବାରିପଦା, ଯାଜପୁରର ଧର୍ମଶାଳା ଓ ବାଲିଗୁଡ଼ାରେ ଏହି ଚଢ଼ାଉ ହୋଇଥିଲା। ରେଡ୍ ସମୟରେ ୫ଟି କୋଠା, ୧୪ଟି ମୂଲ୍ୟବାନ ପ୍ଲଟ୍‌, ୨ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି, ୩୪୧ ଗ୍ରାମ ସୁନା ଏବଂ ପ୍ରାୟ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଛି। ଠାବ ହୋଇଥିବା ୫ଟି କୋଠା ମଧ୍ୟରୁ ୪ଟି ଭୁବନେଶ୍ୱରରେ ଥିବାବେଳେ ଗୋଟିଏ ଯାଜପୁର ଧର୍ମଶାଳାରେ ଥିବା ଜଣାପଡ଼ିଛି।

 

ଭିଜିଲାନ୍ସ ସୂଚନା ଅନୁସାରେ, ୧୪ଟି ପ୍ଲଟ୍‌ ମଧ୍ୟରୁ ୮ଟି ଭୁବନେଶ୍ୱରରେ, ୫ଟି ଧର୍ମଶାଳାରେ ଓ ଗୋଟିଏ ବାରିପଦାରେ ରହିଛି। ଭିଜିଲାନ୍ସ ଟେକ୍ନିକାଲ୍‌ ୱିଙ୍ଗ୍‌ ସମ୍ପତ୍ତିଗୁଡ଼ିକର ମାପ ଓ ମୂଲ୍ୟାୟନ କରୁଛି। ତେଣୁ ମୋଟ ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିପାରେ।

 

ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଭୁବନେଶ୍ୱରଙ୍କ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ହୋଇଥିଲା। ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ୯ଟି ଭିଜିଲାନ୍ସ ଟିମ୍‌ ତଲାସି କରିଥିଲା। ଭିଜିଲାନ୍ସ ବୈକୁଣ୍ଠନାଥ ବେହେରାଙ୍କୁ ଗିରଫ କରି ଆୟ ଉତ୍ସ ନେଇ ଖୋଳତାଡ଼ ଜାରି ରହିଛି।

Comments are closed.