ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟ୍ରଫି ହାସଲ କରିଛି । କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହି ଟୁର୍ଣ୍ଣାମେଂଟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଟିମ ଇଣ୍ଡିଆର କ୍ରମାଗତ ବିଫଳତା ଯୋଗୁ ଗମ୍ଭୀରଙ୍କ କୋଚ ପଦ ବାଜିରେ ଲାଗିଥିଲା । ଏବେ ଗମ୍ଭୀର ଆଶ୍ୱସ୍ତ । ରିପୋର୍ଟ ମୁତାବକ ସେ ଏବେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବେ । ଘରୋଇ ପରିବେଶରେ ଏହି ମେଗା ଟୁର୍ଣ୍ଣାମେଂଟ ଖେଳାଯିବାକୁ ଥିବାରୁ ଭାରତ ଉପରେ ସମସ୍ତଙ୍କ ନଜର ରହିବ । ଗମ୍ଭୀର ପରୋକ୍ଷରେ ଦିନିକିଆ ଏବଂ ଟି୨୦ ପାଇଁ ଅଲଗା ଅଲଗା ଟିମ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୨୦ ଆନ୍ତର୍ଜାତୀୟ ମ୍ୟାଚରୁ ୧୭ରେ ବିଜୟ ହାସଲ କରିଛି । ଦଳ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ମଧ୍ୟ ସଫଳ ହୋଇଛି । ବାଂଲାଦେଶ ବିପକ୍ଷରେ ଭାରତ ୨୯୭ ରନର ବିଶାଳ ସ୍କୋର ମଧ୍ୟ କରିଛି । ଗମ୍ଭୀର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭଲ ପ୍ରଦର୍ଶନ କରୁଥିବା ଓ ଫର୍ମରେ ଥିବା ଖେଳାଳିଙ୍କୁ ପ୍ରାଥମିକତା ଦିଆଯିବ । ସୀମିତ ଓଭରରେ ୨ଟି ଅଲଗା ଅଲଗା ଟିମ ଯୋଗୁ ଭାରତ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଆଇପିଏଲ ପ୍ରଦର୍ଶନ ଉପରେ ମଧ୍ୟ ଗମ୍ଭୀର ତୀକ୍ଷଣ ନଜର ରଖିବେ ବୋଲି ଜଣାପଡିଛି । ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ଟି୨୦ ବିଶ୍ୱକପ ଜିତି ସଫଳ ପ୍ରତ୍ୟାବର୍ତନ କରିଥିଲା । ଏବେ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଆଗାମୀ ଟି୨୦ ବିଶ୍ୱକପ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।