Latest Odisha News

BREAKING NEWS

ଲେଖକ ଗଣେଶ୍ବର ମିଶ୍ରଙ୍କ ସ୍ମାରକୀ ବକ୍ତୃତା : ଓଡ଼ିଆ ସିନେମାରୁ ଅପସରି ଗଲାଣି ସାହିତ୍ୟ କହିଲେ ସୂର୍ଯ୍ୟ ଦେଓ

ଓଡ଼ିଆ ସାହିତ୍ୟରେ ସିନେମାର

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର, କବି ତଥା ଲେଖକ ଗଣେଶ୍ବର ମିଶ୍ରଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ  ଏକ ସ୍ମୃତିସଭା ଗୀ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରି ବରିଷ୍ଠ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ  କହିଥିଲେ ଯେ ଗଣେଶ୍ବର ମିଶ୍ର ତାଙ୍କ ଲେଖନୀ କାଳରେ ଓଡ଼ିଆ ସାହିତ୍ୟର ଡକୁମେଣ୍ଟଟେସନକୁ ଗୁରୁତ୍ବ ଦେଉଥିଲେ । ଓଡ଼ିଶାକୁ ଅନ୍ୟମାନେ କେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ଉପରେ ସେ ପଢ଼ୁଥିଲେ, ଲେଖୁଥିଲେ ଏବଂ ଗବେଷଣା କରୁଥିଲେ ।

କାର୍ଯ୍ୟକ୍ରମର ପୈାରହିତ୍ୟ କରି ବିଶିଷ୍ଟ କବି ଡ.ପ୍ରତିଭା ଶତପଥୀ  କିଛି ଅଙ୍ଗେନିଭା କଥା କହିଥିଲେ । ସେ କହିଥିଲେ ଗଣେଶ୍ବର ମିଶ୍ରଙ୍କ ପଡୋଶୀ ଭାବେ ସେ ତାଙ୍କୁ ଭଲ ଭାବେ ଜାଣିଥିଲେ । ତାଙ୍କର  ଜୀବନ କେତେ ସରଳ ଥିଲା ତାହା ଯେଉଁମାନେ ତାଙ୍କ ସହ ମିଶିଛନ୍ତି ସେମାନେ ଜାଣନ୍ତି । ଗଣେଶ୍ବର ମିଶ୍ର କିପରି ଉଚ୍ଚ ବିଚାରରରେ ଜୀବନ ଜୀଉଁଥିଲେ ତାହା ଉପରେ କହିଥିଲେ ଡ. ଶତପଥୀ । ଗଣେଶ୍ବର ମିଶ୍ର ଏକାଧାରରେ ସାଧୁ, ଜ୍ଞାନୀ, ଭଲ ଶିକ୍ଷକ ସହ ଜଣେ ଭଲ ମଣିଷ ଥିଲେ ।

ଗଣେଶ୍ବର ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ ବିଶିଷ୍ଟ ଅନୁବାଦକ ଡ. ଅରୁଣ କୁମାର ମହାନ୍ତି । ଶ୍ରୀ ମିଶ୍ରଙ୍କ ସହ ବିତାଇ ଥିବା ଅନେକ ରୋଚକ କଥା ସେ କହିଥିଲେ ।  ଗଣେଶ୍ବର ମିଶ୍ରଙ୍କୁ ସେ ଅତି ନିକଟରୁ ଦେଖି ଯାହା ଅନୁଭବ କରିଥିଲେ ତାହା ହେଲା ସେ ଜଣେ  ଭଲ ମଣିଷ ଥିଲେ । ଯିଏ କି ଅନ୍ୟମାନଙ୍କୁ ଭଲ ମଣିଷ ହେବାକୁ ପ୍ରେରଣା ଦେଉଥିଲେ , ସାହାଯ୍ୟ କରୁଥିଲେ ।  ମଣିଷକୁ କିପରି ବିନା ସ୍ବାର୍ଥରେ ଭଲ ପାଇହୁଏ ତାହା ସେ ସବୁ ସମୟରେ ତାଙ୍କ କାର୍ଯ୍ୟରେ ଦେଖାଉଥିଲେ । ସମାଜରେ କିପରି ଭଲରେ ଚଳିବାକୁ ହୁଏ ତାହା ସେ ଜୀବନସାରା ଶିକ୍ଷା ଦେଉଥିଲେ । ନିଜ ପରିବାର ସହ ଅନ୍ୟାନ୍ୟ ସଂଗଠନର ଦାୟିତ୍ବ ବୁଝିବା ସହ ନିଜ ଦାୟିତ୍ବ ପ୍ରତି କିପରି ସଚେତନ ଥିଲେ ତାହା ଉପରେ ମଧ୍ୟ ଅନେକ ବ୍ୟକ୍ତିଗତ କଥା କହିଥିଲେ ।

ଏହି ଅବସରରେ ‘ସାହିତ୍ୟର କାୟା, ସିନେମାର ମାୟା’  ବିଷୟ ଉପରେ ଜାତୀୟ ପୁରସ୍କାରପ୍ରାପ୍ତ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଥିଲେ ଯେ ଓଡ଼ିଆ ସିନେମା ନାହିଁ ନାହିଁରେ ଚାଲିଛି । ୧୯୩୬ ମସିହାରୁ ଓଡ଼ିଆ ସାହିତ୍ୟ ସହ ସିନେମା ଉପରେ କାର୍ଯ୍ୟ ଚାଲିଛି । ଓଡ଼ିଆ ଫିଲ୍ମରେ ଓଡ଼ିଆ ସାହିତ୍ୟର ସଂଯୋଗୀକରଣ ଅନେକ ସମୟରେ ସଫଳ ହୋଇଥିବା ବେଳେ ବେଶି ବିଫଳ ହୋଇଛି ।

ଷାଠିଏ ଦଶକ ବେଳକୁ ଓଡ଼ିଆ ସିନେମାରେ ଓଡ଼ିଆ ସାହିତ୍ୟର ସଂଯୋଗୀକରଣ ହୋଇଥିବା କହିଥିଲେ ଶ୍ରୀ ଦେଓ । ତେବେ ସମୟ ଅତିକ୍ରାନ୍ତ କରିବା ପରେ କିଛି ଚଳଚ୍ଚିତ୍ର ସାହିତ୍ୟକୁ ନେଇ ସଫଳ ହେଲେ କିଛି ବିଫଳ ହେଲେ । କିଛି ଦର୍ଶକଙ୍କୁ ଆକୃଷ୍ଣ କଲା କିଛି ନିରାଶ କଲା । ମାଆ ଚଳଚ୍ଚିତ୍ର, ଲୋକନାଥ ଚଳଚ୍ଚିତ୍ର, ଅମଡ଼ା ବାଟ ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ ଶ୍ରୀ ମିଶ୍ର ।

ମାଟିର ମଣିଷ ଉପନ୍ୟାସ କିପରି ଓଡ଼ିଆ ଫିଲ୍ମରେ ବିଫଳ ହୋଇଥିଲା ତାହା ଉପରେ ଆଲୋଚନା କରିଥିଲେ ଶ୍ରୀ ଦେଓ । ଲିଖିତ ସାହିତ୍ୟକୁ ନେଇ ଫିଲ୍ମ କରିବା, ସେଥିରେ ସଂଳାପ ଦେବା, ମ୍ୟୁଜିକ ଦେବା, ସଂଗୀତ ଭରିବା କେତେ କଷ୍ଟସାଧ୍ୟ ତାହା ଉପରେ ମଧ୍ୟ ଶ୍ରୀ ଦେଓ ଆଲୋକପାତ କରିଥିଲେ ।

ଉପନ୍ୟାସ ହେଉ କି ଗଳ୍ପ ତାକୁ ନେଇ କାହାଣୀ ସୃଷ୍ଟି କରି କ୍ୟାମେରାରେ ଦୃଶ୍ୟ କରିବା ନିର୍ଦ୍ଦେଶକ ଉପରେ ନିର୍ଭର କରିଥାଏ । ପାଠକଟିଏ ଯେତେବେଳେ କ୍ୟାମେରା ସହାୟତାରେ କାହାଣି ଦେଖେ ଯଦି ତାକୁ ପସନ୍ଦ ଆସେନାହିଁ ସେତେବେଳେ ସେ ଫିଲ୍ମଟି ମଧ୍ୟ ଗ୍ରହଣୀୟ ହୁଏ ନାହିଁ । ଷାଠିଏ ଦଶକରେ କିଛି ସାହିତ୍ୟ ଫିଲ୍ମରେ ଆସିବା ଫଳରେ ସଫଳ ହୋଇଥିଲା ।  ଷାଠିଏ ଦଶକର ‘କା’ ଏବଂ ‘ଅମଡାବାଟ’ ଉପରେ କିଛି ଉଦାହରଣ ଦେଇ କହିଥିଲେ ଶ୍ରୀ ଦେଓ ।

ପାଠକ ଯେତେବେଳେ ଉପନ୍ୟାସ ପଢ଼େ ସେ ଅନୁମାନ ଯାହା କରେ ତାହା ଚଳଚ୍ଚିତ୍ରରେ ଦେଖିବାକୁ ଚାହିଁଥାଏ । ୧୯୬୮ ମସିହାର ଫିଲ୍ମ ‘ମାଟିର ମଣିଷ’ କିପରି ବିବାଦୀୟ ହୋଇଥିଲା, ବିଫଳ ହୋଇଥିଲା ତାହା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । କାହାଣୀରେ ଓଡ଼ିଆ ପରମ୍ପରା ନରହିଲେ ତାହା କିପରି ଦର୍ଶକଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ହୁଏ । ଓଡ଼ିଆ ଫିଲ୍ମରେ ଓଡ଼ିଆ ସଂସ୍କୃତି, ପରମ୍ପରା, ଚଳଣୀକୁ ଦର୍ଶକେ କେତେ ଚାହିଁଥାନ୍ତି ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ ।

ସାହିତ୍ୟର ପରିଭାଷା ଏବଂ ସିନେମାର ପରିଭାଷା କିପରି ଅଲଗା ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ ଶ୍ରୀ ଦେଓ । ଅଦିନ ମେଘ, ଶେଷ ଶ୍ରାବଣ କିପରି ସଫଳ ହୋଇଥିଲା ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ  । ଏହା ସହ ୭୦ ଦଶକ ବେଳକୁ ସାହିତ୍ୟ ଏବଂ ଫିଲ୍ମ ମଧ୍ୟରେ ଦର୍ଶକମାନେ କିପରି ଉପନ୍ୟାସର ପଢ଼ିଥିବା ଅନୁଭବକୁ ଖୋଜିଥିଲେ ଏବଂ ସାହିତ୍ୟର ଫିଲ୍ମରେ ସଂଯୋଗୀକରଣ କିପରି କମିବାକୁ ଲାଗିଲା ତାହା ମଧ୍ୟ କହିଥିଲେ ।

ପ୍ରତିଭା ରାୟଙ୍କ ଅପରିଚିତାକୁ  ସାହିତ୍ୟରେ ପାଠକମାନେ ଯେପରି ପଢ଼ିଲେ ଫିଲ୍ମରେ ସେପରି ଦେଖିବାକୁ ପାଇଲେ ନାହିଁ ଯାହା ଫଳରେ  ଦର୍ଶକମାନେ ଏହି ଫିଲ୍ମକୁ ଗ୍ରହଣ କଲେ ନାହିଁ ତାହା ମଧ୍ୟ ଶ୍ରୀ ଦେଓ କହିଥିଲେ । ଏହା ସହ ଅଶୀ ଦଶକ ବେଳକୁ କିପରି ଓଡ଼ିଆ ଫିଲ୍ମରେ ବଙ୍ଗାଳି ଭାଷାର ଫିଲ୍ମ ପ୍ରଭାବ ବିସ୍ତାର କରିଥିଲା ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ । ଓଡ଼ିଆ କାହାଣୀ, ଓଡ଼ିଆର ରୁଚି, ଐତିହ୍ୟ, ପରମ୍ପରାକୁ କିପରି ଗୋପାଳ ଛୋଟରାୟ ବୁଝି ଦର୍ଶକଙ୍କ ମନମୋହିପାରିଥିଲେ ତାହା ଉପରେ ମଧ୍ୟ କହିଥିଲେ । କାବେରୀ , ଭୂଖାରେ ଦର୍ଶକ ଯାହା ଚାହୁଁଥିଲେ ତାହା ପାଇନଥିଲେ ତେଣୁ ଏହି ଫିଲ୍ମ ଅସଫଳ ହୋଇଥିଲା ଏବଂ ଲେଖକଙ୍କ ବିଚାର ଏବଂ ନିର୍ଦ୍ଦେଶକ ବିଚାରରେ  ଫରକ ରହୁଥିଲା ତାହା ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ ସୂର୍ଯ୍ୟ ଦେଓ ।

ଏହା ସହ ୯୦ ଦଶକରେ  ଗଳ୍ପକୁ ନେଇ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ କିଛି ସଫଳ ହୋଇଥିବା ବେଳେ ଅନେକ ବିଫଳ ହୋଇଥିଲା ତାହା ଉପରେ କହିଥିଲେ ଶ୍ରୀ ଦେଓ । ନୀଳ ମାଷ୍ଟ୍ରାଣୀ ଗଳ୍ପ ଉପରେ ବାସ୍ତବବାଦୀ କାହାଣୀକୁ ନେଇ ପର୍ଯ୍ୟବେଶିତ ସିନେମାକୁ ଦର୍ଶକମାନେ ଗ୍ରହଣ କରିଥିଲେ ।  ତେବେ ନବେ ଦଶକ ପରେ କିପରି ଓଡ଼ିଆ ସିନେମାରୁ ଓଡ଼ିଆ ସାହିତ୍ୟ ଆସ୍ତେ ଆସ୍ତେ ଅପସରି ଯାଇଥିଲା ବୋଲି କହିଥିଲେ ଶ୍ରୀଦେଓ ।  ଏବେ ସହଜରେ ଓଡ଼ିଆ  ଫିଲ୍ମ କରିବା ପାଇଁ   ଅନ୍ୟ ଭାଷାର ସିନେମାରୁ କାହାଣି କେବଳ କପି ପେଷ୍ଟ ଚାଲିଛି ବୋଲି ସେ ମତ ରଖିଥିଲେ  ।

ଏହି ଅବସରରେ  ଗଣେଶ୍ବର ମିଶ୍ରଙ୍କ ଦୁଇଟି ପୁସ୍ତକ, ସୃଜନ ସମଗ୍ର ଭାଗ-୬ ଏବଂ ଘର ବାହୁଡା ଓ ଅନ୍ୟାନ୍ୟ ଗଳ୍ପକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମର  ସର୍ବଶେଷରେ କଥାକାର ଡ. ବିରାଜ ମୋହନ ଦାସ  ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.