Latest Odisha News

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଉ ଜିଲ୍ଲାରୁ ୫ ଥର ବିଧାୟକ ହୋଇଥିବା ମୁଖତାର ଅନସାରୀଙ୍କର ଗୁରୁବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି। ବାନ୍ଦା ଜିଲ୍ଲା ଜେଲରେ ବନ୍ଦୀ ଥିବା ଏହି ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ସନ୍ଧ୍ୟାରେ ତାଙ୍କୁ ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ଜେଲ୍ ଅଧିକାରୀଙ୍କ କହିବା ନୁସାରେ, ସନ୍ଧ୍ୟାରେ ରମଜାନ ଉପବାସ ଭାଙ୍ଗିବା ପରେ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ପ୍ରଥମେ ଡାକ୍ତର ଜେଲକୁ ଆସିଥିଲେ। କିନ୍ତୁ ହୃଦଘାତ ହୋଇଥିବା ସନ୍ଦେହ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ରାତି ୮ଟା ୨୫ରେ ତାଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ୯ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ ମଧ୍ୟ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।

ଜେଲ୍ ଭିତରେ ତାଙ୍କୁ ବିଷ ମିଶା ଖାଦ୍ୟ ଦିଆଯାଇଥିଲା ବୋଲି ବାରବାଙ୍କୀ ଅଦାଲତକୁ କହିବାର କିଛି ଦିନ ପରେ ମୁକ୍ତାର ଅନସାରୀଙ୍କୁ ମଙ୍ଗଳବାର ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅନସାରୀ ମୂତ୍ରନଳୀ ସଂକ୍ରମଣ (ୟୁଟିଆଇ)ରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ।

Comments are closed.