Latest Odisha News

BREAKING NEWS

ଅଗଷ୍ଟରୁ ଆରମ୍ଭ ହେବ ‘ଗଣିତ କଳିକା’; ଉପକୃତ ହେବେ ୩୭ ଲକ୍ଷ ୭୧ ହଜାର ୨୪୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତରେ ଅଧିକ ଦକ୍ଷ ଓ ପାରଙ୍ଗମ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଗଣିତ କଳିକା କାର୍ଯ୍ୟକ୍ରମ । ‘ଗଣିତ କଳିକା’ ନାମରେ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପ୍ରାଥମିକ ସ୍କୁଲଗୁଡ଼ିକରେ ଲାଗୁ ହେବାକୁ ଥିବା ବେଳେ ଏଥିପାଇଁ ମୋଟ୍ ୬କୋଟି ୯୯ଲକ୍ଷ ଟଙ୍କା ବ୍ୟୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୩୪୬୪୨ ସ୍କୁଲକୁ ଏଥିରେ ସାମିଲ କରାଯିବ । ତେବେ ଏହି କାର୍ଯ୍ୟକ୍ରମ ଏପ୍ରିଲରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଥିବାବେଳେ କରୋନା ପାଇଁ ୪ମାସ ପରେ ଅର୍ଥାତ ବିଳମ୍ବରେ ଆରମ୍ଭ ହେବ ।

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୬ହଜାର ୭୦ ସ୍କୁଲ ରହିଛି । ତେବେ ଏହି ପ୍ରାଥମିକଶିକ୍ଷାରେ ମୋଟ୍ ପିଲାଙ୍କ ସଂଖ୍ୟା ୩୭ଲକ୍ଷ ୭୧ହଜାର ୨୪୯ ରହିଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ପଢ଼ୁଥିବା ପିଲାମାନେ ଅନେକ ବିଷୟରେ ଦୁର୍ବଳ ହୋଇଥିବା ବେଳେ ସର୍ବାଧିକ ଗଣିତରେ ଦୁର୍ବଳ । ରିପୋର୍ଟ ଅନୁସାରେ ୪ର୍ଥ ଓ ୫ମଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୮୦ପ୍ରତିଶତ ପିଲା ଗଣିତରେ ଦୁର୍ବଳ ଥିବା ବେଳେ ୭୨ପ୍ରତିଶତ ପିଲା ଠିକ୍ ଭାବେ ଗଣିତ ସୂତ୍ର ସମ୍ପର୍କରେ ଅବଗତ ହୋଇନଥାନ୍ତି । ଏପରି ସମସ୍ୟାର ସମାଧାନ ଳାଗି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି । ପ୍ରଥମଥର ଲାଗି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗଣିତରେ ଦକ୍ଷତା ବଢ଼ାଇବା ସହ ସହ ସେମାନଙ୍କୁ ମାଷ୍ଟର ଇନ୍ ମାଥମେଟିକ୍ସର ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି ବିଭାଗ । ସେଥିପାଇଁ ‘ଗଣିତ କଳିକା’ ନାମରେ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ତାହା କାର୍ଯ୍ୟକାରୀ ହେବା ପରେ ଏହି ଯୋଜନାରେ ଦେଶରେ ଓଡ଼ିଶା ୩ୟ ରାଜ୍ୟ ଭାବେ ମାନ୍ୟତା ପାଇବ । ପୂର୍ବରୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏହି ‘ଗଣିତ କଳିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବାଙ୍ଗାଲୋରର ‘ଅକ୍‌ସରା ଫାଉଣ୍ଡେସନ’ ପକ୍ଷରୁ ପିଲାଙ୍କୁ ଗଣିତ କିଟ୍ ପ୍ରଦାନ କରାଯିବ । ଚଳିତବର୍ଷ ୨୮ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲ୍ଲାକୁ ଚୟନ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଉଛି, ଅନୁଗୁଳ, ବରଗଡ଼, ବୌଦ୍ଧ, ଦେଓଗଡ଼, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲା । ଏହି ୨୦ଟି ଜିଲ୍ଲାର ୩୪ହଜାର ୬୪୨ଟି ସ୍କୁଲରେ ଆରମ୍ଭ ହେବାକୁ ଥିବା ‘ଗଣିତ କଳିକା’ କାର୍ଯ୍ୟକ୍ରମ ମାଧ୍ୟମରେ ୧.୯ ମିଲିୟନ ଛାତ୍ରଛାତ୍ରୀ ଉପକୃତ ହେବେ ।

ତେବେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ପାଇଁ ପିଲାଙ୍କୁ ଯେଉଁ ଗଣିତ କିଟ୍ ପ୍ରଦାନ କରାଯିବ ସେଥିରେ ଗଣିତ ପାଠର ବିଭିନ୍ନ ଉପକରଣ ରହିଛି । ପ୍ରତ୍ୟେକ କିଟ୍‌ର ମୂଲ୍ୟ ୧୮ଶହ ଟଙ୍କା ଥିବା ବେଳେ ଏହା ପ୍ରତି ସ୍କୁଲକୁ ଗୋଟିଏ ଲେଖାଏଁ ବଣ୍ଟା ଯିବ । ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ୩୪ହଜାର ୬୪୨ଟି ସ୍କୁଲ ଲାଗି ଏହି କିଟ୍ ବାବଦରେ ୬କୋଟି ୨୩ଲକ୍ଷ ୫୫ହଜାର ୬୦୦ଟଙ୍କା ବ୍ୟୟ କରିବେ । ମୋଟ ଉପରେ ଏହି ଯୋଜାନରେ ୬କୋଟି ୯୯ଲକ୍ଷ ୧୫ହଜାର ୬୦୦ଟଙ୍କା ଖଚ୍ଚ ହେବ ।

ଏହି ‘ଗଣିତ କଳିକା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ଗଣିତର ସୂତ୍ର ସମ୍ପର୍କରେ ଅବଗତ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଗଣିତରେ ସର୍ବନିମ୍ନ ୬୫ପ୍ରତିଶତରୁ ଅôଦକ ମାର୍କ ରଖିବେ ବୋଲି ଆଶା କରାଯାଉଛି । ତେବେ ଏନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିମ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟରେ ୬ହଜାର ୫୩୦ ଶିକ୍ଷକ ପ୍ରଶିକ୍ଷଣ ନେଇସାରିଛନ୍ତି ।

ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ପାସ୍‌-ଫେଲ ବ୍ୟବସ୍ଥା ପୁଣି ଲାଗୁ ହେବା ପରେ ଗଣିତ, ଇଂରାଜୀ, ବିଜ୍ଞାନ ବିଷୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସପ୍ତମ ପାସ କରୁଥିବା ପିଲାମାନେ ଯେପରି ଏହି ୩ଟି ବିଷୟରେ ସର୍ବନିମ୍ନ ୫୫ପ୍ରତିଶତରୁ ଅଧିକ ମାର୍କ ରଖିପାରିବେ ସେଥିପାଇଁ ଗୁରୁତ୍ୱ ଦିଆଯିବ । ତେବେ ଗଣିତ ବିଷୟରେ ପିଲାଙ୍କୁ ଅଧିକ ଦକ୍ଷତା କରିବା ପାଇଁ ଗଣିତ କଳିକା କାର୍ଯ୍ୟକ୍ରମ ବେଶ ସହାୟକ ହେବ ।

Leave A Reply

Your email address will not be published.