ବଲାଙ୍ଗିର: ବୌଦ୍ଧ ଜିଲ୍ଲାରେ ଏସ୍ଟିଏଫ୍ ସହ ମୁହାଁମୁହିଁ ଘଟଣାରେ ଗଞ୍ଜେଇ ମାଫିଆର ମୃତ୍ୟୁ ଘଟିଛି। ଗତକାଲି ଖାରି ବ୍ରିଜରୁ ନଦୀକୁ ଡେଇଁ ଗଞ୍ଜେଇ ମାଫିଆ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ମୃତକ ହେଲେ ଛତିଶଗଡ଼ ରାଜ୍ୟ ବିଳାସପୁର ଅଞ୍ଚଳର ଶୁଭମ ଯାଦବ ଓରଫ୍ ଦିଲ୍ଲୀପ (୩୦ ବର୍ଷ)। ଅନ୍ୟତମ ସହଯୋଗୀକୁ ପୋଲିସ୍ କାବୁ କରିଛି। ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଜବତ କରାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଛତିଶଗଡ଼କୁ ଏକ ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲା ଏସ୍ଟିଏଫ୍। ଗାଡ଼ିକୁ ଧରିବାକୁ ପିଛା କରିଥିଲେ ବିଭାଗୀୟ କର୍ମଚାରୀ। ଏହି ସମୟରେ ଗଞ୍ଜେଇ ମାଫିଆ ଦିଲ୍ଲୀପ ଗାଡ଼ି ଛାଡ଼ି ଖାରୀ ନଦୀ ବ୍ରିଜ୍ରୁ ତଳକୁ ଡେଇଁ ପଡ଼ିଥିଲା।
ନଦୀରେ ପାଣି ନଥିବାରୁ ତା’ର ଗୋଡ଼ହାତ ଭାଙ୍ଗି ଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମୁମୁର୍ଷୁ ଅବସ୍ଥାରେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବଲାଙ୍ଗିର ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିଲ୍ଲୀପର ମୃତ୍ୟୁ ହୋଇଯାଇଥିଲା। ରାତିରେ ମୃତକଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।
Comments are closed.