ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ସୁବଳୟା ଥାନା ପୋଲିସ ଟିମ୍ ଚଢ଼ାଉ କରି ଏକ ଟ୍ରକରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।
ସୂଚନାମୁତାବକ, କଦଳିଗଡ଼ ପଟରୁ ଏକ କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେଶାଲ ପୋଲିସ ଟିମ୍। ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଚଢ଼ାଉ କରାଯାଇ ଏହି ସଫଳତା ହାସଲ କରାଯାଇଛି।
ପୋଲିସ ଗାଡ଼ିକୁ ଦେଖି କଣ୍ଟେନର୍ ଡ୍ରାଇଭର୍ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ପୋଲିସ କଣ୍ଟେନର୍ ଭିତରେ ପ୍ରସ୍ତୁତ କରାଯାଇଥିବା ଏକ ବିଶେଷ ସିକ୍ରେଟ୍ ଚେମ୍ବର୍ (ଗୁପ୍ତ କୋଠରୀ) ପାଇଥିଲା । ସିକ୍ରେଟ୍ ଚେମ୍ବରକୁ କାଟି ପୋଲିସ ସେଥିରୁ ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ବାହାର କରିଥିଲା। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଅଜିତ୍ ମିର୍ଦ୍ଧାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା, ଯାହାର ମୋଟ ଓଜନ ପ୍ରାୟ ୧୨ କୁଇଣ୍ଟାଲ୍ ୫୦ କିଲୋଗ୍ରାମ୍ ହୋଇଛି।
ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ସୁବଳୟା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୁବର୍ଣ୍ଣପୁର ପୋଲିସର ଏହି ଉଲ୍ଲେଖନୀୟ ସଫଳତାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏହି ବଡ଼ ସଫଳତା ପାଇଁ ସୋନପୁର ଏସ.ପି ନାରାୟଣ ନାୟକ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
