Latest Odisha News

BREAKING NEWS

ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ ହୋଇଥିବା କେସ୍‌ ଏବଂ କେତେଟି ମକଦ୍ଦମାର ଫଇସଲା ହୋଇଛି, ସେନେଇ ତଥ୍ୟ ପଚାରିଥିଲେ।

ସୈରାତ ଉତ୍ସଗୁଡିକର ବିନିଯୋଗ କେଉଁ ଭଳି କରାଯାଉଅଛି, ବେବନ୍ଦୋବସ୍ତ, ଗ୍ରାମ କଣ୍ଟ ପରମଭୋଗ, ୫-ଟି ଅନ୍ତର୍ଗତ ସ୍କୁଲଗୁଡିକ ରୂପାନ୍ତରୀତ କ୍ଷେତ୍ରରେ କେତୋଟି ସ୍କୁଲକୁ ପଟ୍ଟା ହସ୍ତାନ୍ତରିତ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଅଛି ଏବଂ ଭୂ-ଅର୍ଜନ ସମ୍ପର୍କିତ ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲାପାଳ (ରାଜସ୍ୱ) ପ୍ରିୟରଞ୍ଜନ ପୃଷ୍ଟି ମକଦ୍ଦମାଗୁଡ଼ିକର ସ୍ଥିତି ନେଇ ଅବଗତ କରିଥିଲେ ।

ଖଣି ଖାଦାନ ଉପରେ ଅଧିକ ଦୃଷ୍ଟି ଦେବାକୁ ଏବଂ ଚଢାଉ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜିଲାପାଳ ପରିଡ଼ା ନିର୍ଦେଶ ଦେଇଥିଲେ ।

ତହସିଲଗୁଡିକରେ ପଡି ରହିଥିବା କେସ୍‌ ଗୁଡିକର ସବିଶେଷ ତଥ୍ୟ ମୁଖ୍ୟାଳୟକୁ ଜଣାଇବାକୁ କୁହାଯାଇଛି । ଜିଲା ସ୍ତରରେ ସେହିସବୁ ତଥ୍ୟକୁ ଆଧାର କରି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ସଂପୃକ୍ତ ତହସିଲକୁ ପ୍ରଦାନ କରାଯିବ। ଉକ୍ତ ସମୟ ମଧ୍ୟରେ ତହସିଲଦାରମାନେ ମକଦ୍ଦମାଗୁଡ଼ିକର ଫଇସଲା କରିବେ ।

ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତି ଭାସନ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲାପାଳ ଜ୍ୟୋତି ଶଙ୍କର ରାୟ, ଡେପୁଟି କଲେକ୍ଟର(ରାଜସ୍ୱ) ରାଜ କିଶୋର ଜେନାଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.