Latest Odisha News

ଅଲିଭା ସ୍ୱାକ୍ଷର

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ଗାଁ ସ୍କୁଲରେ ମୁଁ ତୃତୀୟ ଶ୍ରେଣୀରେ ପଢୁଥାଏ । ଆମ ଗାଁର ଆଖପାଖ ଗାଁରେ ଆଉ କୌଣସି ପ୍ରାଥମିକ ବିଦ୍ୟାଳୟ ନଥିଲା ସେତେବେଳେ । ସେଥିପାଇଁ ପ୍ରାୟ ପାଞ୍ଚ ଛଅ ଖଣ୍ଡ ଗାଁର ପିଲାମାନେ ବି ଆମ ଗାଁ ସ୍କୁଲରେ ଆମ ସହିତ ପଢୁଥିଲେ । କିଏ ପାହାଡ଼ କଡ଼େ କଡ଼େ ଜଙ୍ଗଲିଆ ରାସ୍ତାରେ ତିନି କିଲୋମିଟର ଚାଲି ଚାଲି ଆସୁଥିଲା ତ ଆଉ କିଏ ଗାଁ ଉପରମୁଣ୍ଡରେ ଥିବା ବଡ଼ବନ୍ଧର ହିଡ଼ କଡ଼ରେ ବିଲମାଳ ଭିତର ଦେଇ ଆସୁଥିଲା ସ୍କୁଲକୁ ପାଠ ପଢ଼ିବା ପାଇଁ । ଆର୍ଥିକ ସ୍ଥିତି ଏତ ସ୍ୱଚ୍ଛଳ ନଥିଲା ଲୋକମାନଙ୍କର । ତେଣୁ କେଉଁ ପିଲା ପାଖରେ ଠିକ୍ ଭାବେ ବହି ଖଣ୍ଡେ ନଥିଲା ତ ଆଉ କାହାର ସିଲଟ ନଥିଲା । କିଏ ଗାମୁଛା ଖଣ୍ଡେ କଛା ମାରି ପିନ୍ଧି ସ୍କୁଲ ଆସୁଥିଲା ତ ଆଉ କାହାର ଜଙ୍ଘିଆ ପଛରେ ପଡ଼ିଥିଲା ତାଳି । କିନ୍ତୁ ପାଠପଢ଼ାର ଆଗ୍ରହ ଥିଲା । ଶ୍ରେଣୀରେ ପ୍ରତିଦ୍ୱନ୍ଦ୍ୱିତା ଥିଲା ।

ଆମର ଶ୍ରେଣୀ ଶିକ୍ଷକ ଥିଲେ ପାଢ଼ୀ ସାର୍ । ତାଙ୍କ ପୂରା ନାଁ ନରସିଂହ ପାଢ଼ୀ । ଘର ପାତ୍ରପୁର ବ୍ଲକର ଜୟନ୍ତୀପୁର ଗାଁରେ । ଆମ ଗାଁରୁ ପ୍ରାୟ ଅଶୀ କିଲୋମିଟର ଦୂର । ତେବେ ସେ ଗାଁ ପାଖ ସହରରେ ରହୁଥାନ୍ତି । ସାଇକେଲରେ ସ୍କୁଲ ଆସନ୍ତି । ଶ୍ରେଣୀରେ ଯଦି କୌଣସି ପିଲା ପାଟିକଲା, ତାହେଲେ ତାକୁ ପଡୁଥିଲା ଅମରି ବାଡ଼ିରେ ପାହାର । ଓଃ କି ମାଡ଼ । ବିରି ମାଡ଼ ଦେଖି କୋଳଥର ଯାହା ଅବସ୍ଥା, ସେୟା ହେଉଥିଲା ଅଧିକାଂଶ ପିଲାଙ୍କର । ମୁଁ ଭଲ ପଢୁଥିଲି ବୋଲି ପାଢ଼ୀ ସାର୍ ମୋତେ ଶ୍ରେଣୀର ମନିଟର କରିଦେଇଥିଲେ । ସାରଙ୍କ ଅନୁପସ୍ଥିତିରେ ଯେଉଁ ପିଲା ପାଟି କରୁଥିଲା, ତା ନାଁ ମୋତେ କାନ୍ଥରେ ଥିବା କଳାପଟାରେ ଲେଖିବାକୁ ପଡୁଥିଲା । ମୋଟାମୋଟି କହିଲେ କଳାପଟାର ତଳପଟୁ ଶେଷଭାଗ ଯାଏଁ ବି ହାତ ପାଉ ନଥିଲା ମୋର । ତଥାପି ଯାହାର ବି ନାଁ ଲେଖୁଥିଲି, ସାର୍ ଆସିଲା ପରେ ତାକୁ ଧୁମ୍ ଉତ୍ତମ ମଧ୍ୟମ ହେଉଥିଲା । କିନ୍ତୁ ଖୁବ୍ ବଢ଼ିଆ ପଢ଼ାଉଥିଲେ ସାର୍ । ପାଠପଢ଼ାରେ କୌଣସି ବୁଝାମଣା ନାହିଁ । ଯଦି କୌଣସି ପିଲା ସ୍କୁଲ ଆସୁନଥିଲା, ତାହେଲେ ଆମ ଭଳି ତିନି ଚାରି ଜଣ ପିଲାଙ୍କୁ ଧରି ସାର୍ ବାହାରୁଥିଲେ ଗାଁ ଭିତରକୁ । ଘର ଘର ବୁଲି ସେହି ପିଲାଙ୍କୁ ଧରି ଆଣୁଥିଲେ ସ୍କୁଲକୁ । କେହି କେହି ତ ସାର୍ ଆସିବା ଶୁଣି ଘର ପଛପଟୁ ବିଲମାଳକୁ ଛୁ ମାରୁଥିଲେ, ନ ହେଲେ ସିଧା ବଣକୁ ଦୌଡୁଥିଲେ । କିନ୍ତୁ ଯେଉଁମାନେ ଡରରେ ହେଉ ବା ଭୟରେ ସ୍କୁଲକୁ ଆସିଯାଇଥିଲେ, ଆଜି ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି ।

ଆମେ ପଢୁଥିବା ସ୍କୁଲ ଘର ଚଟାଣରେ ସିମେଣ୍ଟ ପଲସ୍ତରା ନଥିଲା । ତେଣୁ ପ୍ରତି ଶନିବାର ଦ୍ୱିପହରେ ଆମେ ସବୁ ପିଲା ଗାଁରୁ ଗୋବର ଗୋଟାଇ ଆଣି, ପାଣି ବୋହି ସ୍କୁଲ ଚଟାଣରେ ଗୋବର ଲିପୁଥିଲୁ । ରବିବାର ଦିନ ସ୍କୁଲ ଚଟାଣ ଶୁଖି ଯାଉଥିଲା । ପୁଣି ସୋମବାରରୁ ଶନିବାର ଯାଏଁ ସେହି ଗୋବରଲିପା ଚଟାଣରେ ବସି ଆମର ପାଠପଢ଼ା ଚାଲୁଥିଲା ।

ତୃତୀୟ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ସରିଥାଏ । ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଥାଏ । ଦୋଳପୂର୍ଣ୍ଣିମା ପାଖାପାଖି ସମୟ । ହଠାତ୍ ଦିନେ ଖରାବେଳଟାରେ ଖଣ୍ଡିଆଭୂତ ଆସିଲା । ଏମିତି ଘୂର୍ଣ୍ଣିଝଡ଼ ମୁଁ ତା ପୂର୍ବରୁ ଦେଖିନଥିଲି କେବେ । ଆମ ସ୍କୁଲ ଘରର ଟିଣ ଉଡ଼ିଗଲା । ଗଲା ତ ଗଲା ସିଧା ଯାଇ କିଲୋମିଟର ଦୂରରେ ବିଲମାଳରେ ପଡ଼ିଲା । ତଳେ ଚଟାଣ ନଥିଲା, ଆଉ ଏବେ ଉପରୁ ଟିଣ ଉଡ଼ିଗଲା । ମୋର ମନେ ଅଛି, ସ୍କୁଲ ସବ୍ ଇନସ୍ପେକ୍ଟର ଆସି ଦେଖିଯିବା ପରେ ପ୍ରାୟ ପନ୍ଦର ଦିନ ପାଇଁ ବନ୍ଦ ହୋଇଗଲା ସ୍କୁଲ ।

ଯେତେବେଳେ ସ୍କୁଲ ଖୋଲିଲା, ସେତେବେଳକୁ ସ୍ଥିତିରେ କୌଣସି ପରିବର୍ତ୍ତନ ନଥିଲା । ଉପରୁ ଖରା, ତଳେ ଗୋବରଲିପା ଚଟାଣରେ ଚଟେଇ ବିଛେଇ ପାଠପଢ଼ିଲୁ ଆମେ । ହେଲେ ଗୋଟିଏ ପରିବର୍ତ୍ତନ ଥିଲା, ଯାହାକି ମୋ ପାଇଁ ଥିଲା ସବୁଠୁ ବଡ଼ ଝଟକା । ପାଢ଼ୀ ସାର୍ ବଦଳି ହୋଇଯାଇଥିଲେ । ତାଙ୍କ ସ୍ଥାନରେ ଆସିଥିଲେ ଜଣେ ଦିଦି । ନୀରଦବାସିନୀ ପଟ୍ଟନାୟକ । ସେ ଆସିବାର ପ୍ରଥମ ଦିନରେ ହିଁ କାହିଁକି କେଜାଣି ତାଙ୍କୁ ଗ୍ରହଣ କରିପାରୁନଥିଲି ମୁଁ । ତେବେ ପ୍ରଥମ ପିରିୟଡରେ ହିଁ ସେ ମୋତେ ଖୋଜିଲେ । ବଡ଼ ଆଶ୍ଚର‌୍ୟ୍ୟ ହୋଇଯାଇଥିଲି ମୁଁ । ଭାବୁଥିଲି, ଦିଦି ତ ନୂଆ ଆସିଛନ୍ତି, ହେଲେ ମୋ ନାଁ ଜାଣିଲେ କେମିତି ? ଏତିକି ବେଳେ ସେ ତାଙ୍କ ବ୍ୟାଗରୁ ଦୁଇଟି ଚକୋଲେଟ୍ ବାହାର କରି ମୋ ହାତରେ ଦେଲେ । ମୋ ଆଶ୍ଚର‌୍ୟ୍ୟର ସୀମା ଆହୁରି ବଢୁଥିଲା । ମୁଁ କିଛି ଭାବିବା ଆଗରୁ ସେ କହିଲେ, ଏ ଚକୋଲେଟ୍ ମୁଁ ଦେଇନି । ଏଇଟା ତୋ ପାଇଁ ପାଢ଼ୀ ସାର୍ ପଠେଇଛନ୍ତି । ସେ ଏଠାରୁ ଗଲାବେଳେ ତୋ ବିଷୟରେ ମତେ ସବୁକଥା କହିଛନ୍ତି । ଖାଲି ସେତିକି ନୁହେଁ, ତୁ ଶ୍ରେଣୀରେ ପ୍ରଥମ ହେଉଛୁ । ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛୁ । ଏକଥା ବି ସେ ମୋତେ କହିଛନ୍ତି । ସାତ ବର୍ଷ ବୟସରେ ମୁଁ ବା ଆଉ ଦିଦିଙ୍କୁ କଣ କହିଥାନ୍ତି ? କେବଳ ଜଳ ଜଳ ହୋଇ ତାଙ୍କ ମୁହଁକୁ ଚାହିଁଥିଲି । ଆଉ ମୋ ଅଜାଣତରେ ହିଁ ଭୋ କରି କାନ୍ଦିଉଠିଲି ମୁଁ । ସେହି କାନ୍ଦୁରା ଅବସ୍ଥାରେ ହିଁ ଦିଦିଙ୍କୁ ପଚାରିଲି, ପାଢ଼ୀ ସାର୍ କଣ ଆଉ ଆସିବେନି?

ଦିଦି କହିଲେ, ଆରେ ନା, ସେ ଆଉ ଆସିବେନି । ତାଙ୍କର ବଦଳି ହେବାରୁ ପରା ତାଙ୍କ ସ୍ଥାନରେ ମୁଁ ଆସିଲି । ତୁ ଏତେ ଚିନ୍ତା କାହିଁକି କରୁଛୁ? ମୁଁ ଅଛି ନା । ତା ପରେ ସବୁ ଠିକ୍ । ଧୀରେ ଧୀରେ ଆମେ ସମସ୍ତେ ଦିଦିଙ୍କ ପାଠପଢ଼ା ସହିତ ଅଭ୍ୟସ୍ତ ହୋଇସାରିଥିଲୁ । ଗୀତ ଗପ ଭିତରେ ତାଙ୍କ ପାଠ ପଢ଼ାଇବାର ଶୈଳୀ ଥିଲା କିଛି ନିଆରା । ଶ୍ରେଣୀର ପ୍ରାୟ ସବୁ ପିଲା ଭଲ ପଢୁଥିଲେ । ହେଲେ ମାସେ ଦେଢ଼ ମାସ ହୋଇଛି କି ନାହିଁ ଦିଦିଙ୍କର ବି ବଦଳି ପାଇଁ ନିର୍ଦ୍ଦେଶ ଆସିଗଲା । ସେ କଥା ଆମକୁ କାହାରିକୁ ବି ଜଣା ନଥିଲା । ଯେଉଁଦିନ ଦିଦି ସ୍କୁଲ ଛାଡ଼ି ଯିବାର ଥିଲା, ସେଦିନ ଅସୁସ୍ଥତା ପାଇଁ ସ୍କୁଲ ଯାଇନଥିଲି ମୁଁ । ଘରେ ରୋଗ ଶେଯରେ ପଡ଼ିଥିଲି । ହଠାତ୍ ମାଆ କହିଲା, ଉଠ୍, ଦେଖ୍ କିଏ ଆସିଛନ୍ତି? ମୁଁ ଆଖି ମଳି ଉଠି ଦେଖିଲା ବେଳକୁ ମୋ ସାମ୍ନାରେ ବସିଛନ୍ତି ପଟ୍ଟନାୟକ ଦିଦି । ମୁଁ କିଛି କହିବା ଆଗରୁ, ସେ ମୋ ହାତରେ ଧରାଇଦେଲେ ମୁଠାଏ ଚକୋଲେଟ୍ । କହିଲେ, ମୁଁ ଜାଣିଛି, ତୋତେ ଚକୋଲେଟ୍ ବହୁତ ପସନ୍ଦ । ହେଲେ ଏକା ଖାଇବୁନି । ଭଉଣୀକୁ ବି ଦେବୁ । ମୋର ଡେରି ହେଲାଣି, ମୁଁ ଯାଉଛି । ଦିଦି ଯିବା ବେଳେମୋ ମୁଣ୍ଡକୁ ଆଉଁସି ଦେଇଥିଲେ । ସେତେବେଳ ଯାଏଁ ବି ମୁଁ ଜାଣିନଥିଲି ଯେ, ଦିଦି ଆଉ ଆମ ସ୍କୁଲକୁ ଆସିବେନି । ଦୁଇଦିନ ପରେ ଯେତେବେଳେ ସ୍କୁଲ ଗଲି, ସେତେବେଳେ ଆଉ ଜଣେ ନୂଆ ସାର୍ ଆସି ସାରିଥିଲେ ଆମ ସ୍କୁଲକୁ । ପାଠପଢ଼ା ଆରମ୍ଭ ହୋଇସାରିଥିଲା । ହେଲେ ମୋତେ କାହିଁକି କାନ୍ଦ କାନ୍ଦ ଲାଗୁଥିଲା ମୁଁ ନିଜେ ବି ଜାଣିପାରୁନଥିଲି ।

ତୃତୀୟ ଶ୍ରେଣୀର ସେ ଦିନଠୁ ଆଉ କେବେ ବି ନା ପାଢ଼ୀ ସାର୍ ନା ପଟ୍ଟନାୟକ ଦିଦି କାହାରିକୁ ବି ଦେଖିପାରିନି ଆଜି ଯାଏଁ । ପ୍ରାୟ ଚାଳିଶ ବର୍ଷ ପରେ ମଧ୍ୟ ଆଜି ମୋ ଆଖି ସାମ୍ନାରେ ଝଲସି ଉଠୁଛି ଉଭୟ ଶିକ୍ଷକଙ୍କ ଚେହେରା । ମୋର ସେ କଅଁଳ ବୟସରେ ସେମାନେ ସୃଷ୍ଟି କରିଥିବା ସ୍ମୃତି, ମୋ ମନରେ ଆଜି ବି ଅଲିଭା ସ୍ୱାକ୍ଷର ହୋଇ ରହିଛି । ମନେ ହେଉଛି ଆଜି ବି ମୋର ଭାରାକ୍ରାନ୍ତ ମୁଣ୍ଡ ଉପରେ ହାତ ବୁଲାଇ ଆଉଁସି ଦେଉଛନ୍ତି ଦିଦି । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.