Latest Odisha News

BREAKING NEWS

‘ସାହିତ୍ୟ ଓ ଆମେ’ ବିଷୟକୁ ନେଇ ସାହିତ୍ୟ ଚର୍ଚ୍ଚା, ଟେକନୋଲୋଜିର ବ୍ୟବହାର ସହ ବହି ପଢ଼ିବାକୁ ପରାମର୍ଶ

ଭୁବନେଶ୍ବର: ପରିବର୍ତ୍ତନଶୀଳ ସମାଜରେ ସାହିତ୍ୟର ଭୂମିକା ସଦା ସର୍ବଦା ନିର୍ଣ୍ଣାୟକ I ପରିବର୍ତ୍ତନଶୀଳ ସମାଜରେ ସାହିତ୍ୟରେ ଓ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ହେଉଛି I କିନ୍ତୁ, ସାହିତ୍ୟ ସହ ଜଡ଼ିତ ଲୋକମାନେ ସମାଜର ପରିବର୍ତ୍ତିତ ଧାରା ସହ କେତେ ସନ୍ତୁଳନ ରଖିଛନ୍ତି, ତାହା ଏବେ ପ୍ରଶ୍ନ ହୋଇ ସାମ୍ନାକୁ ଆସିଥିବା ସମାଜ ବିଜ୍ଞାନୀ ଓ ସ୍ତମ୍ଭକାର ଡଃ ଅବଶ ପରିଡ଼ା କହିଛନ୍ତି I

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଂସ୍କୃତି ସୁରକ୍ଷା ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରବିବାର ବାଣୀବିହାର ତାଳପଦେଶବରୀ ମନ୍ଦିର ବେଢ଼ାରେ ସମାଜସେବୀ ଡ. ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମରେ ବକ୍ତା ତଥା ବରେଣ୍ୟ ଅତିଥି ଭାବେ ଯୋଗଦେଇ ଡ଼ଃ ପରିଡ଼ା ସାହିତ୍ୟକୁ ନେଇ ଓ ସାହିତ୍ୟିକଙ୍କ ମାନସ ପଟରେ ଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥଲେ I ବିଶେଷ କରି ସାହିତ୍ୟ ଓ ସାହିତ୍ୟିକଙ୍କ କ୍ଷେତ୍ରରେ କାର୍ଯ୍ୟଧାରାରେ ଦେଖିବାକୁ ମିଳୁଥିବା ମାଥ୍ୟୁ ଇଫେକ୍ଟକୁ ନେଇ ନିଜ ଅନୁଭୂତି ବାଣ୍ଟିଥିଲେ I

ସେହିପରି ଡ଼ିଜିଟାଲ ଯୁଗରେ ଯେଉଁଠି ସାହିତ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ କମିଯାଇଛି, ସେଥିରେ ଅନୁବାଦ ସାହିତ୍ୟ, ଶିଶୁ ସାହିତ୍ୟ ଓ ପ୍ରବନ୍ଧ ସାହିତ୍ୟିକଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଅନେକ ସମ୍ଭାବନା ଦେଖାଯାଉଥିବା ଡଃ ପରିଡ଼ା କହିଛନ୍ତି I

ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ‘ସାହିତ୍ୟ ଓ ସାମ୍ବାଦିକତା’କୁ ନେଇ କହିଛନ୍ତି, ଏବେ ସବୁ କିଛି ଟେକନୋଲୋଜିକୁ ନେଇ ଆଗକୁ ବଢ଼ୁଛି I ଟେକନୋଲୋଜିକୁ ଆମକୁ ଗ୍ରହଣ କରିବାକୁ ହିଁ ପଡ଼ିବ I କିନ୍ତୁ, ଟେକନୋଲୋଜିର ବ୍ୟବହାର କରିବା ସହ ଅଧିକରୁ ଅଧିକ ବହି ପଢ଼ିବାକୁ ହେବ Iତାହାହେଲେ ହିଁ ନିଜ କାମରେ ଚମକ ଆସିପାରିବ I ଏବେ ଟେକନୋଲୋଜିର ବ୍ୟବହାର ବଢ଼ୁଛି ସତ କିନ୍ତୁ ବହି ପଢ଼ା କମିବାରୁ ସେ ଚମକ ଦେଖିବାକୁ ମିଳୁନାହିଁ I ବଢ଼ି ପଢ଼, ଭାଷା ସାହିତ୍ୟ ବିଷୟରେ ଜାଣ, ପରେ ସେହି କାମ କର କିନ୍ତୁ କିଛିଟା ଭିନ୍ନ ଢଙ୍ଗରେ କର I ତାହାଲେ ହିଁ ନିଜେ ନିଜର ଉପାଦେୟତା ବିଷୟରେ ଅବଗତ ହୋଇପାରିବ I ସାହିତ୍ୟକୁ ବଞ୍ଚାଇ ରଖିବା ଆମ କର୍ତ୍ତବ୍ୟ ବୋଲି ଚୌଧୁରୀ ଅମିତାଭ ଦାସ ଏହି ଅବସରରେ କହିଥିଲେ I

ବରିଷ୍ଠ ସାହିତ୍ୟିକ ଡଃ ଚକ୍ରଧର ଦାସ ଯୋଗଦେଇ ସାହିତ୍ୟ ଚର୍ଚ୍ଚା ଯୁବ ସାହିତ୍ୟିକଙ୍କୁ ନେଇ ହେଉ I ଏବେ ଯୁବ ସାହିତ୍ୟିକମାନେ ଆଗକୁ ଆସିବା ଜରୁରୀ I ଏବେ ନା ଆଗ ଭଳି ଆଗ୍ରହୀ ସାହିତ୍ୟିକଙ୍କୁ ଦେଖିବାକୁ ମିଳୁଛି ନା ସାହିତ୍ୟକୁ ଜାଣିବାକୁ ଲୋକଙ୍କ ମଧ୍ୟରେ ପୂର୍ବ ଭଳି ଇଚ୍ଛାଶକ୍ତି ନଜରକୁ ଆସୁଛି I ଯୁବ ସାହିତ୍ୟିକମାନେ ଆଗକୁ ଆସିଲେ ହିଁ ଆମ ସାହିତ୍ୟ ଅଧିକରୁ ଅଧିକ ଆଗକୁ ବଢ଼ିବ ବୋଲି ଡଃ ଦାସ ମତବ୍ୟକ୍ତ କରିଥିଲେ I

ସେହିପରି ଆମର ପ୍ରତ୍ୟେକଟି କାର୍ଯ୍ୟରେ ସାହିତ୍ୟ ଅଛି, ଆମେ ଥିବା ଯାଏଁ ସାହିତ୍ୟ ବଞ୍ଚÒରହିବ ଏବଂ ବର୍ତ୍ତମାନ, ପ୍ରତିଟି ସାମ୍ବାଦିକ ପ୍ରତିଦିନ ସାହିତ୍ୟ ସର୍ଜନା କରୁଛି ବୋଲି ସାମ୍ବାଦିକ ତଥା ଲେଖକ ହରିହର ପଣ୍ଡା କହିଥିଲେ I ସାହିତ୍ୟ ଏକ ପ୍ରବାହ ଏହା ମାଡ଼ିଚାଲିବ, ଆମେ ଧାରାରେ ରହିବା ଉଚିତ୍ ବୋଲି ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ କହିଥିଲେ I ପ୍ରକାଶକ ତଥା ସାହିତ୍ୟିକ ରଜତ ରଶ୍ମୀ ସାଇଁ ଏହି ଅବସରରେ ନିଜର ସାହିତ୍ୟିକରୁ ସାମ୍ବାଦିକ ଏବଂ ସାମ୍ବାଦିକ ଜୀବନରୁ ପ୍ରକାଶକ ହେବା ଯାଏଁ ଥିବା ଅନୁଭୂତି ବାଣ୍ଟିଥିଲେ I ଏହାସହ ଆଲୋଚ୍ୟ ବିଷୟ ‘ସାହିତ୍ୟ ଓ ଆମେ’କୁ ନେଇ ମତ ରଖିଥିଲେ I

ଏହି ଅବସରରେ ବହୁ ସାହିତ୍ୟପ୍ରେମୀ, ଭାଷାବିତ୍, ସ୍ତମ୍ଭକାର, ସାମ୍ବାଦିକ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ I ସାହିତ୍ୟ କେବଳ ପୁସ୍ତକର ପୃଷ୍ଠାରେ ସୀମିତ ନରହି ସାମାଜିକ ପରିବର୍ତ୍ତନ, ମାନବିକ ମୂଲ୍ୟବୋଧ ଓ ଆତ୍ମସଚେତନତା ସୃଷ୍ଟିରେ ଭୂମିକା ନିର୍ବାହ କରିବା ନେଇ ଏହି ଅବସରରେ ମତ ପ୍ରକାଶ ପାଇଥିଲା I

Leave A Reply

Your email address will not be published.