ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ସୂର୍ଯ୍ୟ ଦେଓ

ଆପଣମାନେ ଜାଣନ୍ତିଯେ ଓଡ଼ିଆ ଚଳଚ୍ଚିତ୍ରର ଜନ୍ମ ସମୟରୁ ହିଁ ଏହାର ଗୀତ ଭିନ୍ନ ଭିନ୍ନ ଭାତି ଓ ଭାବରେ ଓଡ଼ିଆମାନଙ୍କୁ ପ୍ରଭାବିତ ଓ ପୁଲକିତ କରିଆସିଛି । ଭାଷାଶୈଳୀ ଦୃଷ୍ଟିରୁ ଏହି ଗୀତିଧାରାକୁ ସତୁରି ଦଶକର ଶେଷ ଭାଗ ପର୍ଯ୍ୟନ୍ତ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ । ମାର୍ଜିତ ବା ମାନକ ଭାଷା ଏବଂ କଥିତ ଭାଷା । ଉଭୟ ରଚନା ଶୈଳୀ ବୋଧଗମ୍ୟ ହେବା ସହିତ ଧ୍ୱନି ସଂଚାରଣଶୀଳ ଗୀତି ବ୍ୟାକରଣର ଯତିପାତକୁ ସ୍ୱୀକାର କରୁଥିଲା । ଅବଶ୍ୟ ପରେପରେ କେତେକ ଗୀତିକାର ବ୍ୟାକରଣକୁ ଭାଙ୍ଗିଲେ ଏବଂ ସ୍ୱର ଆଶ୍ରିତ ଗୀତ ରଚନା କଲେ । ଅର୍ଥାତ ଆଗ ସ୍ୱର ହେବ ଏବଂ ପରେ ସ୍ୱର ଉପରେ ଗୀତ ରଚନା ହେବ । ଆଜିର ଗୀତ ପଛର ଗପ ସ୍ୱର ଆଶ୍ରିତ ରଚନା ସଂପର୍କରେ । ଯେଣୁ ସାମ୍ନାରେ ଶାରଦୀୟ ଉତ୍ସବ ଏଣୁ ଓଡ଼ିଆ ଚଳଚ୍ଚିତ୍ରରେ ‘ଦୁର୍ଗା ବନ୍ଦନା’ ସମ୍ବନ୍ଧରେ ମଧ୍ୟ ଆଭାସ ଅଛି ଆଜିର ‘ଗୀତ ପଛର ଗପ’ରେ ।

ଗୀତର ଗର୍ଭଗୃହକୁ ଯିବା ପୂର୍ବରୁ ମୁଖଶାଳାକୁ ସ୍ପଷ୍ଟ କରିଦିଏ । ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ୧୯୬୩ ମସିହା ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରରେ ‘ଦୁର୍ଗା ବନ୍ଦନା’ ସ୍ଥାନିତ ହୋଇ ନ ଥିଲା । ଶ୍ରୀରାମ ବନ୍ଦନା, ଶ୍ରୀଜଗନ୍ନାଥ ଭକ୍ତିଗୀତି, ଲକ୍ଷ୍ମୀ ବନ୍ଦନା, ରାଧାକୃଷ୍ଣ ପ୍ରେମଲୀଲା ଥିଲା କିନ୍ତୁ ଦୁର୍ଗା ଆରାଧନା ସେପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରରେ ନ ଥିଲା । ଯଦିଚ ଆଜିପରି ସେବେ ମଧ୍ୟ ଶାରଦୀୟ ଅବସରରେ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିଲା କିନ୍ତୁ ଶାରଦୀୟ ଗୀତିର ପ୍ରବେଶ ଓଡ଼ିଆ ଚଳଚ୍ଚିତ୍ରରେ ଘଟି ନ ଥିଲା । ୧୯୬୩ ମସିହାରେ ଉକ୍ରଳ ଚିତ୍ର ପ୍ରତିଷ୍ଠାନ ନିବେଦିତ ‘ନାରୀ’ ଚଳଚ୍ଚିତ୍ରରେ ସଂଲଗ୍ନ ‘ଦେବୀ ବନ୍ଦନା’ ଦୁର୍ଗା ଆରାଧନା ନୁହେଁ ବରଂ ଥିଲା ‘ଶ୍ୟାମା ଜଣାଣ’ । ‘ନାରୀ’ ଚଳଚ୍ଚିତ୍ରର ‘ବୋଲାଇ କରୁଣାମୟୀ ଏ’କି କଲୁ ଶ୍ୟାମା’ ଏହାର ଉଦାହରଣ । ଏହାପରେ ୧୯୭୪ ମସିହା ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରକୁ ନା ‘ଶ୍ୟାମା ବନ୍ଦନା’ ଆସିଛି ନା ‘ଦୁର୍ଗା ବନ୍ଦନା’ । ହଁ, ୧୯୫୮ରେ ଆସିଥିବା ‘ଶ୍ରୀଶ୍ରୀ ମହାଲକ୍ଷ୍ମୀ ପୂଜା’ ଚଳଚ୍ଚିତ୍ରରେ ସ୍ୱାଭାବିକ ଭାବରେ ଲକ୍ଷ୍ମୀ ବନ୍ଦନା ରହିଥିଲା ଓ ତାହା ଓଡ଼ିଆ ଛାୟାଛବିର ପ୍ରଥମ ଦେବୀ ବନ୍ଦନା । ଶାରାଦୀୟ ଅଭା ନେଇ, ଦୁର୍ଗା ବନ୍ଦନା ନେଇ ଯେଉଁ ଚଳଚ୍ଚିତ୍ର ପ୍ରଥମ କରି ଓଡ଼ିଆ ପର୍ଦ୍ଦାରେ ଖେଳିଲା, ତାହା ଥିଲା ‘ମନଆକାଶ’ରେ । ଗୀତ ରଚି ଥିଲେ ଶିବବ୍ରତ ଦାସ, ସ୍ୱର ଖଂଜିଥିଲେ ଉପନ୍ଦ୍ର କୁମାର । ଏହି ‘ଦୁର୍ଗା ବନ୍ଦନା’ରେ ଶ୍ରୀଅରବିନ୍ଦଙ୍କ ରଚନାର ପ୍ରଭାବ ଓ ବିସ୍ତାର ସମ୍ବନ୍ଧରେ ଗୀତିକାର ଶିବବ୍ରତ ଦାସ ଯାହା ଏକଦା କହିଥିଲେ ତାହା ଆପଣଙ୍କୁ ଶାରଦୀୟ ଭାବ ସହ ଯୋଡ଼ିବ ନିଶ୍ଚୟ ।

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ଶିବବ୍ରତ ଦାସ ଯାହା କହିଥିଲେ

କୌଣସି ଚଳଚ୍ଚିତ୍ରର ଗୀତ ରେକର୍ଡିଂ ସହ ସିଧାସଳଖ ସଂପୃକ୍ତ ହେବାରେ ତାହା ଥିଲା ମୋର ପ୍ରଥମ ଅନୁଭୂତି । ଆମେ ମାଡ୍ରାସ ଯାଇଥିଲୁ । ମୁଁ, ଧୀର ଭାଇ ମାନେ ବ୍ୟବସ୍ଥାପକ ଧୀର ବିଶ୍ୱାଳ, ପ୍ରଯୋଜକ ରାହାସ ବିହାରୀ ମିଶ୍ର, ଗାୟକ ଚି ଜେନା, ସିକନ୍ଦର ଆଲାମ ଓ ଭିକାରୀ ବଳ । ବୋଧହୁଏ ସମ୍ବଲପୁରର ପୂଣ୍ୟପ୍ରଭା ବହିଦାର, ମୋହିନୀ ମୋହନ ରଥ ବି ଯାଇଥିଲେ । ଅଭିନେତା ଗୋବିନ୍ଦ ତେଜ୍ ମଧ୍ୟ ଆମ ସହ ଥିଲେ । ‘ମନ ଆକାଶ’ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡିଂ ହେବ ଜେମିନୀ ଷ୍ଟୁଡିଓରେ । ସଂଗୀତକାର ଉପେନ୍ଦ୍ର କୁମାର ତ ମାଡ୍ରାସରେ ରହୁଥାନ୍ତି । ଯେହେତୁ ‘ମନ ଆକାଶ’ର ଅଧିକାଂଶ ଗୀତ ମୁଁ ଲେଖୁଥିଲି ମୋତେ ସେମାନେ ସାଙ୍ଗରେ ନେଇଥିଲେ । କାଳେ କିଛି ପରିବର୍ତନ ଦରକାର ପଡ଼ିପାରେ ଗୀତରେ । ଗୀତ ରେକର୍ଡିଂ ହୋଇଗଲା । ପ୍ରାୟ ତିନି ଦିନରେ । ରେକର୍ଡିଂ ପୂର୍ବରୁ ମୋର ଲେଖା ସଂଶୋଧନ କାମ ସରିଗଲା । ଅଭିନେତା ଗୋବିନ୍ଦ ତେଜ୍ ମୋତେ କହିଲେ ‘ଚାଲ! ଏଠୁ ପଣ୍ଡିଚେରୀ ଯିବା, ଆସିଲେ ଫାଇନାଲ ମିକ୍ସିଂ କରି ଓଡ଼ିଶା ଫେରିବା, ଆମର ତ ରେକର୍ଡିଂରେ କିଛି କାମନାହିଁ, ଚାଲ’ । ମୋର କିନ୍ତୁ ରେକର୍ଡିଂ ବେଳେ ରହିବାକୁ ଇଚ୍ଛାଥାଏ । କିନ୍ତୁ ସେ ବାଧ୍ୟ କଲେ, ଗଲି । ମୁଁ ଏମିତିରେ ବି ଶ୍ରୀମା-ଶ୍ରୀଅରବିନ୍ଦଙ୍କ ଅନୁରାଗୀ । ଆଶ୍ରମ ପରିବେଶ ସଂପୂର୍ଣ ସ୍ୱଚ୍ଛ, ଆଧ୍ୟାତ୍ମିକ । ଆଶ୍ରମରେ ମୁଁ ଶ୍ରୀଅରବିନ୍ଦ କୃତ ‘ଦୁର୍ଗା ସ୍ତୋତ୍ର’ ଶୁଣିଲା ପରେ ଭାବବିହ୍ୱଳ ହୋଇଗଲି ।

କି ଆବେଗ, କି ମୂର୍ଚ୍ଛନା! ସେହି ଆଶ୍ରମରେ ଗୋବିନ୍ଦ ତେଜ୍ ମୋ ପାଖରେ ଏକରକମ ଅଳି କଲେ ‘ଏ ସ୍ତୋତ୍ରର ଛାୟା ‘ମନ ଆକାଶ’ରେ ରହନ୍ତା ନାହିଁ’ । ‘କିନ୍ତୁ ସବୁ ଗୀତ ତ ସରିଛି’ ମୁଁ କହିଲି । ‘ମୁଁ ପ୍ରଯୋଜକଙ୍କ ସହିତ କଥା ହେବି, ଉପେନ୍ଦ୍ର ସ୍ୱର ଏକରକମ କରିସାରିଛନ୍ତି’ ସେ କହିଲେ ‘କେବଳ ଲେଖିବା ବାକି’ । ଆମେ ମାଡ୍ରାସ ଫେରିଲୁ । ଉପେନ୍ଦ୍ର ‘ଦୁର୍ଗା ସ୍ତୋତ୍ର’ ଛାୟାରେ ସ୍ୱର କରିସାରିଛନ୍ତି ସେତେବେଳକୁ । ମୋତେ କିଛି ନ ଜଣାଇ ଏସବୁ ହୋଇଛି । ବୋଧେ\nସବୁ ବିଧି ନିର୍ଦ୍ଦିଷ୍ଟ ହିଁ ଥିଲା । ଶ୍ରୀଅରବିନ୍ଦ ମୂଳତଃ ବଙ୍ଗଳା ଭଷାରେ ‘ଦୁର୍ଗା ସ୍ତୋତ୍ର’ ଲେଖିଥିଲେ ୧୯୦୯ ମସିହାରେ, ତାହାର ସଂସ୍କୃତ ଅନୁବାଦ କରିଥିଲେ\nଚିନ୍ମୟୀ ମାହେଶ୍ୱରୀ । ମୁଁ ପୂର୍ବରୁ ଅନେକ ଥରେ ବଙ୍ଗଳା ‘ଦୁର୍ଗା ସ୍ତୋତ୍ର’ ପଢ଼ିଛି, ଶୁଣିଛି । କିନ୍ତୁ ସେଦିନ ଆଶ୍ରମରେ ଏହାର ଆବୃ ି ଓ ଗାୟନ ମୋତେ ମନ୍ତ୍ରମୁଗ୍ଧ କରିଥିଲା । ସଂଗୀତକାର ଉପେନ୍ଦ୍ର କୁମାର ‘ମନ ଆକାଶ’ରେ ‘ଦୁର୍ଗା ସ୍ତୋତ୍ର’ ରଖିବା ପାଇଁ ପାଖାପାଖି ସେମିତି ସ୍ୱର କରିଥିଲେ । ମୁଁ ‘ଦୁର୍ଗା ସ୍ତୋତ୍ର’ର ଓଡ଼ିଆ ଭାଷାନ୍ତର କଲି କେବଳ । ସ୍ଥଳ ବିଶେଷରେ ସ୍ୱର ଓ ଯତିପାତକୁ ଦୃଷ୍ଟି ଦେଲି । ସ୍ୱର ଉପରେ ଗୀତ ଲେଖିବା ମୋର ସେଇ ପ୍ରଥମ । ମୁଁ ଲେଖିଲି ଆଉ କ’ଣ? ସଂକ୍ଷିପ୍ତୀକରଣ କଲି ଓଡ଼ିଆରେ ।

‘ଦୁର୍ଗା ସ୍ତୋତ୍ର’ରେ ପ୍ରଥମେ ଥିଲା : ମାତଃ ଦୁର୍ଗେ! ସିଂହବାହିନୀ ସର୍ବଶକ୍ତିପ୍ରଦାୟିନୀ ମାତଃ ଶିବପ୍ରିୟେ । ମୁଁ ତାହାର ଓଡ଼ିଆ କଲି ‘ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’ । ଯଦି ଆପଣ ଉଭୟ ବଙ୍ଗଳା ‘ଦୁର୍ଗା ସ୍ତୋତ୍ର’ ଓ ‘ମନଆକାଶ’ ଚଳଚ୍ଚିତ୍ରର ‘ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’କୁ ଆଗପଛ କରି ଶୁଣିବେ, ଜାଣିବେ ମୁଁ କେତେ ପ୍ରଭାବିତ । ଭାବରେ ଓ ଭଷାରେ ମଧ୍ୟ । ତେବେ ଓଡ଼ିଆ ଶବ୍ଦ ବ୍ୟବହାର ବେଳେ ମୁଁ ଅଧିକ ମାର୍ଜିତ ହୋଇଛି, ମୁଁ ଅଭ୍ୟସ୍ତ ଥିବା ଶବ୍ଦକୁ ବ୍ୟବହାର କରିନାହିଁ ପ୍ରାୟ । ଦୀର୍ଘ ‘ଦୁର୍ଗା ସ୍ତୋତ୍ର’କୁ ଚାରିଟି ସ୍ତବକରେ ଛନ୍ଦିବା ମୋ ପାଇଁ କେମିତି ସହଜ ହୋଇଗଲା ମୁଁ ଜାଣେନାହିଁ । ଦୀର୍ଘ ଗଦ୍ୟର ସଂକ୍ଷିପ୍ତ ପଦ୍ୟାନ୍ତର ଓ ଯତିପାତ, ଉପଧା ମିଳନ, ପ୍ରାନ୍ତଃ ମିଳନ ଆଦି ବ୍ୟାକରଣ ବିଧି କେମିତି ସହଜ ହୋଇଗଲା ତାହା ବି ମୁଁ ଜାଣେ ନାହିଁ । ଗୋଟିଏ ରାତିରେ ଗୀତ ଲେଖାହେଲା । ତା’ ପରଦିନ ସମୁହ ସ୍ୱରରେ ରେକର୍ଡିଂ ହେଲା । ମୁଁ ଏତକ ବି ଜାଣି ନ ଥିଲି ଯେ ଏହା ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ‘ଦୁର୍ଗା ବନ୍ଦନା’ ହେବ । ପରେ ଜାଣି ଆଶ୍ଚର୍ଯ୍ୟ ହେଲି ।

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’ ମନ ଆକାଶ, ୧୯୭୪

ପ୍ରଯୋଜନା: ଆଇଡିଆଲ ପ୍ରଡକ୍ସନ୍

ସଂଗୀତ: ଉପେନ୍ଦ୍ର କୁମାର

ସିଂହବାହିନୀ ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’ ଆସ ଅବତରି ଏ ଧରା ଧାମକୁ

ମାଆଗୋ ଶୁଣ ମାଗୁଣି

ଯୁଗେ ଯୁଗେ ମା’ଗୋ ତୁମ କରୁଣାରୁ

ମାନବର ଦେହ ଧରି ତୁମ ଆନନ୍ଦ ଧାମେ ଫେରି

ଯାଉ ତୁମ କାମ ଆମେ କରି ଆସ ମା’ ଦୁର୍ଗା ବିକଶିତ ହୁଅ

ଆସ ମା’ ଦୁର୍ଗା ବିକଶିତ ହୁଅ

ନବୀନ ଅରୁଣ ପରି

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା’ ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା’

ସାହା ହୁଅ ତମେ ଆସି

ମଙ୍ଗଳମୟୀ ସେ ରୂପକୁ ଚାହିଁ ରହିଛୁ

ଭାରତ ବାସୀ ଦିଅ ମା’ ଭକ୍ତି ଦିଅ ମା’ ଶକ୍ତି ମାଗୁଅଛୁ କରଯୋଡ଼ି

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ତମସା ତିମିର ପୂରି ରହିଥିଲା

ମୋର ଏ ଭାରତ ଦେଶେ ଅନ୍ଧାର ନାଶି ଉଦୟ ହେଲ ଗୋ\

ଗଗନ ପ୍ରାନ୍ତେ ଶେଷେ

ତୁମରି ଆଭାର ଉଷାର ଆଲୋକେ

ଦଶଦିଗ ଉଠୁ ହସି

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ଗୀତ: ଶିବବ୍ରତ ଦାସ

ଗାୟନ: ମହମ୍ମଦ ସକିନ୍ଦର ଆଲାମ, ଏସ୍. ଜାନକୀ, ଭିକାରୀ ବଳ ଓ ସାଥୀ

LEAVE A REPLY

Please enter your comment!
Please enter your name here