Latest Odisha News

BREAKING NEWS

ବ୍ରହ୍ମପୁରରେ ଲିଙ୍ଗ ନିରୂପଣ ରାକେଟ; ଅଲଟ୍ରାସାଉଣ୍ଡ ମାଲିକ ସମେତ ୧୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ସହରରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ ରାକେଟ୍‌କୁ ଧରିଛି । ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ଆଙ୍କୁଲି ଆନନ୍ଦ ନଗର ସ୍ଥିତ ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକ ଦୁର୍ଗା ପ୍ରସାଦ ନାୟକ(୪୧), ନିଗମ ନଗରର ଅକ୍ଷୟ ଦଳେଇ(୨୪), କୁକୁଡ଼ାଖଣ୍ଡି କରଣ ସାହିର ହରି ମୋହନ ଦଳେଇ(୪୨), ଖଲିକୋଟର ଆଶା କର୍ମୀ ରିନା ପ୍ରଧାନ(୪୨), ଭାବାନଗର ଶ୍ରୀ ଦୁର୍ଗା ପାଥୋଲୋଜିର କର୍ମଚାରୀ ରବିନ୍ଦ୍ରନାଥ ଶତପଥୀ(୩୯), ଭାବାନଗର ଛକ ନିର୍ଣ୍ଣୟ ଡାଏଗ୍ନୋଷ୍ଟିକ ଆଣ୍ଡ ରିସର୍ଚ କେନ୍ଦ୍ରର କର୍ମଚାରୀ କାଳି ଚରଣ ବିଷୋୟୀ(୩୮), କୋର୍ଟପେଟା ଛକ ଶ୍ରୀ କୃପା ସେବା ସଦନ ନର୍ସିଂ ହୋମର କର୍ମଚାରୀ ସୁଶାନ୍ତ କୁମାର ନନ୍ଦ(୪୦), ଜଗନ୍ନାଥ କ୍ଲିନିକର କର୍ମଚାରୀ ପଦ୍ମଚରଣ ଭୂୟାଁ(୬୦), ନୂଆ ବସ ଷ୍ଟାଣ୍ଡ ଯଶୋଦା ନର୍ସିଂ ହୋମର ମାଲିକ ଶିବରାମ ପ୍ରଧାନ(୩୭), ନୂଆ ବସଷ୍ଟାଣ୍ଡ ମୃତ୍ୟୁଞ୍ଜୟ ହସ୍ପିଟାଲର କର୍ମଚାରୀ ସୁମନ୍ତ କୁମାର ପ୍ରଧାନ(୩୦), ମହୁଡ଼ା ଫାର୍ମାସି କଲେଜର କର୍ମଚାରୀ ଧବଳେଶ୍ବର ନାୟକ(୫୧), ନୂଆ ବସଷ୍ଟାଣ୍ଡ ସ୍ମାର୍ଟ ହସ୍ପିଟାଲର ନିର୍ଦେଶିକା ଏମ୍‌. ସୁଜାତା(୪୯) ଏବଂ ହିଂଜିଳି ଥାନା ରାଳବର ଯୋଗାଣ ସହାୟକ ସୁବାସ ଚନ୍ଦ୍ର ରାଉତ(୪୮)।

ଦୁଇଟି ଅଲଟ୍ରାସାଉଣ୍ଡ ମଶିନ, ଜେଲ୍‌ ସହ ଅନ୍ୟାନ୍ୟ ସାମଗ୍ରୀ, ନଗଦ ୧୮ ହଜାର ୨ଶହ ଟଙ୍କା ଏବଂ ମୋବାଇଲ ଫୋନ୍‌ ଜବତ କରିଛି ।

ଶୁକ୍ରବାର ବ୍ରହ୍ମପୁର ପୁଲିସ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ କହିଥିଲେ ଅଭିଯୁକ୍ତମାନେ ବିଭିନ୍ନ କ୍ଲିନିକ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରରେ କାମ କରନ୍ତି । ଏଥିରେ ଦୁଇଜଣ ମାଲିକ ମଧ୍ୟ ଅଛନ୍ତି। ଆଙ୍କୁଲି ଆନନ୍ଦ ନଗରର ଗୋଟିଏ ଘରେ ବେଆଇନ ଭାବେ ଲିଙ୍ଗ ନିରୂପଣ ପାଇଁ କେତେକ ଗର୍ଭବତୀ ଥିବା ସୂଚନା ମିଳିଥିଲା।

ବୈଦ୍ୟନାଥପୁର ଥାନା ପୁଲିସ ଅତର୍କିତ ଚଢ଼ଉ କରିବା ବେଳେ ସେଠାରେ ୧୧ଜଣ ଗର୍ଭବତୀ ଥିଲେ । ସେମାନେ ଲିଙ୍ଗ ନିରୂପଣ କରାଇବାକୁ ଅପେକ୍ଷା କରିଥିଲେ । କେନ୍ଦ୍ରକୁ ଚଲାଉଥିଲେ ମୁଖ୍ୟ ଅଭିଯୁକ୍ତ ଦୁର୍ଗା ପ୍ରସାଦ ନାୟକ । ତାଙ୍କୁ ଅଧିକ ପଚରାଉଚରା କରାଯିବା ବେଳେ ପୁରା ରାକେଟ ଉପରୁ ପରଦା ହଟିଥିଲା । ଦୁର୍ଗା ଘରେ ଗୋଟିଏ ଦୁଇଟି ଅଲଟ୍ରାସାଉଣ୍ଡ ମଶିନ ରଖିଥିଲେ । ସେଠାରେ ଲିଙ୍ଗ ନିରୂପଣ ହେଉଥିଲା । କୌଣସି ଅନୁମତି ନେଇନଥିଲେ କିମ୍ବା କୌଣସି ପ୍ରମାଣପତ୍ର ମଧ୍ୟ ନ ଥିଲା । ଜିଲା ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିବା ପରେ ସେମାନେ ତଦନ୍ତ କରିଥିଲେ ।

ଗ୍ରାମାଞ୍ଚଳରୁ ମହିଳାମାନେ ବ୍ରହ୍ମପୁର ସହରର ବିଭିନ୍ନ ନର୍ସିଂହୋମକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥାନ୍ତି । ଆଉ ସେଠାରେ ଏହି ଅଭିଯୁକ୍ତମାନେ କାମ କରୁଥିଲେ । ଗର୍ଭବତୀଙ୍କୁ ପ୍ରଲୋଭିତ କରି ଦୁର୍ଗାଙ୍କ ପାଖକୁ ଲିଙ୍ଗ ନିରୂପଣ ପାଇଁ ଆଣୁଥିଲେ । ଆଶା ରିନା ପ୍ରଧାନ ମଧ୍ୟ ବିଗତ ଦିନରେ ଏଥିରେ ସାହାଯ୍ୟ କରିଛନ୍ତି । ଅଟୋରେ ଲୁଚାଛପରେ ଗର୍ଭବତୀଙ୍କୁ ଅଣାହେଉଥିଲା । ଅଧିକ ତଦନ୍ତ ବେଳେ ଅଭିଯୁକ୍ତ ଦୁର୍ଗା ପ୍ରସାଦ ଏହି ଅଲଟ୍ରାସାଉଣ୍ଡ କେନ୍ଦ୍ର ଦୁଇରୁ ତିନି ବର୍ଷ ହେଲା ଚଳାଉଥିଲେ ବୋଲି ଜଣାପଡ଼ିଥିଲା । ତାଙ୍କୁ ଅଧିକ ସାହାଯ୍ୟ କରୁଥିଲେ ଅକ୍ଷୟ ଏବଂ ହରମୋହନ।

ଗର୍ଭବତୀଙ୍କୁ ନେବା ଆଣିବା କରିବାରେ ସେମାନେ ହିଁ ପ୍ରମୁଖ ଭୂମିକା ନେଉଥିଲେ । ଲିଙ୍ଗ ନିରୂପଣ ପିଚ୍ଛା ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା । ମଧ୍ୟସ୍ଥି ବା ଦଲାଲ୍‌ମାନଙ୍କୁ ଦୁର୍ଗା କମିଶନ୍‌ ଦେଉଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ୧୬୪/୨୨ରେ ଆଇପିର ଦଫା ୪୧୯, ୪୨୦, ୩୧୩, ୩୪ ଏବଂ ୧୨୦(ବି) ସହିତ ପ୍ରାକ୍‌ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ(ପିସି ଆଣ୍ଡ ପିଏନ୍‌ଡିଟି) ଆଇନ୍‌-୧୯୯୪ର ଧାରା ୨୩ ଏବଂ ୨୫ରେ ଏକ ମାମଲା ରୁଜୁ କରାଯାଇଛି ।

ତେବେ ଚଢ଼ଉ ବେଳେ ଯେଉଁ ୧୧ଜଣ ଗର୍ଭବତୀ ଉଦ୍ଧାର ହୋଇଛନ୍ତି, ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ସେମାନଙ୍କ ସ୍ବାମୀମାନଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହେବ ବୋଲି ଏସ୍‌ପି ସର୍ବଣା ବିବେକ କହିଛନ୍ତି । ଅତିରିକ୍ତ ଏସ୍‌ପି ରମେଶ ସେଠୀ, ବ୍ରହ୍ମପୁର ଉପଖଣ୍ଡ ପୁଲିସ ଅଧିକାରୀ ବିଷ୍ଣୁ ପ୍ରସାଦ ପତି ଏବଂ ବୈଦ୍ୟନାଥପୁର ଥାନା ଅଧିକାରୀ ରାମ ପ୍ରସାଦ ମୂର୍ମୂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.