Latest Odisha News

ଭାରତର ପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ଭାବେ ନିଯୁକ୍ତ ହେଲେ ଜେନେରାଲ୍ ବିପିନ୍ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ଭାରତର ସର୍ବପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ବା ପ୍ରତିରକ୍ଷା ବିଭାଗର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ସେ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ଚାକିରୀରୁ ଅବସର ଗ୍ରହଣ କରୁଛନ୍ତି ।

‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ନିଯୁକ୍ତ ହୋଇଥିବା ଜେନେରାଲ୍ ଶ୍ରୀ ରାୱତ ଏବେ ୪ଟି ଷ୍ଟାର୍ ବହନ କରିବେ । ସେ ପ୍ରତିରକ୍ଷା ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କର ଦାୟିତ୍ୱ ତୁଲାଇବା ସହିତ ନୂତନ ବିଭାଗ ମିଲିଟାରୀ ବ୍ୟାପାର ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବେ । ଏପରିକି ସେ ଭାରତୀୟ ନୌବାହିନୀ, ବାୟୁସେନା ଏବଂ ସେନାବାହିନୀ ପରି ତିନୋଟି ପ୍ରତିରକ୍ଷା ବିଭାଗର ତାଲିମ, ନିଯୁକ୍ତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର କାର୍ଯ୍ୟ ତଦାରଖ କରିବେ ।

ଚଳିତମାସ ୨୪ ତାରିଖରେ କେନ୍ଦ୍ର କ୍ୟାବିନେଟ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଅନୁମୋଦନ କରି ମଞ୍ଜୁର କରିଥିଲେ ।

ଏହି ପଦବୀ ଲାଗି ଅବସର ଗ୍ରହଣ ବୟସ ସୀମା ରହିଛି ୬୫ ବର୍ଷ । ଏହି ନିୟମ ଡିସେମ୍ବର ୨୯ ତାରିଖରୁ ଲାଗୁ ହୋଇଥିବା ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.