Latest Odisha News

BREAKING NEWS

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି ସିନ୍ଧୁଙ୍କ ବର୍ଷ ନଥିଲା ୨୦୧୯ । ତାଙ୍କ ସହିତ ଭାରତୀୟ ରେସଲର, ବକ୍ସର, ହକି, ସୁଟିଂ ଏବଂ ଟେବୁଲ୍‍ ଟେନିସ୍‍ ଆଦି ସହ ଆଥଲେଟିକ୍ସରେ ମଧ୍ୟ ବିଶେଷ ସଫଳତା ଦେଖିବାକୁ ମିଳିଛି ୨୦୧୯ରେ ।

ଅଗଷ୍ଟ ମାସରେ ସ୍ୱିଜରଲାଣ୍ଡର ବାସେଲ ଠାରେ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ମହିଳା ବର୍ଗର ଚମ୍ପିଆନ୍‍ ହୋଇ ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଟାଇଟେଲ ହାସଲ କରିବାର ଅପୂର୍ବ କୀର୍ତ୍ତିମାନ ସିନ୍ଧୁ ହାସଲ କରିଥିଲେ । ଫାଇନାଲ ମ୍ୟାଚ୍‍ରେ ଯେପରି ମାତ୍ର ୩୭ ମିନିଟ୍‍ର ସମୟ ନେଇ ନୋଜମି ଅକୁହାରଙ୍କୁ ଅପମାନଜନକ ଢଙ୍ଗରେ ପରାଜିତ କରିଥିଲେ ତାହା ଅନେକ ବର୍ଷ ପର୍ଯ୍ୟନ୍ତ ମନେ ରହିବ । ସିନ୍ଧୁଙ୍କର ସେହି ବିଶ୍ୱ ଚମ୍ପିଆନ୍‍ ବ୍ୟତିତ ଅନ୍ୟ ବଡ଼ ପ୍ରତିଯୋଗିତା ଗୁଡିକରେ ଭାରତୀୟଙ୍କ ପ୍ରଦର୍ଶନ ବିଶେଷ ଖାସ୍‍ ନଥିଲା । ପୁରୁଷ ବର୍ଗରେ ବିଶ୍ୱ ଚମ୍ପିଆନ୍‍ସିପ୍‍ରେ ସାଇପ୍ରଣୀତ ୩୬ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଜିଣିଥିଲେ ମେଡାଲ । ଲକ୍ଷ୍ୟ ସେନ୍‍, ସୌରଭ ବର୍ମା ଏବଂ ସାଇନା ନେହେୱାଲ କେତୋଟି ଜାଗାରେ ଭଲ ପ୍ରଦର୍ଶନ କରିଥିଲେ ।

ବିଶ୍ୱ ରେସଲିଂ ପ୍ରତିଯୋଗିତା ଯାହା କାଜାକସ୍ଥାନର ନୁର୍‍ ସୁଲତାନ ଠାରେ ହୋଇଥିଲା ସେଠାରେ ଭାରତୀୟଙ୍କ ପ୍ରଦର୍ଶନ ଅପୂର୍ବ ଥିଲା । ୪ ଅଲିମ୍ପିକ୍‍ କୋଟା ସାଙ୍ଗକୁ ୫ ମେଡାଲ ହାସଲ କରିଥିଲେ ଭାରତୀୟ ଖେଳାଳି । ଦୀପକ ପୁନିଆ, ବଜରଙ୍ଗ ପୁନିଆ ବଢିଆ ପ୍ରଦର୍ଶନ କରିଥିଲେ । ଦିନେଶ ପୋଗତ ପଦକ ସାଙ୍ଗକୁ ଟୋକିଓ ଅଲିମ୍ପିକ୍‍ ଟିକେଟ ପାଇବା ତଥା ରବି ମଧ୍ୟ ବ୍ରୋଞ୍ଜ ସାଙ୍ଗକୁ ଅଲିମ୍ପିକ ଯିବାର ପାସ୍‍ ହାସଲ କରିବା ବଡ଼ କଥା ଥିଲା

ରେସଲରଙ୍କ ଭଳି ବକ୍ସର ମାନେ ମଧ୍ୟ ବିଶ୍ୱ ପ୍ରତିଯୋଗିତାରେ ସମପରିମାଣରେ ଭଲ କରିଥିଲେ ୨୦୧୯ରେ । ରୁଷିଆର ୟକତିନ୍‍ବର୍ଗ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତର ଅମିତ ପଙ୍ଘାଲ ପ୍ରଥମ ଖେଳାଳି ଭାବରେ ଦେଶ ପାଇଁ ଜିଣିଆଣିଥିଲେ ରୌପ୍ୟ ପଦକ । ଏପ୍ରିଲରେ ଏସିଆନ୍‍ ବକ୍ସିଂରେ ଅମିତ ପାଇଥିଲେ ସ୍ୱର୍ଣ୍ଣ । ମନିଷ କୌଶିକ୍‍ ମଧ୍ୟ ଆଉ ଏକ ମେଡାଲ ବ୍ରୋଞ୍ଜ ଆକାରରେ ଆଣିଥିଲେ ସେଠାରୁ । ସେ ରୁଷିଆ ଉଲାନ ଉଡେ ଠାରେ ମହିଳାବର୍ଗର ବିଶ୍ୱ ଚମ୍ପିଆନ୍‍ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାରତ ୧ ରୌପ୍ୟ ଏବଂ ୩ ବ୍ରୋଞ୍ଜ ପଦକ ହାସଲ କରିଥିଲା । ମଞ୍ଜୁ ରାଣୀ ରୌପ୍ୟ ପାଇଥିଲା ବେଳେ ମ୍ୟାରିକମ୍‍, ଲଭଲିନା ଏବଂ ଯମୁନା ଜିଣିଆଣିଥିଲେ ବ୍ରୋଞ୍ଜ ମେଡାଲ ।

ଯଦି ପ୍ରକୃତରେ କୁହାଯିବ କେଉଁ ଗୋଟିଏ ଖେଳରେ ଭାରତୀୟ ତାରକା ପୂରା ବର୍ଷ ଚମକିଛନ୍ତି ତା’ହେଲେ ସେହି ଖେଳଟି ହେବ ସୁଟିଂ । ୨୦୧୯ରେ ବିଶ୍ୱ ସୁଟିଂ ଦୁନିଆରେ ଭାରତୀୟଙ୍କ ଦବଦବା ଜୋରଦାର ଥିଲା । ୨୧ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ ୨୦୧୯ରେ ହାସଲ କରିଛି ଭାରତୀୟ ଖେଳାଳି । ଆମ ତାରକାମାନେ କେତେ ଆଗରେ ଥିଲେ ତାହାର ପ୍ରମାଣ ହେଉଛି ପାୱାରହାଉସ୍‍ ଚୀନ, ୨୦୧୯ରେ ୧୧ଟି ସ୍ୱର୍ଣ୍ଣପଦକ ସୁଟିଂରୁ ପାଇଛି । କେବଳ ମେଡାଲର କଥାରେ ନୁହେଁ ଅଲିମ୍ପିକ୍‍ କୋଟାର କଥାର ମଧ୍ୟ ଭାରତୀୟ ସୁଟର ଅବିଶ୍ୱସନୀୟ କାମ କରିଛନ୍ତି ଏବର୍ଷ । ରେକର୍ଡ ୧୫ଟି କୋଟା ଟିକେଟ୍‍ ଏବେ ଆମ ହାତରେ । ମନୁ ଭାକର, ସୌରଭ ଚୌଧୁରୀଙ୍କ ପରି ଯୁବ ତାରକାଙ୍କ ଛାଇ ଥିଲେ ବର୍ଷସାରା ।

ଟେବୁଲ୍‍ ଟେନିସ୍‍ରେ ଭାରତୀୟ ଖେଳାଳିମାନେ ୨୦୧୯ରେ ସମ୍ମାନ ସହ ବିଶ୍ୱରେ ପାଦ ଥାପିବାର ନିଜ ସଂଗ୍ରାମ ଜାରି ରଖିଥିଲେ । ସାଥିଆନ୍‍ ଖୁବ୍‍ ଚମକିଥିଲେ ଏଥର । ରାଜ୍ୟଗୋଷ୍ଠୀ ଟେବୁଲ୍‍ ଟେନିସ୍‍ ପ୍ରତିଯୋଗିତାରେ ଭାରତୀୟଙ୍କ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର ଏକ ବଡ଼ ଉପଲବ୍ଧି ଥିଲା । ସାଥିଆନ୍‍ ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଟିଟି ର‌୍ୟାଙ୍କିଙ୍ଗର ଟପ୍‍-୨୫ ଭିତରକୁ ପ୍ରବେଶ କରିଥିଲେ ଏଥର ।

ଭାରତୀୟ ଫୁଟବଲ୍‍ ବର୍ଷ ଆରମ୍ଭ କରିଥିଲା ବଡ଼ ଆଶାର ସହ । ଥାଇଲାଣ୍ଡକୁ ୪-୧ର ବିଜୟ ପରେ ଭାରତୀୟ ଫୁଟବଲକୁ ନେଇ ଆରମ୍ଭ ହୋଇଯାଇଥିଲା କାହାଣୀ ଲେଖା । ହେଲେ ବର୍ଷ ସରୁ ସରୁ ଭାରତୀୟ ଦଳର ପ୍ରଦର୍ଶନ ଖସିଆସିଛି ତଳକୁ । ଫିଫା ବିଶ୍ୱକପ୍‍ ସକାଶେ ଯୋଗ୍ୟତା ପର୍ଯ୍ୟାୟର ଲଢେଇରେ ଭାରତ ଫିକା ପଡିସାରିଛି ତଳୁଆ ଦଳ ବାଂଲାଦେଶ ଏବଂ ଆଫଗାନିସ୍ଥାନ ସହ ମ୍ୟାଚ୍‍ ଡ୍ର’ କରି । ଟପ୍‍-୧୦୦ ରୁ ମଧ୍ୟ ଖସିଆସିଛି ପୁରୁଷ ଦଳ । ଅନ୍ୟ ଭାରତୀୟମାନଙ୍କ ଭିତରେ ଟେନିସ୍‍ ତାରକା ସୁମିତ ନାଗଲ ୟୁଏସ୍‍ ଓପନର ପ୍ରାରମ୍ଭିକ ରାଉଣ୍ଡରେ ରୋଜର ଫେଡେରରଙ୍କ ସହ ଯେଉଁ ଲଢେଇ କରିଥିଲେ ତାହାକୁ ଫେଡେରରଙ୍କ ସହ ପୂରା ବିଶ୍ୱ ପ୍ରଶଂସା କରିଥିଲା । ଆଥଲେଟିକ୍ସର କଥା କହିଲେ ଦୂତୀଙ୍କର ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟରର ସ୍ୱର୍ଣ୍ଣପଦକ ଏବଂ ଦୋହା ଠାରେ ୨୦୦ ମିଟରର ବ୍ରୋଞ୍ଜ ସାଙ୍ଗକୁ ୧୦୦ ମିଟରରେ ନୂଆ ଜାତୀୟ ରେକର୍ଡର ସ୍ଥାପନ ବଡ଼କଥା ଥିଲା । ତେବେ ବିଶ୍ୱ ପ୍ରତିଯୋଗିତାରେ ମେଡାଲ ଜିତିବାର ଅଧିକ ସମ୍ଭାବନା ଥିବା ନିରଜ ଚୋପ୍ରା ଏବଂ ହିମା ଦାସ ୨୦୧୯ ସାରା ଆଘାତ ଜନିତ ସମସ୍ୟାର ସାମ୍ନା କରିଚାଲିଥିଲେ ।

ତୀରନ୍ଦାଜ ଦୁନିଆରେ ଭାରତୀୟ ସଂଘକୁ ବ୍ୟାନ୍‍ କରାଯାଇଛି ଏବର୍ଷ । ତେବେ ସେହି ଅଡୁଆ ଏଡାଇ ଭାରତର ପୁରୁଷ ରିକର୍ଭ ଟିମ୍‍ ୧୪ ବର୍ଷ ବ୍ୟବଧାନ ପରେ ବିଶ୍ୱ ତୀରନ୍ଦାଜ ପ୍ରତିଯୋଗିତାର ଫାଇନାଲକୁ ଉର୍ଣ୍ଣିତ ହୋଇଥିଲା । ହଲାଣ୍ଡରେ ଅନୁଷ୍ଠିତ ସେହି ପ୍ରତିଯୋଗିତାରେ ଦଳ ପାଇଥିଲା ରୌପ୍ୟ ପଦକ । ଏହା ସହ ଟୋକିଓ ଅଲିମ୍ପିକ୍‍ ସକାଶେ ପୂର୍ଣ୍ଣ ୩ ସଦସ୍ୟ ବିଶିଷ୍ଟ ରିକର୍ଭ ଦଳକୁ ମିଳିଯାଇଛି ଅଲିମ୍ପିକ୍‍ କୋଟା ।

ପଡ଼ିଆରେ ରାଜା ବିରାଟ; ବୋର୍ଡର ଦାୟିତ୍ୱ ନେଲେ ମହାରାଜ୍‍

ଟେଷ୍ଟର ୧ନମ୍ବର ବ୍ୟାଟସମ୍ୟାନ୍‍ ଭାବେ ବର୍ଷ ଶେଷ କରିଥିବା ବିରାଟ କୋହଲି ପୂରା ବର୍ଷ ଚମକିଛନ୍ତିି ପଡ଼ିଆରେ । ଏଥି ସହ ମହାରାଜ୍‍ ଭାବେ ସ୍ନେହରେ ଡକାଯାଉଥିବା ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ବୋର୍ଡର ମୁଖିଆ ବନିବା ୨୦୧୯ର ଆଉ ଏକ ଚର୍ଚ୍ଚିତ ଘଟଣା ଥିଲା । ତା ସାଙ୍ଗକୁ ଶେଷରେ ଗୋଲାପୀ ବଲ ଟେଷ୍ଟ ମ୍ୟାଚ୍‍ ପାଇଁ ଭାରତ ରାଜି ହେବା ଓ ବାଂଲାଦେଶ ବିପକ୍ଷରେ ଖେଳିବା ମଧ୍ୟ ଥିଲା ଚର୍ଚ୍ଚିତ ଘଟଣା । ତେବେ ୨୦୧୯ରେ ଏକାଧିକ ସଫଳତା ଭିତରେ କ୍ରିକେଟ ବିଶ୍ୱକପ୍‍ର ସେମି ଫାଇନାଲରୁ ଭାରତର ପରାଜୟ ସବୁଠାରୁ ବଡ଼ ଦୁଃଖଦାୟକ ଘଟଣା ଥିଲା । ପ୍ରାୟ ଅଧାବର୍ଷ ଧୋନୀ ନ ଖେଳିବା ଭାରତୀୟ କ୍ରିକେଟରେ ରହସ୍ୟମୟ ସ୍ଥିତି ସୃଷ୍ଟି କରିଛି । ୭ ଦଶନ୍ଧି ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‍ ଜିତିବା ଭାରତୀୟ କ୍ରିକେଟ ପାଇଁ ୨୦୧୯ରେ ଏକ ଉଲ୍ଲେଖନୀୟ ବିଷୟ ଥିଲା । ଘରୋଇ ପରିବେଶରେ ଲଗାତାର ସିରିଜ୍‍ ବିଜୟ ବିରାଟ କୋହଲିଙ୍କ ଦଳ ପାଇଁ ଆଉ ଏକ ବଡ଼ ସଫଳତା ଥିଲା । ରୋହିତ ଶର୍ମା ଏବଂ ଅନ୍ୟ କିଛି ଖେଳାଳି ଚମକିବା ମଧ୍ୟ କ୍ରିକେଟ ପ୍ରଶଂସକଙ୍କ ଲାଗି ଆନନ୍ଦ ଦାୟକ ହୋଇପାରିଥିଲା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅନିଶ୍ଚିତତାର ବାତାବରଣ ଭିତରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଦାୟିତ୍ୱ ନେବା ଆଶାର ପରିବେଶ ବନାଇଛି । ତାଙ୍କ ପ୍ରଥମ ବଡ଼ କାମ ଭିତରେ ବିରାଟଙ୍କୁ ରାଜି କରାଇ ଅଳ୍ପ କିଛି ଦିନ ଭିତରେ ଦିବାରାତ୍ର ଗୋଲାପୀ ବଲ କ୍ରିକେଟ କୋଲକାତାରେ ସଫଳତାର ସହ କରିଦେଇ ବଢ଼ିଆ ଆରମ୍ଭ ମଧ୍ୟ ପାଇ ସାରିଛନ୍ତି ସୌରଭ ।

Leave A Reply

Your email address will not be published.