ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ଆସନ ଓ ୪ ଗୋଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ, ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥି ସହ ଉଭୟ ବିଜେପି ଓ କଂଗ୍ରେସର ସମସ୍ତ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ବ୍ୟକ୍ତିଗତ ଭାବରେ ଆସି ସମସ୍ତ ପ୍ରାର୍ଥୀ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଶେଷ ଦିନରେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀ ମାଝୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ସମନାଥ ପୂଜାରୀ, ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଚାମୁରିଆ ଗୁଡା ଛକ ଠାରୁ ବାହାରି ସହର ପରିକ୍ରମା କରି ମାଝୀ ଗୁଡା ଛକ ରେ ପହଞ୍ଚିଥିଲା । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବିଜେପି କର୍ମୀମାନେ ବହୁ ଉତ୍ସାହର ସହ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।
ସେହିପରି, କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ସ୍ଥାନୀୟ ଚାମୁରିଆଗୁଡା ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ମାଝୀ ଗୁଡା ଛକ ପର୍ଯ୍ୟନ୍ତ ଯାଇଥିଲା । କଂଗ୍ରେସ ଲୋକସଭା ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ଲିପିକା ମାଝୀ, ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଦିଲୀପ ପ୍ରଧାନୀ, ଝରୀଗାଁ ବିଧାନସଭା ପ୍ରାର୍ଥୀ ହାରାବତୀ ଗଣ୍ଡ, ଉମରକୋଟ ବିଧାନସଭା ପ୍ରାର୍ଥୀ ସନରାଜ ଗଣ୍ଡ ପ୍ରମୁଖ ଓ ୫ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀଙ୍କ ସହ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ପୁଣି ଥରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
Comments are closed.