କଟକ: ସାଧାରଣ ନିର୍ବାଚନକୁ ଏବେ ୩ ମାସ ରହିଥିବା ବେଳେ ଏବେଠାରୁ ରାଜ୍ୟରେ ରାଜନୈତିକ ପାଣିପାଗ ଧିରେ ଧିରେ ଦାନା ଧରିବା ଆରମ୍ଭ କଲାଣି। ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ବିଜେଡ଼ି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କରିଦେଲେଣି। ସେପଟେ ଗୋଟିଏ ଗୋଟିଏ ଆସନରେ ଏକାଧିକ ଆଶାୟୀ ତଥା ପ୍ରତିଷ୍ଠିତ ଚେହେରାଙ୍କ ସାମ୍ନାକୁ ଆସୁଥିବାରୁ ଦଳ ଗୁଡ଼ିକ ପାଇଁ ମୁଣ୍ଡ ବିନ୍ଧାଇବା ଆରମ୍ଭ କରିଦେଲାଣି। ସିଏ ବିଜେଡ଼ି ହେଉ କିମ୍ବା ବିଜେପି, ସବୁ ଦଳରେ ପ୍ରାୟତଃ ପ୍ରାର୍ଥୀଙ୍କୁ ନେଇ ସମାନ ଅବସ୍ଥା। ଆମେ ଏଥିପାଇଁ ମୁଣ୍ଡ ବିନ୍ଧାଇବା କଥା କହୁଛୁ, କାରଣ କେବଳ କଟକ ଲୋକସଭା ଆସନ କଥା ଦେଖାଯାଏ ତେବେ କେନ୍ଦ୍ରରେ ଶାସକ ବିଜେପିର ଏକାଧିକ ତୁଙ୍ଗ ନେତା ବା ଦଳଡିଆଁଙ୍କ ତାଲିକା ଢେର ଲମ୍ବା ରହିଛି।
କଟକ ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଖଟିଗପରୁ ଆସୁଥିବା ଅନେକ ପ୍ରାର୍ଥୀଙ୍କ ତାଲିକା ମଧ୍ୟରେ ଆଗରେ ତୁଙ୍ଗ ନେତାଙ୍କ ନାଁ ରହିଛି। ନିକଟରେ ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱରରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। କିନ୍ତୁ କଟକକୁ ନେଇ ସେ ନିରବ ରହିଥିଲେ। ଖାଲି ଏତିକି ନୁହେଁ, ନିକଟରେ ଅନେକ ସମୟରେ କଟକର ବିଭିନ୍ନ ସ୍ଥାନକୁ ଆସି ଲୋକମାନଙ୍କ ସହିତ ସିଧାସଳଖ ମିଶିବାର ପ୍ରୟାସ କରିଥିଲେ ରେଳମନ୍ତ୍ରୀ। ଧବଳେଶ୍ୱର ପୀଠଙ୍କୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଚାହା ଦୋକାନରୁ ଚାହା ପିଇବା ଆଳରେ ଲୋକଙ୍କ ସହିତ ମିଶିଥିଲେ ଶ୍ରୀ ବୈଷ୍ଣବ। ଯାହା ଫଳରେ କଟକ ଆସନରୁ ତାଙ୍କୁ ଦଳ ପ୍ରାର୍ଥି କରିପାରେ ବୋଲି ଚର୍ଚ୍ଚା ଜୋର ଧରୁଛି। ଆଉ ଏହାରି ମଧ୍ୟରେ ପୂର୍ବ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ନାଁ ମଧ୍ୟ ରେସରେ ରହିଛି।
ପୂର୍ବ ନିର୍ବାଚନରେ ପ୍ରକାଶ ମିଶ୍ରଙ୍କ ଲଢୁଆ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୨୦୧୪ ମସିହା ନିର୍ବାଚନ ତୁଳନାରେ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ପ୍ରକାଶ ମିଶ୍ରଙ୍କ ଜରିଆରେ ଅଧିକ ଭୋଟ ହାତେଇଥିଲା ବିଜେପି। ପାଖାପାଖି ୨୩ ପ୍ରତିଶତ ଭୋଟ ଅଧିକ ପାଇଥିଲା ବିଜେପି। ଆଉ ୨୦୧୯ ମସିହାରେ ପ୍ରକାଶ ମିଶ୍ର ନିଜର ଲୋକପ୍ରିୟତାକୁ ମଧ୍ୟ ବଢାଇ ପାରିଥିଲେ। ପ୍ରକାଶ ମିଶ୍ର ଓ ଅଶ୍ୱିନ ବୈଷ୍ଣବଙ୍କୁ ଛାଡ଼ିଲେ ଆଉ ଦୁଇ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଯୋଡ଼ି ହୋଇଛି।
ନିକଟରେ କେତେ ଗୋଟି କାର୍ଯ୍ୟକ୍ରମରେ ବିଜେଡ଼ିର ଭର୍ତ୍ତୃହରି ମହତାବ ବିଜେପିର କିଛି ବରିଷ୍ଠ ନେତାଙ୍କ ସହ ନଜର ଆସିଥିଲେ। ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଭର୍ତ୍ତୃହରିଙ୍କ ସାକ୍ଷାତ ଏହି ଚର୍ଚ୍ଚାରେ ଘିଅ ଢାଳିଛି। ସେହି ଭେଟଘାଟ ସମ୍ପର୍କରେ ରାଜଭାଷା ନୀତି ସମ୍ପର୍କରେ ଭର୍ତ୍ତୃହରି, ଅମିତ ଶାହାଙ୍କୁ ଭେଟିଥିବା ନେଇ ସୂଚନା ମିଳିଥିଲା। ତଥାପି ନିର୍ବାଚନୀ ମାହୋଲ ଜମି ଆସୁଥିବା ବେଳେ ଏହି ସାକ୍ଷାତକାରକୁ ନେଇ ଭିନ୍ନ କିଛି ଚର୍ଚ୍ଚା ହେଉଛି। ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅତିଥି ହେବା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାଇକ ସ୍ମାରକୀସ୍ଥଳକୁ ଭର୍ତୃହରି ଯିବା ମଧ୍ୟ ଏଭଳି ଚର୍ଚ୍ଚା ସୃଷ୍ଟି କରିଥିଲା। ସମାନ୍ତରାଳ ଭାବେ ବିଜେଡ଼ି ଉପରେ ଅସନ୍ତୁଷ୍ଟ ରହିଥିବା ନେଇ ବିଭିନ୍ନ ସମୟରେ ଭର୍ତ୍ତୃହରି ତେରେଛା ବାଣ ମଧ୍ୟ ମାରିଥିବା ଦେଖିବାକୁ ମିଳିଛି। ଆଉ ଏଥିରୁ ଏକ ପ୍ରକାର ସ୍ପଷ୍ଟ ଯେ ସେ ବିଜେପିରେ ଯୋଗ ଦେବା ସହିତ ସାଂସଦ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଜନସେବା ଲକ୍ଷ୍ୟ ନେଇ ରାଜନୀତିରେ ପାଦ ଥାପି ନିଜ ଭାଗ୍ୟ ପରୀକ୍ଷା କରିବାକୁ ବିଜେପିରେ ଯୋଗ ଦେଇଥିଲେ ପ୍ରତିଷ୍ଠିତ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଉପସଭାପତିର ପଦ ଦେଇଥିଲା ବିଜେପି। ଗୁରୁବାର ଦିନ ତାଙ୍କୁ ମହିଳା ମୋର୍ଚ୍ଚାର ପ୍ରଭାରି ଦାୟିତ୍ୱ ମଧ୍ୟ ଦଳ ପ୍ରଦାନ କରିଛି। ହଠାତ୍ ଦଳରେ ପାଦ ଦେଉ ଦେଉ ତାଙ୍କୁ ପଦବୀ ଓ ପ୍ରଭାରୀ ମିଳିବା ପରେ ଚର୍ଚ୍ଚା ହେଉଛି ଯେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବିଜେପି।
Comments are closed.