Latest Odisha News

BREAKING NEWS

ହିନ୍ଦୁ ବିରୋଧୀମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଆଗେଇ ଆସିଲା ଆମେରିକା; ପ୍ରସ୍ତାବ ପାରିତ

ତବଲିସି: ହିନ୍ଦୁ ବିରୋଧୀ ହିଂସାକୁ ରୋକିବାକୁ ଆଗେଇ ଆସିଲା ଆମେରିକା ରାଜ୍ୟ ଜର୍ଜିଆ। ବିଦେଶରେ ବୃଦ୍ଧି ପାଉଥିବା ହିନ୍ଦୁଫୋବିଆକୁ ରୋକିବାକୁ ବିଶ୍ୱର ପ୍ରଥମ ଆମେରିକା ରାଜ୍ୟ ଭାବେ ଜର୍ଜିଆ ବିଧାନସଭାରେ ଏକ ବିଧେୟକ ପାରିତ ହୋଇଛି। ଯେଉଁଥିରେ ହିନ୍ଦୁଫୋବିଆ ବା ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି।

ଜର୍ଜିଆ ବିଧାନସଭାରେ ପାରିତ ହୋଇଥିବା ବିଧେୟକରେ କୁହାଯାଇଛି ଯେ ହିନ୍ଦୁ ଧର୍ମ ବିଶ୍ୱର ସବୁଠାରୁ ବଡ଼ ଓ ସର୍ବପୁରାତନ ଧର୍ମ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ୧୦୦ରୁ ଅଧିକ ଦେଶରେ ଏହି ଧର୍ମକୁ ମାନୁଥିବା ପ୍ରାୟ ୧.୨ ବିଲିୟନ ଲୋକ ରହୁଛନ୍ତି। ଏମାନେ ପରସ୍ପରକୁ ସମ୍ମାନ ଦେବା ସହ ଓ ଶାନ୍ତିରେ ରହିବା ଓ ବିଭିନ୍ନ ପରମ୍ପରା ଓ ବିଶ୍ୱାସକୁ ନେଇ ଏକ ଶୃଙ୍ଖଳିତ ଅବସ୍ଥାରେ ବନ୍ଧା।

ଆମେରିକା ରାଜ୍ୟଗୁଡ଼ିକ ମଧ୍ୟରେ ଜର୍ଜିଆରେ ସବୁଠାରୁ ଅଧିକ ହିନ୍ଦୁ ଓ ଭାରତୀୟ ଆମେରିକୀୟ ରହୁଛନ୍ତି। ସେମାନଙ୍କ ବିରୋଧରେ ହିଂସା ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କୁ ସୁରକ୍ଷା ଦେବାକୁ ଏହି ପ୍ରସ୍ତାବକୁ ଅଟଲାଣ୍ଟାର ଫୋର୍ସିଥ କାଉଣ୍ଟିର ବିଧାୟକ ଲୌରେନ ମ୍ୟାକ୍‌ଡୋନାଲ୍ଡ ଓ ଟୋଡ୍ ଜୋନେସ ବିଧାନସଭାରେ ଆଗତ କରିଥିଲେ।

ଏହି ପ୍ରସ୍ତାବରେ ଆମେରିକାର ହିନ୍ଦୁ ସମ୍ପ୍ରଦାୟର ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା- ଔଷଧ, ବିଜ୍ଞାନ, ଇଞ୍ଜିନୟରିଂ, ସୂଚନା ପ୍ରଯୁକ୍ତି ବିଦ୍ୟା, ଆଥିତେୟତା, ଅର୍ଥ କ୍ଷେତ୍ରରରେ ଓ ଆକାଡେମିଆ, ନିର୍ମାଣ, ଶକ୍ତି, ଖୁଚୁରା ବ୍ୟବସାୟ ଆଦି ଦିଗରେ ଅବଦାନ ରହିଛି ବୋଲି କୁହାଯାଇଛି। ତା ସହିତ ହିନ୍ଦୁ ସମ୍ପ୍ରଦାୟ, ଯୋଗ, ଆୟୁର୍ବେଦ, ଧ୍ୟାନ, ଖାଦ୍ୟ, ସଂଗୀତ, କଳା ଆଦି ଆମେରିକାର ମାଟିପାଣିପବନରେ ମିଶି ଯାଇଛି। ଏଠାକାର ଲୋକେ ଏଗୁଡ଼ିକ ଆପଣାଇ ଖୁସିରେ ରହୁଛନ୍ତି।

ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ ଗତ କିଛି ଦଶନ୍ଧୀ ଧରି ଆମେରିକାର ବିଭିନ୍ନ ସ୍ଥାନରେ ଆମେରିକୀୟ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିଛି। କିଛି ଶିକ୍ଷାବିତଙ୍କ ଦ୍ୱାରା ହିନ୍ଦୁଫୋବିଆକୁ ଅତି ରଞ୍ଜିତ କରି ଦର୍ଶାଯାଇଛି। ଏହାକୁ ପ୍ରୋତ୍ସାହିତ କରାଯାଇଛି। ଯେଉଁମାନେ ହିନ୍ଦୁ ଧର୍ମକୁ ନଷ୍ଟ କରିବାକୁ ଚାହୁଁଛନ୍ତି ବୋଲି ପ୍ରସ୍ତାବରେ କୁହାଯାଇଛି।

ଆମେରିକାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆତ୍ୟାଚାରକୁ ନେଇ ଉତ୍ତର ଆମେରିକା ହିନ୍ଦୁ ସଂଗଠନ (CoHNA) ଅଟଲାଣ୍ଟା ଚେପ୍ଟର ଦ୍ୱାରା ବିରୋଧାଭାସ ଆରମ୍ଭ ହୋଇଥିଲା। ୨୨ ମାର୍ଚ୍ଚରେ ହିନ୍ଦୁ ଆଡ୍‌ଭୋକେସି ଡେର ପାଳନ କରାଯାଇଥିଲା। ଏଥିରେ ପାଖାପାଖି ୨୫ ସାଂସଦ ଭାଗ ନେଇଥିଲେ। ଆମେରିକାର ଉଭୟ ଦଳ ଏହି ସଭାରେ ଯୋଗ ଦେଇଥିଲେ।

Leave A Reply

Your email address will not be published.