ଭୁବନେଶ୍ୱର: ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଲଢୁଆ ପାଣିଜାହାଜ । ଆଉ ତା ପୁଣି ୮୦ ବର୍ଷ ପରେ । ଉଦ୍ଧାର ହୋଇଥିବା ଜାହାଜଟି ଜର୍ମାନୀର ବୋଲି ଜଣାପଡିଛି । ଏକ ସମୁଦ୍ର ଛାନବିନ୍ ଦଳ ଜର୍ମାନୀ ଲଢୁଆ ପାଣି ଜାହାଜର ଭଗ୍ନାବଶେଷକୁ ଠାବ କରିବାରେ ସଫଳ ହୋଇଛନ୍ତି ।
ପୁରୁଣା ଫଟୋ, ସୋନାର୍ ସ୍କାନ୍, ବନ୍ଧୁକ ରଖିବା ସ୍ଥାନ ଓ ଅନେକ ଜର୍ମାନୀ ଚିହ୍ନ ଜରିଆରେ ଏହି ଜାହାଜଟି ପ୍ରଥମେ ୨୦୧୭ରେ ଠାବ ହୋଇଥିଲା । ହେଲେ ସେତେବେଳେ ଏହି ଜାହାଜଟିକୁ ପାଖରୁ ଦେଖିବା କିମ୍ବା ଛାନବିନ୍ କରିବା ସମ୍ଭବପର ନଥିଲା ।
୧୯୨୦ରେ ନିର୍ମିତ ହୋଇଥିବା ଏହି ଜାହାଜରେ ନାଜି ଶାସନ ସମୟର ସ୍ୱସ୍ତିକ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ୧୭୪ ମିଟର ଲମ୍ବା ଏହି ଜାହାଜର ନାଁ ରହିଛି କାର୍ଲସ୍ରୁୟେ । ୧୯୪୦, ଏପ୍ରିଲରେ ନରୱେ ଆକ୍ରମଣରେ ଏହି ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ତେବେ ନରୱେରେ ଆକ୍ରମଣ କରି ଫେରୁଥିବା ସମୟରେ ବ୍ରିଟିଶ ସବ୍ମେରିନ୍ର ଟର୍ପିଡୋ ମାଡରେ ସମୁଦ୍ରରେ ଏହି ଜାହାଜଟି ବୁଡିଯାଇଥିଲା । ୪୯୦ ମିଟର ତଳେ ସମୁଦ୍ର ପାଣିରେ ବୁଡିଥିବା ଏହି ଜାହାଜର କୌଣସି ସଦସ୍ୟ ମୃତାହତ ହୋଇନଥିଲେ ।
ଇତିହାସରେ ଏହି ଜାହାଜକୁ ନେଇ ଅନେକ ଘଟଣା ଲିଖିତ ଭାବେ ରହିଛି । ହେଲେ ଏହା କେଉଁଠି ବୁଡିଥିଲା ତାହା କେହି ଜାଣିନଥିଲେ । ନରୱେଠୁ ଡେନ୍ମାର୍କକୁ ସମୁଦ୍ରତଳ ପାୱାର କେବୁଲ ବିଛାଯାଉଥିବା ସମୟରେ ଜାହାଜଟି ଠାବ ହୋଇଥିଲା ।
Comments are closed.