Latest Odisha News

BREAKING NEWS

ବିବାଦ ପରେ ବଦଳିବ ‘ଘୁସଖୋର୍ ପଣ୍ଡତ’ର ନାଁ

ମୁମ୍ବାଇ: କିଛି ଦିନ ପୂର୍ବରୁ ନେଟଫ୍ଲିକ୍ସର ଆଗାମୀ ଚଳଚ୍ଚିତ୍ର ‘ଘୁସଖୋର୍ ପଣ୍ଡତ’କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଚଳଚ୍ଚିତ୍ରର ଶୀର୍ଷକ ଏବଂ ପ୍ରସ୍ତାବିତ ବିଷୟବସ୍ତୁ ମାନହାନିଜନକ ବୋଲି ଜଣେ ଆବେଦନକାରୀ ଅଭିଯୋଗ କରି ଏହାର ରିଲିଜ ଏବଂ ଷ୍ଟ୍ରିମିଂ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିଲେ।

ଆବେଦନକାରୀ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଚଳଚ୍ଚିତ୍ରର ଶୀର୍ଷକ ହିନ୍ଦୁ ପୁରୋହିତ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିବା ସହ ସମାଜରେ ଏହାର ପ୍ରତିଛବିକୁ ଖରାପ କରୁଛି। ଯାହାକୁ ନେଇ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି ସମାପ୍ତ କରିଛନ୍ତି। ତେବେ ପ୍ରଯୋଜକମାନେ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ ଚଳଚ୍ଚିତ୍ରର ଶୀର୍ଷକ ପରିବର୍ତ୍ତନ କରିବେ ଓ ସାମାଜିକ ଗଣମାଧ୍ୟମରୁ ସମସ୍ତ ପ୍ରଚାରମୂଳକ ସାମଗ୍ରୀ ହଟାଇବେ। ପ୍ରଯୋଜକ ମାନଙ୍କର ଏହି ନିଷ୍ପତ୍ତି ପରେ ଏହି ଆବେଦନ ଉପରେ ଆଉ କୌଣସି ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି।

ଚଳଚ୍ଚିତ୍ରକୁ ନେଇ ବିବାଦ ଆରମ୍ଭ ହେବା ପରେ ଅଭିନେତା ମନୋଜ ବାଜପେୟୀ ମଧ୍ୟ ଏକ ସ୍ପଷ୍ଟୀକରଣ ଜାରି କରିଥିଲେ। ତାଙ୍କ ପୋଷ୍ଟରେ ମନୋଜ ବାଜପେୟୀ ଲୋକଙ୍କ ଭାବନାକୁ ସମ୍ମାନ ଦେବାସହ ଲେଖିଛନ୍ତି, ଲୋକମାନଙ୍କ ଚିନ୍ତାଧାରା ଏବଂ ନିଷ୍ପତ୍ତିକୁ ସେ ସମ୍ମାନ କରନ୍ତି ଓ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଜଣେ ଅଭିନେତା ଭାବରେ ସେ ତାଙ୍କ ଚରିତ୍ର ଏବଂ କାହାଣୀ ମାଧ୍ୟମରେ ଏକ ଫିଲ୍ମ ସହିତ ଜଡିତ। ତେବେ ଏହି ଫିଲ୍ମ କୌଣସି ସମ୍ପ୍ରଦାୟ ବିଷୟରେ କୌଣସି ବିବୃତ୍ତି ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି।

ଏଥିସହିତ ସେ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ସହିତ ତାଙ୍କର ଦୀର୍ଘ ଅଭିଜ୍ଞତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଓ ତାଙ୍କ ସହିତ କାମ କରି ସେ ଅନେକ କିଛି ଶିଖିବା ସହ ନୀରଜ କିପରି ତାଙ୍କ ଫିଲ୍ମଗୁଡ଼ିକୁ ଗମ୍ଭୀରତାର ସହ ନିର୍ମାଣ କରିଥାନ୍ତି ଓ କିପରି ସେ ଏଗୁଡ଼ିକର ଯତ୍ନ ନିଅନ୍ତି ତାହା ମଧ୍ୟ ସେ ଦେଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Comments are closed.