ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଦାବି କରିବା ସହ ଦୁଇ ପୁରୁଖା ନେତାଙ୍କୁ ବେଶ ପ୍ରସଂଶା ମଧ୍ୟ କରିଛନ୍ତି। ବୁଧବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମିଳିବା ଦରକାର। ଅନ୍ୟପକ୍ଷରେ ଏହି ଦାବିକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବେଗୁସରାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନୀତୀଶ କୁମାର ଏବେ ବିଜେପିର ସହଯୋଗୀ ଅଛନ୍ତି, ନବୀନ ପଟ୍ଟନାୟକଙ୍କ ବିଜେଡି ମଧ୍ୟ ଏନଡିଏକୁ ସମର୍ଥନ ଦେଇଥାଏ। ହେଲେ ଗତ ନିର୍ବାଚନରେ ଓଡ଼ିଶାରେ କ୍ଷମତା ହାସଲ କରି ସରକାର ଗଢ଼ିଛି ବିଜେପି।
ସେ ଆହୁରି କହିଛନ୍ତି, ନୀତୀଶ କୁମାରଙ୍କ କାର୍ଯ୍ୟକାଳରେ ବିହାରରେ ରାସ୍ତା, ସ୍କୁଲ ଏବଂ ଅନ୍ୟ ଭିତ୍ତିମୂମି ସୁଦୃଢ଼ ହୋଇପାରିଛି। ନୀତିଶଙ୍କ ପାଇଁ ବିହାର ନୂଆ ପରିଚୟ ପାଇଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାକୁ ଦୀର୍ଘ ଦିନ ଧରି ଶାସନ କରି ଓଡ଼ିଶାର ବହୁ ବିକାଶ କରିଛନ୍ତି। ତେଣୁ ଏହି ଦୁଇ ନେତାଙ୍କୁ ଭାରତ ରତ୍ନ ଭଳି ସର୍ବୋଚ୍ଚ ସମ୍ମାନ ଦିଆଯିବା ଦରକାର ବୋଲି ଶ୍ରୀ ସିଂହ ଦାବି କରିଛନ୍ତି ।
ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ପୁଣି ଥରେ ଏନଡିଏ ସରକାର ଗଠନ ହେବ। କେହି ଦ୍ବନ୍ଦ୍ବରେ ରହିବା ଦରକାର ନାହିଁ । ଲାଲୁ ଯାଦବ ଯେତେ ଚେଷ୍ଟା କଲେ ବି ଆଗାମୀ ବିଧାନସଭା ନିର୍ବାଚନରେ ବିହାରରେ ପୁଣି ଏନଡିଏ ସରକାର ଗଢ଼ିବ। ଦୀର୍ଘ ବର୍ଷ ଧରି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଯେଉଁ ପିଲାମାନେ ଏବେ ୩୦ ବର୍ଷରେ ପହଞ୍ଚିଲେଣି ସେମାନେ ଲାଲୁଙ୍କ ଜଙ୍ଗଲ ରାଜ ଦେଖିନାହାନ୍ତି ବୋଲି ଗିରିରାଜ କହିଛନ୍ତି । ସୂଚନାଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୨୦୨୫ ଶେଷ ଆଡ଼କୁ ହୋଇପାରେ।