Latest Odisha News

ସୁଯୋଗ ଦେଇକି ଦେଖ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବୈଜୟନ୍ତୀ ମହାପାତ୍ର ଯେଉଁଦିନ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲା ଏମ୍.ଏ. ପଢ଼ିବା ପାଇଁ, ସେଦିନ ତା ଗାଁର କେତେ ସ୍ତ୍ରୀ ଲୋକ କେତେ କେତେ କଥା କହିଲେ। କିଏ କହିଲା, ଅନନ୍ତ ମହାପାତ୍ର ତା ଝିଅକୁ ପାଠ ପଢ଼ଉଛି, ସତେ ଯେମିତି ସିଏ କଣ ଗୋଟେ ଚାକିରି କରି ପକେଇବ। ଆଉ କିଏ କହିଲା, ହଁ .. ବୋପାର ପଇସା ଅଛି ବୋଲି ଦେଖେଇ ହବାକୁ ବାହାରକୁ ଯାଉଛି ପଢ଼ିବା ପାଇଁ। ଆଉ କିଏ କହିଲା, ବାହାରକୁ ଗଲେ ଲୋକ ଦେଖିଲେ ଭଲ ବରପିଲାଟେ ମିଳିବ। ଗାଁରେ ରହିଲେ କିଏ ଦେଖିବ ଯେ, କୁଆଡୁ ଭଲ ପ୍ରସ୍ତାବ ଆସିବ? ସେଥିପାଇଁ ଅନନ୍ତ ମହାପାତ୍ର ତା ଝିଅକୁ ଗାଁରୁ ସହରକୁ ପଠଉଛି ପାଠ ପଢ଼ିବାକୁ। ତେବେ ଗାଁର ସାହି ପଡ଼ିଶା ଲୋକେ ଯିଏ ଯେତେ ଯାହା କହିଲେ ବି, ସେ କଥାକୁ ଭ୍ରୁକ୍ଷେପ କରୁନଥିଲା ବୈଜୟନ୍ତୀ। ତା ମନରେ ଚାଲିଥିଲା ଆଉ ଗୋଟିଏ ସଂଘର୍ଷ। ଭାଇ ଚାକିରି କରୁଥିଲା ସୈନ୍ୟବାହିନୀରେ। ସେ ତା ଭାଇକୁ ଦେଖିଛି, ତାର ସଫଳତା ଦେଖିଛି। ତେଣୁ ସେ ନିଜ ଭାଇ ଭଳି ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲା। ସେ ଚାହୁଁଥିଲା, ତାର ବାହାଘର ବି ସେନାରେ କାମ କରୁଥିବା କୌଣସି ଯବାନ ସହିତ ହେଉ। ତେବେ ସେଥିପାଇଁ ତାକୁ ନିଜକୁ ଯୋଗ୍ୟ କରିବାକୁ ହେବ। ଆଉ ସେହି କାରଣ ଲାଗି ଆଜି ସେ ବିଶ୍ୱବିଦ୍ୟାଳୟରେ ଏମ୍.ଏ. ପଢ଼ିବା ପାଇଁ ଆସିଛି। ଗାଁ ପାଖର ଗୋଟିଏ ପୁଅ, ଯିଏକି ବାୟୁସେନାରେ ଗତ କିଛି ବର୍ଷ ହେଲା କାମ କରୁଛି, ତା ମାଆର ନଜର ଅଛି ବୈଜୟନ୍ତୀ ଉପରେ। ସେ ଚାହୁଁଛି ବୈଜୟନ୍ତୀକୁ ବୋହୂ କରିବା ପାଇଁ। କିନ୍ତୁ ସେ ପୁଅର ଇଚ୍ଛା ଅଛି କି ନାହିଁ, ସେ କଥା ଜାଣିନି ବୈଜୟନ୍ତୀ। ବିଭିନ୍ନ ସୂତ୍ରରୁ ସେ ଜାଣିବାକୁ ଚେଷ୍ଟା କରିଛି ସେ ପୁଅର ମନ କଥାକୁ। କିନ୍ତୁ କେବେ ବି ତାକୁ ସେ କଥା ଜାଣିବାର ସୁଯୋଗ ମିଳିନାହିଁ।

ତାର ମନେ ଅଛି, ବର୍ଷେ ତଳେ ଯେତେବେଳେ ଗାଁ ଯାତ୍ରା ସମୟରେ ସେ ପୁଅ ବୈଜୟନ୍ତୀର ଗାଁକୁ ଆସିଥିଲା, କେମିତି ତା ସାମ୍ନାଘର ବାରଣ୍ଡାରେ ବସି ତା ଆଡ଼କୁ ଲୁଚି ଲୁଚି କଣେଇ କଣେଇ ଅନାଉଥିଲା। ବୋଧହୁଏ, ତା ମାଆ ବୈଜୟନ୍ତୀ ବାବଦରେ ତାକୁ କହିଛି। ସେଥିପାଇଁ ତାକୁ ଦେଖିବା ଲାଗି ସେ ଏମିତ ଆସି ଉପର ଠାଉରିଆ ଭାବେ ତାକୁ ଦେଖିବା ପାଇଁ ଚେଷ୍ଟା କରୁଛି। ସେ ନିଜେ ବି ଚାହୁଁଥିଲା ତାକୁ ଭଲ ଭାବେ ଦେଖିବା ପାଇଁ। ତେଣୁ କଥା ପ୍ରସଙ୍ଗରେ ସାମ୍ନା ଘରର ଝିଅକୁ ଡାକି ତାଙ୍କ ଘର ଆଡ଼େ ଗଲା ବୈଜୟନ୍ତୀ। କେବଳ ଏଇ ଆଶାରେ ଯେ, ସେ ପୁଅ ସାଙ୍ଗେ ତାର ଭଲଭାବେ ଦେଖା ହେଇଯିବ। ଆଉ ଯଦି ସୁଯୋଗ ମିଳେ, ଦି ପଦ କଥା ବି ହେଇଯିବ ସେ। ସତକୁ ସତ ସେଇଆ ହିଁ ହେଲା। ସାମ୍ନାଘର ବାରଣ୍ଡା ଉପରେ ବସିଥିବା ସେ ପୁଅକୁ ନିଜେ ବୈଜୟନ୍ତୀ ପଚାରିଲା, ତମେ ଆମ ଗାଁକୁ କେବେ ଆସିଛ? ପୁଅଟା କହିଲା, ଆରେ ନାହିଁ, ତମ ଗାଁରେ ଯାତ୍ରା ହେଉଛି ନା, ସେଥିପାଇଁ ଟିକିଏ ବୁଲି ଆସିଥିଲି। ଆଉ ତମର ପାଠପଢ଼ା କେମିତି ଚାଲିଛି? ଏଇତକ କଥା ଶୁଣି ବୈଜୟନ୍ତୀ ଟିକିଏ ଲାଜେଇ ଗଲା। କହିଲା ମୋର ଏଇ ବର୍ଷ ବି.ଏ. ସରୁଛି। ଫାଇନାଲ୍ ଇୟର। ଭାବୁଛି ଏତିକିରେ ପାଠପଢ଼ା ସାରିଦେବି। ସେତେବେଳେ ସେ ପୁଅଟି କହିଲା, କାହିଁ ଏମ୍.ଏ. ପଢ଼ିଲେ କିଛି ଅସୁବିଧା ଅଛି? ବାସ୍, ଏଇ ପ୍ରଶ୍ନଟି ସତେ ଯେମିତି ବୈଜୟନ୍ତୀ ଭିତରେ ନିଆଁ ଲଗାଇ ଦେଇଛି। ସେବେଠୁ ସେ ସ୍ଥିର କରିନେଇଥିଲା, ଯାହା ବି ହେଲେ ସେ ଏମ୍.ଏ. ନିଶ୍ଚୟ ପଢ଼ିବ।

ଯେତେବେଳେ ବୈଜୟନ୍ତୀ ଏମ୍.ଏ. ପଢୁଛି ବୋଲି ସେହି ପୁଅ ଜାଣିଲା, ସେବେଠାରୁ ସେ ବିଭିନ୍ନ ବାହାନା କରି ବିଶ୍ୱବିଦ୍ୟାଳୟ ଆଡ଼େ ବୁଲି ଆସେ। ବୈଜୟନ୍ତୀକୁ ଦେଖିବାକୁ ବାହାନା ଖୋଜେ। ଯେବେ ବି ସେ ନିଜ ଗାଁକୁ ଛୁଟିରେ ଆସେ, ସେତେବେଳେ ବୈଜୟନ୍ତୀର ଖବର ନେବାକୁ ଚେଷ୍ଟା କରେ। ଏଇ କଥାଟା ବୈଜୟନ୍ତୀକୁ ଭାରି ଭଲ ଲାଗେ। ଧୀରେ ଧୀରେ ସେମାନଙ୍କ ଭିତରେ କଥାବାର୍ତ୍ତା ଏବଂ ପରେ ପରେ ଚିଠିପତ୍ର ଦିଆନିଆ ହେଲା। ମୋଟାମୋଟି ଭାବେ କହିବାକୁ ଗଲେ ବୈଜୟନ୍ତୀ ପ୍ରାୟତଃ ଜାଣି ସାରିଥିଲା ଯେ, ସେ ଏମ୍.ଏ. ସରିବା ପରେ ସେହି ପୁଅକୁ ନିଶ୍ଚିତ ଭାବେ ବାହା ହେଉଛି। ପୁଅର ଇଚ୍ଛା ଅଛି ବାହାହେବା ପାଇଁ, ତାହା ତାର ହାବ ଭାବ ଏବଂ କଥାବାର୍ତ୍ତାରୁ ସ୍ପଷ୍ଟ ଜାଣି ହେଉଛି। ସେପଟେ ସେ ପୁଅର ମାଆ ତ ଅନେକ ଥର ନିଜ ଇଚ୍ଛା ପ୍ରକାଶ କରିସାରିଲାଣି, ବୈଜୟନ୍ତୀକୁ ବୋହୂ କରିବା ନେଇ। ତେଣୁ ବୈଜୟନ୍ତୀ ଦୃଢ଼ ନିଶ୍ଚିତ ହେବା ସ୍ୱାଭାବିକ କଥା।

ତେବେ ବିଡ଼ମ୍ୱନା ଯେ, ସେହି ପୁଅ ଉପରେ ନଜର ରଖିଥିଲେ ସେହି ଗାଁର ନରହରି ମାଷ୍ଟ୍ରେ। ସେ ନିଜର ଏକମାତ୍ର ଝିଅକୁ ତାକୁ ଦେବା ପାଇଁ ସବୁ ପ୍ରକାର ମସୁଧା ଚଳାଇଥାନ୍ତି। କେବଳ ସେତିକି ନୁହେଁ, କେଉଁ ନା କେଉଁ ସୂତ୍ରରୁ ତାଙ୍କୁ ଖବର ମିଳିଯାଇଛି ଯେ, ବୈଜୟନ୍ତୀ ସେହି ପୁଅକୁ ପସନ୍ଦ କରୁଛି ଏବଂ ଉଭୟେ ଉଭୟଙ୍କୁ ବିବାହ କରିବା ପାଇଁ ପ୍ରାୟତଃ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲେଣି। ତେଣୁ ବେଳଥାଉ ବନ୍ଧ ବାନ୍ଧିବା ନ୍ୟାୟରେ, ନରହରି ମାଷ୍ଟ୍ରେ ଶାମ, ଦାମ, ଦଣ୍ଡ, ଭେଦ .. ସବୁ ଅସ୍ତ୍ର ପ୍ରୟୋଗ କରି ଶେଷରେ ସେହି ପୁଅର ବାପା ମାଆଙ୍କୁ ରାଜି କରାଇଦେଲେ। ତା ପରେ ପାଳି ଥିଲା ସେହି ପୁଅର। ତାକୁ ବି ବିଭିନ୍ନ ପ୍ରଲୋଭନ ଦେଖାଇବା ସହ, ଘର, ଗାଡ଼ି ଜମିବାଡ଼ିର ପ୍ରଲୋଭନ ଦେଖାଇ, ବିବାହ ପାଇଁ ରାଜି କରାଇଦେଲେ। ବୈଜୟନ୍ତୀର ସବୁ ସ୍ୱପ୍ନ ଚୁରମାର ହୋଇଯାଇଥିଲା।
ସେହି ପୁଅର ବାହାଘର ପରେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା ବୈଜୟନ୍ତୀ। ଅଧିକ ଜିଦଖୋର ହୋଇଯାଇଥିଲା ସେ। ଆଉ ଚାହୁଁନଥିଲା କେବେ ବି ଗାଁକୁ ଫେରିବାକୁ। ତେଣୁ ଏମ୍.ଏ. ପାସ୍ କରିବା ପରେ ସେ ପୁଣି ଥରେ ଏମ୍.ବି.ଏ. ପଢ଼ିବା ପାଇଁ ନାଁ ଲଗାଇଲା ବିଶ୍ୱବିଦ୍ୟାଳୟରେ। ତାର ମନ ଥିଲା, ବାହାଘର ହେଉ କି ନହେଉ, ସେ କିନ୍ତୁ ନିଶ୍ଚିତ ରୂପେ ଏକ ବଡ଼ ଚାକିରି କରି ଦେଖାଇବ। ତେବେ ତା ଘର ଲୋକ ଚାହୁଁଥିଲେ, ତାକୁ ଯେତେଶୀଘ୍ର ସମ୍ଭବ, ବାହା ଦେଇ ଘରୁ ବିଦା କରିବା ପାଇଁ। ତେଣୁ ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ନେଇ ଆସୁଥିଲେ ତା ବାପା ମାଆ ଏବଂ ମଧ୍ୟସ୍ଥି। ଶେଷରେ ଜଣେ ବେସରକାରୀ ଅଧ୍ୟାପକଙ୍କ ସହିତ ତାର ବାହାଘର ଠିକ୍ ହେଲା। ବାହାଘର ହେଉଛି ବୋଲି ଜାଣି ସୁଦ୍ଧା ଖୁସି ହୋଇ ପାରୁନଥିଲା ବୈଜୟନ୍ତୀ। ଶେଷକୁ ବାଧ୍ୟ ବାଧକତାରେ ବାହାହେଲା ବୈଜୟନ୍ତୀ।
ବାହାଘର ପରେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା ତା ସ୍ୱାମୀ-ବିଶ୍ୱନାଥ। ନିଜ ସଂସାର ଭିତରେ ବୈଜୟନ୍ତୀ ଏତେ ମଗ୍ନ ହୋଇଯାଇଥିଲା ଯେ, ସେ ବର୍ତ୍ତମାନ ଆଉ କୌଣସି ଦିନ ନିଜ ବିଷୟରେ ଚିନ୍ତା କରିବାକୁ ସମୟ ପାଇନି। ଏପରିକି ସେ ନିଜର ପାଠ ପଢ଼ିଥିବା କଥାକୁ ବି ଭୁଲି ଯାଇଥିଲା। ଏବେ ତାକୁ କେବଳ ଗୋଟିଏ ଚିନ୍ତା। ପିଲା ଖାଇଲା ନା ନାହିଁ, ତା ହୋମୱର୍କ ସରିଛି ନା ନାହିଁ। ଖାଦ୍ୟ ପ୍ରସ୍ତୁତ ହେଲା ନା ନାହିଁ। ତା ସହ ସ୍ୱାମୀ କଲେଜ ଯିବେ, ତାଙ୍କ ଜଳଖିଆ, ଲଞ୍ଚ୍ ବକ୍ସ ପ୍ରସ୍ତୁତ ହେଲା କି ନାହିଁ, ସେହି ଚିନ୍ତାରେ ସେ ମେସିନ୍ ଭଳି ଦୌଡୁଛି।

ପୁଅ ଏବେ ବଡ଼ ହେବାରୁ ତାକୁ ହଷ୍ଟେଲକୁ ପଠାଇ ଦେଇଛନ୍ତି ଏମାନେ। ଘରର ଖର୍ଚ୍ଚ ଅଧିକ। କିନ୍ତୁ ବେସରକାରୀ କଲେଜର ଅଧ୍ୟାପକ ଭାବେ ବିଶ୍ୱନାଥର ସେମିତି କୌଣସି ଆଖିଦୃଶିଆ ରୋଜଗାର ବି ନଥିଲା। ତେଣୁ ଅଧିକାଂଶ ସମୟରେ ରାଗି ଯାଉଥିଲା ବିଶ୍ୱନାଥ। ସେ ଚାହୁଁଥିଲା ପ୍ରକୃତରେ ବୈଜୟନ୍ତୀ ବି କିଛି କାମ କରୁ। କୌଣସି ରୋଜଗାରର ପନ୍ଧା ତାକୁ ବି ମିଳିଯାଉ। କିନ୍ତୁ ବୈଜୟନ୍ତୀ ନିଜେ ସ୍ଥିର କରିପାରୁନଥିଲା ଯେ, ସେ କାମ କରିବ ନା କରକରଣା ସମ୍ଭାଳିବ। ଏହି ଦ୍ୱନ୍ଦ୍ୱ ଭିତରେ ବୈଜୟନ୍ତୀ ଥିଲା ବେଳେ ଆଜି କାଲି ବିଶ୍ୱନାଥ ଟିକିଏ ଅସୂୟା ପ୍ରକାଶ କରୁଛି। ପ୍ରତି କଥାରେ ସେ ବୈଜୟନ୍ତୀ ଉପରେ ଚିଡ଼ଚିଡ଼ା ହେଉଛି। କଥାବାର୍ତ୍ତା ବେଳେ ଦେଖେଇ ହେଲା ଭଳି ସେ କହୁଛି, ଏମିତି କେତେ ଦିନ ଘରେ ବସିକି ଖାଇବ ତମେ? ତମେ ବି କିଛି କାମ କରିବା ଦରକାର। ତେବେ ବିଶ୍ୱନାଥର କଥା ଅନେକ ସମୟରେ ବୈଜୟନ୍ତୀକୁ ଖୁବ୍ ବାଧୁଛି। ହେଲେ ସ୍ୱାମୀ ବୋଲି ସେ କିଛି କହିପାରୁନି।

ଦିନେ ବିଶ୍ୱନାଥ ଅସୁସ୍ଥ ହୋଇପଡ଼ିବାରୁ, ତାର ଅନେକ ଅଫିସ୍ କାମ ହୋଇପାରିଲା ନାହିଁ। ଏତିକି ବେଳେ, ବିଶ୍ୱନାଥର ଅଫିସରୁ ବାରମ୍ବାର ଫୋନ୍ ଆସୁଥାଏ, କାମ ସାରିବା ପାଇଁ। କିନ୍ତୁ ବିଶ୍ୱନାଥ କାମ କରିବା ଅବସ୍ଥାରେ ହିଁ ନଥିଲେ। ଏଣେ ସୁଦୀର୍ଘ ଅସୁସ୍ଥତା କାରଣରୁ କାମ କରିବା ପାଇଁ ବିଶ୍ୱନାଥ ପାଖରେ ଆଉ ଶକ୍ତି ନଥିଲା। ଏତିକି ବେଳେ ବୈଜୟନ୍ତୀ କହିଲା, ତମେ ଯଦି ହଁ ଭରିବ, ତା ହେଲେ ମୁଁ ତମ କାମରେ କିଛି ସାହାଯ୍ୟ କରିପାରନ୍ତି। ଅସୁସ୍ଥ ଥିବା ସତ୍ତ୍ୱେ, ବିଶ୍ୱନାଥ ଠୋ ଠୋ ହୋଇ ହସିଦେଲା। କହିଲା, ଏଇଟା ରନ୍ଧାଶାଳ ନୁହେଁ ଯେ, ତମକୁ ଯାହା କହିଲେ, ତାହା ତମେ କରିଦେବ। ତଥାପି ବୈଜୟନ୍ତୀ ନୀରବ। ସେ କେବଳ ହସି ଦେଲା, କହିଲା .. ମୁଁ ତମକୁ ଟିକିଏ ସାହାଯ୍ୟ କରିବାକୁ ଚାହୁଁଥିଲି। ଏତକ କହି, ବିଶ୍ୱନାଥର ଅଫିସ୍ ବ୍ୟାଗ୍ ଖୋଲି, ସେଥିରୁ ଲାପଟପ୍ ବାହାର କରି, ସେଥିରେ କାମ କରିବାରେ ଲାଗିଲା। ବିଶ୍ୱନାଥର ଯେତେ ସବୁ ରିପୋର୍ଟ ଅଛି, ତାକୁ ସେ ନିଜେ ଅଡିଟ୍ କରିପକାଇଲା। ଯେଉଁ ସବୁ ସ୍ଥାନରେ ଭୁଲ୍ ଭଟକା ଥିଲା, ତାକୁ ସଂଶୋଧନ କରିଦେଲା ବୈଜୟନ୍ତୀ। ଦୁଇ ଘଣ୍ଟା ପରେ ବିଶ୍ୱନାଥକୁ କହିଲା, ତମର ସବୁ କାମ ଶେଷ। ଦେଖ ତମ ଲାପଟପରେ ସବୁ ଫାଇଲ୍ ଅଛି। ବିଶ୍ୱନାଥ ବିଶ୍ୱାସ କରିପାରୁନଥିଲା। ଲାପଟପ୍ ଖୋଲି ଦେଖିଲା ବେଳେ, ତାର ସବୁ କାମ ପ୍ରକୃତରେ ସରି ଯାଇଥିଲା। ସେ ସଙ୍ଗେ ସଙ୍ଗେ ନିଜ ଅଫିସକୁ ସବୁ ଫାଇଲ୍ ପଠାଇଦେଲା। ଏତିକି ବେଳେ ପାଖରେ ଠିଆ ହୋଇଥିବା ବୈଜୟନ୍ତୀ ଆଡ଼କୁ ଅନାଇ ସେ ନିଜର କୃତଜ୍ଞତା ଜଣାଇବାକୁ ଚାହୁଁଥିଲା। ଆଉ ଏହାର ପ୍ରତ୍ୟୁତ୍ତରରେ ବୈଜୟନ୍ତୀ କହିଲା, ସୁଯୋଗ ଦେଇକି ଦେଖ। ମୁଁ କଣ କରିପାରେ। ଜଣେ ମହିଳା ଚାହିଁଲେ ପୁରୁଷ ଭଳି ସବୁ କାମ କରିପାରେ। ତେଣୁ ତାକୁ ଉପେକ୍ଷା କରିବା ଅପେକ୍ଷା ଯଦି ପ୍ରୋତ୍ସାହିତ କରାଯାଏ, ତାହେଲେ ତା ପକ୍ଷରେ ସବୁ ସମ୍ଭବ।

 

ମିଡିଆ ଷ୍ଟଡିଜ

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬

Comments are closed.