ଭୁବନେଶ୍ବର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକରେ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି।
ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଶନିବାର ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛ କଟାଯାଉଛି। ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରି ପୁରୁଣା ଗଛକୁ କିପରି ଅନ୍ୟତ୍ର ସ୍ଥାନାନ୍ତରିତ କରିହେବ ସେଥିପାଇଁ ସରକାର ଚିନ୍ତା କରୁଛନ୍ତି। ତେଣୁ ନୂଆବର୍ଷରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ପ୍ରଦାନ କଲେ ଏହା ପରିବେଶର ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନକୁ ରୋକିବା କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସମାନ ଭାବେ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଅନୁରୋଧ କରିଛନ୍ତି।
ବକୁଳ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବକୁଲ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଜନ୍ମଦିନ, ବିବାହ, ବାର୍ଷିକୀ ତଥା ଦିପାବଳି ଏବଂ ରକ୍ଷା ବନ୍ଧନ ପରି ବ୍ୟକ୍ତିଗତ ତଥା ସର୍ବସାଧାରଣ କାର୍ଯ୍ୟକ୍ରମରେ ଉପହାରକୁ ପ୍ରୋତ୍ସାହିତ କରିବା ଭଳି ପଦକ୍ଷେପ ବିଷୟରେ କହିଥିଲେ।