Latest Odisha News

ଦେଇଥିଲେ ପାଇ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ଓଡ଼ିଶାର ପୁରପଲ୍ଲୀରେ ଘୁରି ବୁଲୁଥିବା ଚକୁଳିଆ ପଣ୍ଡାମାନଙ୍କର ଗୀତ ପଦେ ମନେ ପଡେ।

“ ଦେଇଥିଲେ ପାଇ ମା’ ଲୋ ଖୋଇଥିଲେ ଖାଇ,
ପଡିଆ ବାରିରେ ମା’ ଲୋ ଗୋଧନ ଚରାଇ “

ଅର୍ଥାତ୍ ଦରକାର ସମୟରେ କାହାକୁ କେବେ କିଛି ଦାନ ଦେଇଥିଲା ଲୋକଟିର ଜୀବନରେ ଅଯାଚିତ ଭାବରେ ସାହାଯ୍ୟ ମିଳିଥାଏ, କୌଣସି ଭୋକରେ ଥିବା ଲୋକକୁ ମୁଠାଏ ଖାଇବାକୁ ଦେଇଥିବା ଲୋକର ଜୀବନରେ ଖାଦ୍ୟର ଅଭାବ ହୁଏନାହିଁ, ଈଶ୍ବର ସେମାନଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ସବୁମତେ ସାହାଯ୍ୟ କରିଥାନ୍ତି , ଏମିତିକି ଘାସଟିଏ ନଥିବା ପଡିଆ ବାରିରେ ମଧ୍ୟ ସେମାନଙ୍କ ଗାଈଗୋରୁ ଉପାସ ରହନ୍ତି ନାହିଁ ।

 

ଏଇ ପ୍ରଚଳିତ କବିତାର ତାତ୍ପର୍ଯ୍ୟ ବୁଝି ଆଗ କାଳରେ ମଣିଷ ମାନେ ଦାନ ଧର୍ମ କରୁଥିଲେ , ଭୋକିଲା ଲୋକକୁ ଆହାର ଦେଉଥିଲେ , ଦୟା, କ୍ଷମା ,ଶାନ୍ତି ସମସ୍ତଙ୍କ ହୃଦୟରେ ବିରାଜମାନ ହେଉଥିଲା। ଧୀରେ ଧୀରେ ସମୟ ବଦଳିବା ସହିତ ମଣିଷ ର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଘଟିଲା । ଯନ୍ତ୍ରର ସାହାଯ୍ୟ ନେଇ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇବା ସହିତ ମଣିଷ ଧୀରେ ଧୀରେ ସେଇ ଯନ୍ତ୍ର ମାନଙ୍କ ଭଳି ହୃଦୟହୀନ ହୋଇ ପଡିଲା । ନିଜର ସ୍ୱାର୍ଥରେ ଅନ୍ଧ ହୋଇ ମଣିଷ ପଣିଆ ହରାଇ ବସିଲା। ଅନ୍ୟ ମାନଙ୍କୁ ଦୟା ଦେଖାଇବା ତ ଦୂରର କଥା, ଆଜିର ଦିନରେ ପୁଅଟିଏ ନିଜର ଜନ୍ମଦାତା ପିତା ଏବଂ ଜନ୍ମଦାତ୍ରୀ ମାତାଙ୍କୁ ମଧ୍ୟ ନିଜର ବୋଝ ମନେକରି ଦୂରେଇ ଦେଉଛି । ତଥାପି ଏଇ ପୃଥିବୀରେ ମଣିଷପଣିଆ ସଂପୂର୍ଣ୍ଣ ଭାବରେ ଲୋପ ଯାଇନାହିଁ, କିଛି କିଛି ମଣିଷ ଅଛନ୍ତି ଯେଉଁମାନେ ଈଶ୍ବର ଦତ୍ତ ସେଇ ମହନୀୟ ଗୁଣସବୁକୁ ବଞ୍ଚାଇ ରଖିଛନ୍ତି ନିଜ ଭିତରେ। ହୋଇପାରେ ସେମାନଙ୍କ ସଂଖ୍ୟା ମୁଷ୍ଟିମେୟ କିନ୍ତୁ ସେଇ ଧର୍ମର ଖୁଣ୍ଟ ମାନଙ୍କ ଉପରେ ଭାରା ଦେଇ ଏ ପୃଥିବୀ ତିଷ୍ଠିଛି । ଈଶ୍ବର ସେଇମାନଙ୍କୁ ନିଜର ଆଶୀର୍ବାଦ ଦେଇ ସାରା ସଂସାରରେ ନିଜର ଅସ୍ତିତ୍ବ ପ୍ରତିପାଦିତ କରୁଛନ୍ତି ।

ସେମିତି ଜଣେ ମଣିଷଙ୍କ କଥା ହେଉଛି କେରଳର ଜଣେ ସାଧାରଣ ଯୁବତୀ ସୁପ୍ରିୟା । ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ନେଇ ଛୋଟ ସଂସାର ଟିଏ ତାଙ୍କର । ପରିବାର ର ପ୍ରତିପୋଷଣ ପାଇଁ ସ୍ୱାମୀ ଗୋଟିଏ ଛୋଟ ପ୍ରାଇଭେଟ୍ କମ୍ପାନୀ ରେ ଚାକିରୀ କରୁଥିଲା ବେଳେ ସୁପ୍ରିୟା ଆକୁଲାସ୍ ଗ୍ରୁପ୍  ର ଜୟଶ୍ରୀ ସିଲ୍କ୍ ରେ ଜଣେ ସେଲସ୍ ଓମାନ୍ ଭାବରେ କାମ କରନ୍ତି । ଦୁହିଁଙ୍କ ରୋଜଗାରରେ ପିଲାମାନଙ୍କୁ ସୁନ୍ଦର ଭବିଷ୍ୟତ ଦେବା ପାଇଁ ଆପ୍ରାଣ ଉଦ୍ୟମ କରନ୍ତି ଦୁହେଁ।ସ୍ୱଭାବରେ ଖୁବ୍ ଅମାୟିକ ଏବଂ ଭଦ୍ର ସୁପ୍ରିୟା । ସେଲସ୍ ଓମାନ୍ ଭାବରେ ସେଲସ୍ ର ପ୍ରମୋଶନ୍ ପାଇଁ ବିଭିନ୍ନ ଜାଗାକୁ ଯିବାକୁ ପଡେ ସୁପ୍ରିୟାଙ୍କୁ । ଗତ ଜୁଲାଇ ଆଠ ତାରିଖ ର କଥା , ଅଫିସ୍ କାମରେ ଘରୁ ବାହାରି ରାସ୍ତା ରେ ଚାଲି ଚାଲି ଯାଉଥାନ୍ତି ସୁପ୍ରିୟା । ଖରା ତେଜ ଖୁବ୍ ବୁଲୁଥାଏ ଦେହକୁ। ଆଗରେ ଦେଖିଲେ ଜଣେ ଦୃଷ୍ଟିହୀନ ବୟସ୍କ ବ୍ୟକ୍ତି ବାଡିଟିଏ ଧରି ଚାଲି ଚାଲି ଯାଉଛନ୍ତି । ସେଇ ସମୟରେ ଟାଉନ୍ ବସଟିଏ ପାସ୍ କଲା ସେଇ ବାଟ ଦେଇ । ଦୃଷ୍ଟିହୀନ ବ୍ୟକ୍ତି ଜଣକ ହାତର ଇଶାରା କଲେ ବସ୍ କୁ ରହିବା ଲାଗି , ହେଲେ ବସ୍ ଟି ଅଟକିଲା ନାହିଁ ସେଠାରେ । ହୁଏତ କ୍ଲିନର୍ ଟି ଅଣଦେଖା କରିଦେଲା ସେଇ ଭିନ୍ନକ୍ଷମ ଙ୍କର ଇଶାରା କୁ। ଦୂରରୁ ଏ ସବୁ ଦେଖୁଥିବା ସୁପ୍ରିୟା ଦୌଡିଲେ ସେ ବସ୍ ପଛେ ପଛେ । ଅନେକ ବାଟ ଦୌଡି ଦୌଡି ଯିବା ପରେ ଚିତ୍କାର କରି କ୍ଲିନର୍ କୁ ଅନୁରୋଧ କଲେ ମାତ୍ର କିଛି ମୁହୂର୍ତ୍ତ ପର୍ଯ୍ୟନ୍ତ ବସ୍ ଟି ଅଟକାଇବା ଲାଗି । ସ୍ତ୍ରୀ ଲୋକଟିକୁ ବସ୍ ପଛରେ ଧାଇଁବାର ଦେଖି ବସ୍ ଅଟକାଇଲା କ୍ଲିନର୍ । ତା’କୁ ଅପେକ୍ଷା କରିବାକୁ କହି ପଛକୁ ପୁଣି ଧାଇଁଲେ ସୁପ୍ରିୟା, ସେଇ ଦୃଷ୍ଟିହୀନ ବ୍ୟକ୍ତି ଙ୍କ ହାତ ଧରି ଆଣି ବସ୍ ରେ ବସାଇ କ୍ଲିନର୍ କୁ ଅନୁରୋଧ କଲେ ସେହି ବ୍ୟକ୍ତିଙ୍କର ଗନ୍ତବ୍ୟସ୍ଥଳ ରେ ପହଞ୍ଚାଇ ଦେବା ଲାଗି । ଦୃଷ୍ଟିହୀନ ବ୍ୟକ୍ତିଙ୍କ ଆଖିରୁ ଝରି ଆସୁଥିଲା କୃତଜ୍ଞତାର ଲୁହ ଧାରେ ଏବଂ ମୁହଁରୁ ଝରି ପଡୁଥିଲା ଶୁଭାଶୀଷ “ ଈଶ୍ବର ଆପଣଙ୍କୁ ସର୍ବଶୁଭରେ ରଖନ୍ତୁ ମା’ “। ସୁପ୍ରିୟାଙ୍କ ମୁହଁ ରେ ଦୃଶ୍ୟମାନ ହେଉଥିଲା ଗଭୀର ଆତ୍ମ ସନ୍ତୋଷ । ସେ ଆଗେଇ ଗଲେ ନିଜ କାମରେ।

ସେମାନଙ୍କ ଅଲକ୍ଷ୍ୟରେ ଏଇ ସଂପୂର୍ଣ୍ଣ ଘଟଣା ଟି କଏଦ୍ ହୋଇଥିଲା ଆଉ ଜଣେ ଯୁବତୀଙ୍କର ମୋବାଇଲ୍ ରେ । ସୁପ୍ରିୟାଙ୍କର ଏଇ ସମ୍ବେଦନଶୀଳତା ଗଭୀର ରେଖାପାତ କରିଥିଲା ତାଙ୍କ ହୃଦୟରେ। ମଣିଷ ପଣିଆର ଏକ ଦୃଷ୍ଟାନ୍ତ ଭାବରେ ସେ ସେଇ ଘଟଣାର ଭିଡିଓଟିଏ ତିଆରି କରି ତାଙ୍କ ସାଙ୍ଗମାନଙ୍କ ପାଖକୁ ପଠାଇଦେଲେ । ମାତ୍ର କେତେଘଣ୍ଟା ଭିତରେ ସାରା ଦେଶରେ ଭାଇରାଲ୍ ହୋଇଥିଲା ସେଇ ଭିଡିଓଟି। ସମସ୍ତେ ପ୍ରଶଂସା କରୁଥିଲେ ସୁପ୍ରିୟାଙ୍କର ଏଇ ମଣିଷ ପଣିଆକୁ। କିନ୍ତୁ ସୁପ୍ରିୟାଙ୍କୁ ଜଣା ନଥିଲା ଏ କଥା। ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ସେ ସମୟ ପାଇ ନଥିଲେ କି ଦେଖି ପାରିନଥିଲେ ସେଇ ଭାଇରାଲ୍ ଭିଡିଓଟି।

ଦିନେ ସେଇ ଭିଡିଓ ଆକୁଲାସ୍ କମ୍ପାନୀର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟ ଆକୁଲାସ୍ ଙ୍କ ଆଖିରେ ପଡିଥିଲା ଏବଂସେଇ ଭିଡିଓରୁ ସୁପ୍ରିୟାଙ୍କୁ ନିଜର କର୍ମଚାରୀ ବୋଲି ସେ ଚିହ୍ନି ପାରିଥିଲେ । ନିଜର ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀର ବିଶାଳ ହୃଦବତ୍ତା ଅନୁଭବ କରି ଖୁବ୍ ଖୁସି ହୋଇଥିଲେ ସେ। କମ୍ପାନୀର ଏମ୍ପ୍ଲୋୟୀ ରେକର୍ଡକୁ ଅନୁସନ୍ଧାନ କରି ଦୁଇ ଦିନ ପରେ ଦିନେ ଶ୍ରୀଯୁକ୍ତ ଜୟ ଆକୁଲାସ୍ ସପତ୍ନୀକ ପହଞ୍ଚିଥିଲେ ସୁପ୍ରିୟାଙ୍କ ଭଡା ଘରେ ତାଙ୍କୁ ଅଭିନନ୍ଦନ ଆଉ ଶୁଭେଚ୍ଛା ଜଣାଇବା ପାଇଁ । ଆଶ୍ଚର୍ଯ୍ୟ ହୋଇଥିଲେ ସୁପ୍ରିୟା ସେମାନଙ୍କୁ ଦେଖି । ସୁପ୍ରିୟାଙ୍କୁ ସବୁ କଥା ଜଣାଇଥିଲେ ଜୟ ଆକୁଲାସ୍ ଏବଂ ତାଙ୍କର ମଣିଷ ପଣିଆ ପାଇଁ ଅନେକ ପ୍ରଶଂସା କରିବା ସହିତ ଆସନ୍ତା ସପ୍ତାହରେ ତ୍ରିସୁର୍  ସ୍ଥିତ ଅଫିସ୍ ର ମୁଖ୍ୟ କାର୍ଯ୍ୟାଳୟ କୁ ଆସି ତାଙ୍କୁ ଦେଖା କରିବା ଲାଗି କହିଥିଲେ ।

ଅଧ୍ୟକ୍ଷଙ୍କ ଆଦେଶ ଅନୁଯାୟୀ ପରବର୍ତ୍ତୀ ସପ୍ତାହରେ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସୁପ୍ରିୟା। ବହୁତ ଗୁଡିଏ ଆଶ୍ଚର୍ଯ୍ୟ ଅପେକ୍ଷା କରି ରହିଥିଲେ ତାଙ୍କ ପାଇଁ ସେଇଠି। ତାଙ୍କ ଘରକୁ ଯିବା ଦିନ ସୁପ୍ରିୟାଙ୍କ ସହିତ କଥାବାର୍ତ୍ତା ହେବା ଭିତରେ ତାଙ୍କର ସବୁ ସୁବିଧା ଅସୁବିଧା ଦେଖିଥିବା ଆଉ ବୁଝିଥିବା ମାଲିକ ଜଣକ ରୂପରେ ଈଶ୍ବର ତାଙ୍କର ସବୁ ସମସ୍ୟାର ସମାଧାନ କରି ଦେଇଥିଲେ। ତାଙ୍କର ପ୍ରମୋଶନ୍ ହେବା ସହିତ କମ୍ପାନୀ ନୂଆ ଘରଟିଏ ଉପହାର ଦେଇଥିଲା ତାଙ୍କୁ। ଭାବ ବିହ୍ଵଳ ହୋଇ କାନ୍ଦି ପକାଉଥିଲେ ସୁପ୍ରିୟା । ଈଶ୍ବରଙ୍କ ଉଦ୍ଦେଶ୍ୟରେ ନିଜର ପ୍ରଣାମ ଜଣାଇ ସେ କହିଥିଲେ “ ମୁଁ କେବେ ଜୀବନରେ ଭାବି ନଥିଲି ଯେ ସ୍ୱତଃପ୍ରବୃତ୍ତ ଭାବରେ କରିଥିବା ଗୋଟିଏ ଛୋଟ କାମ ପାଇଁ ଏମିତି ଶହ ଶହ ଲୋକମାନଙ୍କ ଶ୍ରଦ୍ଧା ଓ ସମ୍ମାନ ମିଳିବ , ମୋ ସହକର୍ମୀ ମାନଙ୍କର ଏତେ ପ୍ରୋତ୍ସାହନ ମିଳିବ ମୋତେ । ଇଏ କୌଣସି ବଡ କାମ ନୁହେଁ ସାଧାରଣ ମାନବିକତା । ମୁଁ କୃତଜ୍ଞ ଆପଣମାନଙ୍କ ପାଖରେ ।।
ଏଇ ତ ମଣିଷ ପଣିଆ ! ଯାହା ଏବେ ବି ବଞ୍ଚିଛି।ସେଇ ସାର୍ବଜନୀନ କଥା ସାର୍ଥକ ହୋଇଛି “ ଦେଇଥିଲେ ପାଇ … “।

Comments are closed.