Latest Odisha News

BREAKING NEWS

କ’ଣ ହେବ? ଯଦି ୭୨ ଘଣ୍ଟା ଧରି ବ୍ୟବହାର କରିବେ ନାହିଁ ଫୋନ୍…..

ନୂଆଦିଲ୍ଲୀ; ଆଜିକାଲି ମୋବାଇଲ ଆମ ନିତିଦିନିଆ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ପରି । ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କ ହାତରେ ତ ଖଣ୍ଡେ ଖଣ୍ଡେ ମୋବାଇଲ, ଆଉ ଏଥିରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଥିବାର ଦେଖିଥିବ । ଆଉ କିଛି କିଛି ଲୋକଙ୍କର ମୋବାଇଲ ସହ ଏକ ଏମିତି ସଂପର୍କ ରହିଥାଏ, ଯେ ବିନା ମୋବାଇଲରେ ସେମାନେ କେବଳ ଚିଡଚିଡ୍ ହୋଇଥାନ୍ତି । ଯାହାକୁ ନେଇ ଡାଟାରିପୋର୍ଟାଲର ଏକ ରିପୋର୍ଟ କହିଛି, ୧୬ ରୁ ୬୪ ବର୍ଷ ବୟସର ଇଣ୍ଟରନେଟ୍ ବ୍ୟବହାରକାରୀ ଟାବଲେଟ ବଦଳରେ ୩ ଗୁଣ ମୋବାଇଲ ବ୍ୟବହାର କରନ୍ତି । ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ବ୍ୟବହୃତ ଡିଭାଇସ୍ ମଧ୍ୟରୁ ୯୧% ହେଉଛି ସ୍ମାର୍ଟଫୋନ୍, ଯେତେବେଳେ ସେହି ଡିଭାଇସ୍ ମଧ୍ୟରୁ ୩୦% ରୁ କମ୍ ହେଉଛି ଟାବଲେଟ୍ । ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ।

ଯାହାକୁ ନେଇ ଏବେ କିଛି ରିସର୍ଚ ସାମ୍ନାକୁ ଆସିଛି । ରିସର୍ଚ କହୁଛି କେବଳ ୭୨ ଘଣ୍ଟା ଆପଣ ଆପଣଙ୍କ ମୋବାଇଲକୁ ନିଜ ଠାରୁ ଦୂରରେ ରଖନ୍ତୁ, ଆଉ ଆପଣ ଦେଖିବେ, ଏହା ଆପଣଙ୍କ ମସ୍ତିସ୍କ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ  । ଏକ ସଦ୍ୟତମ ଅଧ୍ୟୟନରୁ ଜଣାପଡିଛି ଯେ, ଅଳ୍ପ ସମୟ ପାଇଁ ମଧ୍ୟ ଫୋନରୁ ଦୂରେଇ ରହିବା ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯେଉଁଥିରେ ଗବେଷକ, ଯୁବପିଢ଼ିଙ୍କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ କହିଥିଲେ । ଯେଉଁଥିରେ କେବଳ ତାଙ୍କୁ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ସହ କଥା ହେବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା । ତିନି ଦିନ ଧରି ଚାଲିଥିବା ଏହି ପରୀକ୍ଷଣ ପୂର୍ବରୁ, ଏହି ଯୁବକମାନଙ୍କର ଏମଆରଆଇ ଏବଂ ମାନସିକ ପରୀକ୍ଷା କରାଯାଇଥିଲା । ଏହା ବ୍ୟତୀତ ସେମାନଙ୍କର ମାନସିକ ଅବସ୍ଥା ବିଷୟରେ ଜାଣିବା ପାଇଁ ସେମାନଙ୍କର ମନୋଭାବ, ଫୋନ୍ ବ୍ୟବହାର ଅଭ୍ୟାସ ଏବଂ ଇଚ୍ଛା ଇତ୍ୟାଦି ବିଷୟରେ ମଧ୍ୟ ସୂଚନା ସଂଗ୍ରହ କରାଯାଇଥିଲା ।

ଆଉ ୭୨ ଘଣ୍ଟାର ନିଷେଧ ପରେ, ଗବେଷଣାରେ ସାମିଲ ଯୁବକମାନଙ୍କର ପୁଣି ଥରେ ଏମଆରଆଇ ସ୍କାନ କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା, ସ୍ମାର୍ଟଫୋନର ବ୍ୟବହାର ହ୍ରାସ କରିବା ଦ୍ୱାରା ଡୋପାମିନ୍ ଏବଂ ସେରୋଟୋନିନ୍ ସହ ଜଡିତ କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ଆସିଛି । ଡୋପାମିନ୍ ଏବଂ ସେରୋଟୋନିନ୍ ହେଉଛି ନ୍ୟୁରୋଟ୍ରାନ୍ସମିଟର ଯାହା ମନୋଭାବ, ଭାବନା ଏବଂ ନିଶାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯାହା ସ୍ପଷ୍ଟ ଭାବେ ଜଣାପଡିଲା ଯେ, ଯେମିତି ଔଷଧ ଛାଡ଼ିବା, ସେହିପରି ଫୋନ ଛାଡ଼ିବା ମସ୍ତିଷ୍କ ଉପରେ ସମାନ ପ୍ରଭାବ ପକାଏ ।

ଆମେରିକା ଏବଂ କାନାଡାର କିଛି ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ, ଇଣ୍ଟରନେଟ୍ ବ୍ୟବହାର ନ କରିବା ଦ୍ୱାରା ମସ୍ତିଷ୍କ ସବୁବେଳେ ଯୁବକ ରହିଥାଏ । ଗବେଷଣାରେ ଅଂଶଗ୍ରହଣ କରିଥିବା ଲୋକମାନେ ଇଣ୍ଟରନେଟ୍ ବ୍ୟବହାର ନକରି ନିଜକୁ ପୂର୍ବ ଅପେକ୍ଷା ଅଧିକ ଖୁସି ଏବଂ ଜୀବନରେ ସନ୍ତୁଷ୍ଟ ପାଇଥିଲେ । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ଜ୍ଞାନାତ୍ମକ ଆଚରଣ ଚିକିତ୍ସା ବା ସିବିଟି ସହିତ ତୁଳନୀୟ ଥିଲା । ଉକ୍ତ ଯୁବକମାନଙ୍କ କହିବାନୁସାରେ, ସେମାନଙ୍କ କନସନଟ୍ରେସନ୍ ଅଧିକ ବଢିଛି, ସୋମନଙ୍କ ଶୋଇବା ଗୁଣାବତ୍ତା ବି ବୃଦ୍ଧି ହୋଇଛି । ସେମାନେ ପ୍ରତିଦିନ ହାରାହାରି ୧୭ ମିନିଟ୍ ଅଧିକ ଶୋଇଛନ୍ତି । ଆଉ କନସନଟ୍ରେସନ୍ ପରୀକ୍ଷାରେ ମଧ୍ୟ, ସେମାନଙ୍କ ଠାରୁ ୧୦ ବର୍ଷ ସାନ ପିଲାଙ୍କ ଭଳି ବ୍ୟବହାର କରିଥିଲେ ।

Comments are closed.